www.samajalive.in
Thursday, December 11, 2025
16.1 C
Bhubaneswar

ପାଣ୍ଡ୍ୟା, ରାହୁଲ ୨ଟି ଦିନିକିଆରୁ ବାସନ୍ଦ ହେବେ!

ମୁମ୍ବଇ: ଟିଭି କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦୁଇ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ବର୍ତ୍ତମାନ ବିଭିନ୍ନ ମହଲରେ ସମାଲୋଚିତ ହୋଇଥିବାବେଳେ ବିସିସିଆଇ କର୍ତ୍ତୃପକ୍ଷଙ୍କ କଟୁଦୃଷ୍ଟିର ସମ୍ମୁଖୀନ ହୋଇଛନ୍ତି। ଉଭୟ ଖେଳାଳିଙ୍କୁ ଦୁଇଟି ଦିନିକିଆରୁ ବାସନ୍ଦ କରିବାକୁ ବିସିସିଆଇ ପ୍ରଶାସକ କମିଟି ଅଧ୍ୟକ୍ଷ ବିନୋଦ ରାୟ ଗୁରୁବାର ସୁପାରିସ କରିଛନ୍ତି। ଶ୍ରୀ ରାୟ ଏହି ମର୍ମରେ ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାହୁଲ ଜୋହରିଙ୍କ ନିକଟକୁ ଏକ ଇ-ମେଲ ପଠାଇଛନ୍ତି। ଗଣମାଧ୍ୟମରୁ ଏ ପ୍ରସଙ୍ଗରେ ଅବଗତ ହେବାପରେ ଦୁଇ ଖେଳାଳି କୌଣସି ପରିସ୍ଥିତିରେ କ୍ଷମା ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି ଶ୍ରୀ ରାୟ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।
ଅପରପକ୍ଷରେ ପ୍ରଶାସକ କମିଟିର ଅନ୍ୟତମ ସଦସ୍ୟା ଡାଏନା ଏଡୁଲଜି ଏ ପ୍ରସଙ୍ଗରେ ଆଇନଜୀବୀଙ୍କ ମତାମତ ଲୋଡିଛନ୍ତି। ଡାଏନାଙ୍କ ମତାମତ ମିଳିବାପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି। ଡାଏନା ଇତିମଧ୍ୟରେ ଘଟଣା ସମ୍ପର୍କରେ ବିସିସିଆଇର କାର୍ଯ୍ୟକାରୀ ସଭାପତି ସି.କେ.ଖାନ୍ନା, ସମ୍ପାଦକ ଅମିତାଭ ଚୌଧୁରୀ ଓ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀଙ୍କ ମତାମତ ଲୋଡିଛନ୍ତି। ଖାନ୍ନା ଓ ଅମିତାଭଙ୍କ ପ୍ରତିକ୍ରିୟା ଜଣାପଡିନଥିବାବେଳେ ଦୁଇ ଖେଳାଳିଙ୍କୁ ବାସନ୍ଦ କରାଯିବା ସପକ୍ଷରେ ଅନିରୁଦ୍ଧ ମତ ଦେଇଛନ୍ତି।
ଗତମାସରେ ବଲିଉଡ୍‌ ନିର୍ଦେଶକ କରନ ଜୋହରଙ୍କ ଟିଭି କାର୍ଯ୍ୟକ୍ରମ ’କଫି ୱିଥ୍‌ କରନ୍‌’ରେ ଅତିଥିଭାବେ ପାଣ୍ଡ୍ୟା ଓ ରାହୁଲ ଅଂଶଗ୍ରହଣ କରିଥିଲେ। ଜାନୁଆରୀ ୬ରେ ଏହା ଟିଭିରେ ପ୍ରସାରିତ ହୋଇଥିଲା। କରନ୍‌ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ପାଣ୍ଡ୍ୟା ନିଜର ଯୌନ ସମ୍ପର୍କିତ ଘଟଣାକୁ ବର୍ଣ୍ଣନା କରିଥିଲେ। ଆଲୋଚନା ସମୟରେ ପାଣ୍ଡ୍ୟା ମହିଳାଙ୍କ ସମ୍ମାନ ଓ ସ୍ବାଭିମାନ ପ୍ରତି ଆଞ୍ଚ ଆଣୁଥିବା ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ରାହୁଲ ଏ ପ୍ରସଙ୍ଗରେ ସତର୍କତା ଅବଲମ୍ବନ କରି ନିରବ ରହିଥିଲେ ସୁଦ୍ଧା କାର୍ଯ୍ୟକ୍ରମରେ ଭାଗନେଇଥିବାରୁ ତାଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ଟେଲିଭିଜନରେ ପାଣ୍ଡ୍ୟାଙ୍କର ଏଭଳି ଆଭିମୁଖ୍ୟକୁ ଉଭୟ ପୁରୁଷ ଓ ମହିଳା ଦର୍ଶକ ତୀବ୍ର ସମାଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମ​‌େ​‌ର ଦର୍ଶକଙ୍କ ପ୍ରତିକ୍ରିୟା ପ୍ରକାଶ ପାଇବାପରେ ବିସିସିଆଇ ପକ୍ଷରୁ ବୁଧବାର ପାଣ୍ଡ୍ୟା ଓ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ୨୪ ଘଣ୍ଟା ମଧ୍ୟରେ କୈଫିୟତ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ନୋଟିସ ଜାରି କରାଯିବା ପୂର୍ବରୁ ପାଣ୍ଡ୍ୟା ଏହି ଘଟଣା ପାଇଁ ଅନୁତାପ କରିବା ସହ ଇନ୍‌ଷ୍ଟାଗ୍ରାମ ଜରିଆରେ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ। ଆବେଗର ବଶବର୍ତ୍ତୀ ହୋଇ ସେ ମହିଳାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଥିଲେ ବୋଲି ପାଣ୍ଡ୍ୟା କହିଛନ୍ତି। ତେବେ ପାଣ୍ଡ୍ୟାଙ୍କ କୈଫିୟତ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ରାୟ ସ୍ପଷ୍ଟ କରିସାରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories