ଇସ୍ତଫା ପାଇଁ ଇମ୍ରାନକୁ ଦୁଇଦିନିଆ ମହଲତ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ଇମ୍ରାନ ଖାଁଙ୍କୁ ଦୁଇଦିନିଆ ମହଲତ ଦିଆଯାଇଛି। ପ୍ରମୁଖ ମୌଲବୀ ତଥା ରାଜନେତା ମୌଲାନା ଫଜଲୁର ରେହମାନଙ୍କ ନେତୃତ୍ବରେ ହୋଇଥିବା ଶୋଭାଯାତ୍ରା ‘ଆଜାଦି ମାର୍ଚ୍ଚ’ରେ ଉଦ୍‌ବୋଧନ ଦେଇ ଏହି ଦୁଇଦିନିଆ ମହଲତ ଦେଇଛନ୍ତି। ରେହମାନ କହିଛନ୍ତି ଯେ ଇମ୍ରାନ ବିକ୍ଷୋଭକାରୀଙ୍କ ଧୈର୍ଯ୍ୟ ପରୀକ୍ଷା ଲାଗି ଅପେକ୍ଷା ନ କରି ତୁରନ୍ତ ଇସ୍ତଫା ଦେବା ଦରକାର। ପାକିସ୍ତାନ ସେନାକୁ ପରୋକ୍ଷ ସମାଲୋଚନା କରି ସେ କହିଛନ୍ତି ଯେ ପାକିସ୍ତାନକୁ ଶାସନ କରିବା ଲାଗି କୌଣସି ଅନୁଷ୍ଠାନର ଅଧିକାର ନାହିଁ। ପାକିସ୍ତାନବାସୀ ହିଁ ପାକିସ୍ତାନର ଶାସକ। ଦେଶର ଅନୁଷ୍ଠାନଗୁଡିକ ମଧ୍ୟରେ ଆମେ ବିବାଦ ସୃଷ୍ଟି କରିବାକୁ ଚାହୁଁ ନାହୁଁ । ତେବେ ପ୍ରତ୍ୟେକ ଅନୁଷ୍ଠାନ ନିରପେକ୍ଷତା ଅବଲମ୍ବନ କରିବା ଦରକାର।
ରେହମାନଙ୍କ ଏପରି ବାର୍ତ୍ତା ପରେ ସେନା ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେନା ମୁଖପାତ୍ର ମେଜର ଜେନେରାଲ ଅସିଫ ଘଫୁର କହିଛନ୍ତି ଯେ ଦେଶରେ ଅସ୍ଥିରତା ସୃଷ୍ଟି ଲାଗି କାହାକୁ ସୁଯୋଗ ଦିଆଯିବ ନାହିଁ। ସେ କହିଛନ୍ତି ଯେ ଦେଶ ସୈନ୍ୟ ବାହିନୀ ନିରପେକ୍ଷତା ଅବଲମ୍ବନ କରିଆସୁଛି। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରର ନିର୍ଦେଶରେ କାର୍ଯ୍ୟ କରିବା ସେନାର କର୍ତ୍ତବ୍ୟ। ବିରୋଧୀ ଦଳର ଯଦି କୌଣସି ଆପତ୍ତି ଓ ଅଭିଯୋଗ ଥାଏ; ତେବେ ଏହା ଉପଯୁକ୍ତ ମାଧ୍ୟମରେ ଅଭିଯୋଗ କରିବା ଦରକାର। ଏଥିପାଇଁ କୌଣସି ପ୍ରକାର ବିକ୍ଷୋଭ, ଆନ୍ଦୋଳନକୁ ଅନୁମତି ଦିଆଯିବ ନାହିଁ। ସେନା ମୁଖପାତ୍ରଙ୍କ ଏପରି ମନ୍ତବ୍ୟ ଉପରେ ରେହମାନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିରୋଧୀ ଦଳଗୁଡିକ ଏକଜୁଟ ହୋଇ ପରବର୍ତ୍ତୀ ପଦକ୍ଷେପ ନେବେ। ଆଜାଦି ମାର୍ଚ୍ଚ ଉପରେ ପ୍ରତିକ୍ରିୟା ରଖି ଇମ୍ରାନ କହିଛନ୍ତି ଯେ ଦେଶର ଶତ୍ରୁଙ୍କୁ ଖୁସି କରିବାକୁ ଏପରି ଶୋଭାଯାତ୍ରା କରାଯାଇଛି। ଏପରି ବିରୋଧୀଙ୍କୁ ଦମନ କରିବା ଲାଗି ସମସ୍ତଙ୍କୁ ଜେଲ୍‌ରେ ଭର୍ତ୍ତି କରାଯିବ ବୋଲି ଇମ୍ରାନ ଧମକ ଦେଇଛନ୍ତି।

kalyan agarbati

Comments are closed.