ସେନା ଗାଡ଼ି ଆକ୍ରମଣ ପଛରେ ପାକ୍ ଆତଙ୍କବାଦୀ
ଆଶଙ୍କାରେ ବିଲାୱାଲଙ୍କ ଭାରତ ଗସ୍ତ
ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲାରେ ସେନା ଗାଡି ଉପରେ ହୋଇଥିବା ଗ୍ରେନେଡ ଆକ୍ରମଣ ଘଟଣାରେ ପାକିସ୍ତାନ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଥିବା ଗୁଇନ୍ଦା ବିଭାଗ କହିଛି। ଆକ୍ରମଣ ଘଟାଇଥିବା ଆତଙ୍କବାଦୀମାନେ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା ସଂଗଠନର ବୋଲି କୁହାଯାଇଛି। ଏହି ଦୁଇ ସଂଗଠନର ୭ ଆତଙ୍କବାଦୀ ଆକ୍ରମଣ ଘଟାଇଥିବାବେଳେ ଏମାନଙ୍କ ମଧ୍ୟରୁ ୩ଜଣ ପାକିସ୍ତାନୀ। ଜୈସ-ଇ-ମହମ୍ମଦ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍ଏଫ୍) ନିଜକୁ ଆକ୍ରମଣ ପାଇଁ ଦାୟୀ କରିଛି। ମାତ୍ର ଆକ୍ରମଣ ଯୋଜନାରେ ଅଲ-କାଏଦା ସହଯୋଗ କରିଛି। ଏହି ଆକ୍ରମଣ ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରୁ ଆତଙ୍କବାଦୀମାନେ ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିବା ରିପୋର୍ଟ ଉପରେ ଗୁଇନ୍ଦା ବିଭାଗ ତଦନ୍ତ ଚଳାଇଛି। ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଧରିବା ଲାଗି ବାଟା-ଦୋରିଆ ଅଞ୍ଚଳରେ ବ୍ୟାପକ ତଲାସ ଚାଲିଛି।
ତଲାସ ଅଭିଯାନରେ ସନ୍ଧାନୀ କୁକୁର ଓ ଡ୍ରୋନ ବ୍ୟବହାର କରାଯାଇଛି। ଘଟଣାସ୍ଥଳରେ ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦେଶକ ଦିଲ୍ବାଗ ସିଂହ, ଜାମ୍ମୁ ଡିଭିଜନର ଏଡିଜିପି ମୁକେଶ ସିଂହ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୫ ଯବାନ ହେଲେ ହାବିଲଦାର ମନଦୀପ ସିଂହ, ଲାନ୍ସ ନାଏକ ଦେବାଶିଷ ବିଶ୍ବାଳ, ଲାନ୍ସ ନାଏକ କୁଲୱନ୍ତ ସିଂହ, ସିପାହି ହରେକୃଷ୍ଣ ସିଂହ, ସିପାହି ସେବକ ସିଂହ। ଏହି ୫ ଯବାନଙ୍କ ମଧ୍ୟରୁ ଜଣେ ଓଡିଶାର ହୋଇଥିବାବେଳେ ଅନ୍ୟମାନେ ପଞ୍ଜାବର। ପଞ୍ଜାବ ସରକାର ସହିଦ ୪ ଯବାନଙ୍କ ପରିବାର ଲାଗି ୧କୋଟି ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଅନ୍ୟପଟେ ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ଆଗାମୀ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ସାଙ୍ଘାଇ ସମନ୍ବୟ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେବାକୁ ବିଲାୱାଲ ଆସନ୍ତା ମେ ୪ ଓ ୫ ତାରିଖରେ ଭାରତ ଆସିବାର ଯୋଜନା ରହିଛି।
ବିଲାୱାଲ ଭାରତ ଗସ୍ତରେ ଆସିବା ନେଇ ଗୁରୁବାର ପାକିସ୍ତାନ ସରକାର ସ୍ପଷ୍ଟ କରିଥିବାବେଳେ ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ଏହା ଉପରେ ଆଶଙ୍କା ସୃଷ୍ଟି କରିଛି। ସୂଚନାଯୋଗ୍ୟ ଗୁରୁବାର ଅପରାହ୍ଣରେ ମେନ୍ଧର ଉପଖଣ୍ଡର ବାଟା-ଦୋରିଆ ଅଞ୍ଚଳରେ ରାଷ୍ଟ୍ରୀୟ ରାଇଫଲ୍ଟର ଏକ ଗାଡି ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ। ଏଥିରେ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଫଳରେ ଗାଡିରେ ଥିବା ଯବାନଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ।
Comments are closed.