ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ଆକ୍ରମଣ ଷଡ଼ଯନ୍ତ୍ର ଚଲାଇଛି। ପାକିସ୍ତାନୀ କମାଣ୍ଡୋମାନେ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି। କମାଣ୍ଡୋମାନେ ଜଳପଥ ଦେଇ ଗୁଜରାଟର କଚ୍ଛରେ ପହଞ୍ଚି ଅନୁପ୍ରବେଶ କରିବାକୁ ଯୋଜନା କରୁଥିବା ଗୋଇନ୍ଦା ସୂଚନା ମିଳିଛି। ଏହା ପରେ ନୂଆଦିଲ୍ଲୀରୁ ଗୁଜରାଟ ପର୍ଯ୍ୟନ୍ତ ହାଇଆଲର୍ଟ ଜାରି କରାଯାଇଛି। ଗୁଜରାଟର ସମସ୍ତ ବନ୍ଦରରେ ଆଲର୍ଟ ଜାରି ହୋଇଛି।
ଗୋଇନ୍ଦା ସୂଚନା ପରେ ଗୁଜରାଟର କାଣ୍ଡଲା ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ସହିତ ବିଏସଏଫ ଏବଂ ନୌସେନାକୁ ହାଇଆଲର୍ଟ ଜାରି ହୋଇଛି। ପାକିସ୍ତାନ ଦ୍ବାରା ପ୍ରଶିକ୍ଷିତ ଏସଏସଜି କମାଣ୍ଡୋ କିମ୍ବା ଆତଙ୍କବାଦୀ ଛୋଟ ଛୋଟ ଡଙ୍ଗା ଜରିଆରେ କଚ୍ଛର ଖାଡ଼ୀ ଏବଂ ସର କ୍ରିକ୍ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ ଚଳାଇଛନ୍ତି।
ସୂଚନା ଅନୁସାରେ, ପାକିସ୍ତାନର ଆତଙ୍କବାଦୀ ସଂଗଠନ କାଣ୍ଡଲାରେ ଏକ ଆତ୍ମଘାତୀ ଆକ୍ରମଣକୁ ଚୂଡ଼ାନ୍ତ ରୂପ ଦେଇପାରନ୍ତି। ଗୁଜରାଟର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସମସ୍ତ ସୁରକ୍ଷା ସଂସ୍ଥାର ଅଧିକାରୀମାନେ କାଣ୍ଡଲା ବନ୍ଦରରେ ପହଞ୍ଚିଛନ୍ତି ଏବଂ ସେଠାକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ତଟରକ୍ଷୀ ବାହିନୀ, ନୌସେନା, ସାମୁଦ୍ରିକ ପୁଲିସ ଏବଂ ସ୍ଥାନୀୟ ପୁଲିସ ଆଲର୍ଟ ରହିବା ସହିତ ଜରୁରୀ ପଦକ୍ଷେପ ନେଉଛନ୍ତି। ଗୁଜରାଟ ଉପକୂଳରେ ଥିବା ସମସ୍ତ ବନ୍ଦରରେ ସୁରକ୍ଷା ବଢ଼ାଇ ଦିଆଯାଇଛି।



