ନବରଙ୍ଗପୁର : ସରକାରୀ ଅର୍ଥ ଆତ୍ମସାତ ସାଙ୍ଗକୁ ମିଥ୍ୟା ବିଲ୍ ଦାଖଲ କରି ଠକିବା ଓ ଆଦିବାସୀଙ୍କ ବିକାଶ ପାଇଁ ଆସିଥିବା ଅର୍ଥକୁ ବାଟମାରଣା କରିବା ସଂକ୍ରାନ୍ତ ତଥ୍ୟ ମାଗିବାରୁ ଜୀବନରେ ମାରିଦେବାକୁ ଜିଲା ମଙ୍ଗଳ ଅଧିକାରୀ ଧମକ ଦେଇଛନ୍ତି ବୋଲି ଅଭିଯୋଗ କରି ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଘନିଷ୍ଠ ସହଯୋଗୀ ତଥା ବିଜେଡି ଯୁବନେତା ନେତ୍ରାନନ୍ଦ କଲାର। ଏତଲା ଅନୁସାରେ ନବରଙ୍ଗପୁର ଜିଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ବିଗତ ଦିନରେ ସରକାରଙ୍କ ପକ୍ଷରୁ ଆଦିବାସୀ ବିଭାଗ ପରିଚାଳିତ ବିଦ୍ୟାଳୟଗୁଡିକୁ ଯୋଗାଇ ଦିଆଯାଉଥିବା ସାମଗ୍ରୀ ଯୋଗାଣରେ ଅନିୟମିତତା କରିଛନ୍ତି। ସରକାରୀ ଅର୍ଥ ଆତ୍ମସାତ୍ କରିବା ସହ ଆଦିବାସୀ ପିଲାଙ୍କୁ ଠକିବା ଦୃଷ୍ଟାନ୍ତ ଗତ ଜୁନ ମାସରେ ମଗାଯାଇଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନାରୁ ଜଣାପଡିଛି। ବିନା ଟେଣ୍ଡର ପ୍ରକ୍ରିୟାରେ ଏକ ସଂସ୍ଥା ଦ୍ବାରା ଦୁଇଗୁଣ ମୂଲ୍ୟରେ ସାମଗ୍ରୀ କିଣାଯାଇଛି। ଉଦାହରଣ ସ୍ବରୂପ ଷ୍ଟିଲ୍ ଥାଳି ପିଛା ବଜାରରେ ମାତ୍ର ଦେଡଶହ ଟଙ୍କାରେ ଉପଲବ୍ଧ ବେଳେ ଗୋଟିକୁ ୪୧୦ ଟଙ୍କାରେ କ୍ରୟ କରାଯାଇଛି। ପିଲାଙ୍କ ଶୋଇବା ପାଇଁ ଉଦିଷ୍ଟ ଗଦି ବଜାରରେ ଗୋଟିକୁ ୨୪୯୦ ଟଙ୍କାରେ ମିଳୁଥିବାବେଳେ ତାହାକୁ ୨୯୯୦ ଟଙ୍କାରେ କିଣାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଉପରୋକ୍ତ ସୂଚନା ସେ ସୂଚନା ଅଧିକାର ଆଇନ ବଳରେ ମାଗିବା ଯୋଗୁ ତାଙ୍କ ଉପରେ ଆକ୍ରୋଶ ରଖି ଗତକାଲି ନବରଙ୍ଗପୁର ଦୈନିକ ବଜାର ସାମନା ରାସ୍ତାରେ ଜିଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ଧମକଚମକ ଦେଇଛନ୍ତି ବୋଲି ଯୁବନେତା କଲାର ଅଭିଯୋଗ କରିଛନ୍ତି। ମୋତେ ବଦନାମ କରିବା ପାଇଁ ଆରଟିଆଇ ତଥ୍ୟ ମାଗି ଭୂଲ କରୁଛ, ମୋର ଯେତିକି ଲୋକ ଅଛନ୍ତି ଗୋଟେ ଚୁଟକିରେ ତୋତେ ଶେଷ କରି ଦେବି ବୋଲି ମଙ୍ଗଳ ଅଧିକାରୀ ଧମକ ଦେଇଥିବା ଯୁବନେତା କଲାର କହିଛନ୍ତି। ଏଭଳି ଧମକଚମକରେ ତାଙ୍କର ମାନସିକ ସ୍ଥିତି ଦୁର୍ବଳ ହୋଇଯାଇଛି । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଏବଂ ଏହା ସହିତ ସଂଲଗ୍ନ ଥିବା ଦଲିଲକୁ ଅନୁଧ୍ୟାନ କରି ସତ୍ୟାସତ୍ୟ ଉନ୍ମୋଚନ କରି ମଙ୍ଗଳ ଅଧିକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ସେ ଏତଲାରେ ଉଲ୍ଲେ୍ଖ କରିଛନ୍ତି। ଏତଲା ପ୍ରଦାନ ସମୟରେ ବିଜେଡି ନେତା ସରୋଜ ପାତ୍ର, ଭୀମ ହରିଜନ, ଉତ୍ତମ ତ୍ରିପାଠୀ, ବିଚିତ୍ର ନାୟକ, ଚନ୍ଦ୍ର ମଲ୍ଲିକ, ସୁମିତ ପୂଜାରୀ, ସୁମିତ ପାଳ ପ୍ରମୁଖ ଉପସ୍ଥିତ ଥିଲେ।



