ସମାଜଲାଇଭ ଡେସ୍କ: ପ୍ରତ୍ୟେକ ଦେଶରେ ସରକାର ନିଜର ଆୟ ବୃଦ୍ଧି ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜନସାଧାରଙ୍କଠାରୁ ଟିକସ ଆଦାୟ କରିଥାନ୍ତି। କିନ୍ତୁ ପାକିସ୍ତାନ ସରକାର ଏବଂ ଜନସାଧାରଣ ଏଭଳି ଦୁର୍ଦ୍ଦିନରେ ଗତି କରୁଛନ୍ତି ଯେ, ନା ଜନତା ଆୟକର ଦେଇପାରୁଛନ୍ତି, ନା ସରକାର ଟିକସ ଆଦାୟ କରିପାରୁଛନ୍ତି। ତେଣୁ ଏବେ ପାକିସ୍ତାନ ସରକାର ଟିକସ ଆଦାୟ କରି ନିଜର ଆୟ ବୃଦ୍ଧି ପାଇଁ ନୂଆ ପନ୍ଥା ଆପଣାଇଛନ୍ତି। ସରକାର ସିଧାସଳଖ ଜନସାଧାରଣଙ୍କ ମୋବାଇଲ୍ ବାଲାନ୍ସରୁ ଟିକସ କାଟୁଥିବା ଜଣାପଡ଼ିଛି।
ସରକାରଙ୍କ ଏପରି ଆଭିମୁଖ୍ୟ ଦେଖି ଜନସାଧାରଣ ବି ସଜାଗ ହୋଇଯାଇଛନ୍ତି। ଭୟରେ ସେମାନେ ଆଉ ମୋବାଇଲ ରିଚାର୍ଜ କରୁନାହାନ୍ତି। ନିଜ ସିମ୍ ବଦଳାଇ ପିଲାମାନଙ୍କ ନାମରେ ସିମ୍ ବାହାର କରି ବ୍ୟବହାର କରୁଛନ୍ତି। ପିଲାଙ୍କ ନାମରେ ସିମ୍ ରହିଲେ ସରକାର ଆଉ ଟିକସ କାଟିପାରିବେ ନାହିଁ।
ମିଳିଥିବା ସୂଚନା ଅନୁସାରେ, ଟିକସ ଜମା କରୁ ନ ଥିବା ଲୋକ ମୋବାଇଲ୍ ରିଚାର୍ଜ କରିବା କ୍ଷଣି ସେଥିରୁ ୯୦ ପ୍ରତିଶତ ଅର୍ଥ ଟିକସ ବାବଦରେ କଟିଯାଉଛି। ବାକି ୧୦ ପ୍ରତିଶତ ରାଜସ୍ବ ବୋର୍ଡ ଖାତାକୁ ଚାଲିଯାଉଛି। ସେହିପରି ଯେଉଁ ବ୍ୟକ୍ତି ଦୀର୍ଘ ଦିନ ପର୍ଯ୍ୟନ୍ତ ଟିକସ ଭରୁନାହାନ୍ତି, ସେମାନଙ୍କ ସିମ୍ କାର୍ଡକୁ ବନ୍ଦ କରିଦିଆଯାଉଛି। ଏହାବ୍ୟତୀତ କୌଣସି ବ୍ୟକ୍ତି ନୂଆ ସିମ୍ କାର୍ଡ କିଣିଲେ ତାଙ୍କୁ ୯୦ ପ୍ରତିଶତ ଅତିରିକ୍ତ ଟିକସ ଦେବାକୁ ପଡ଼ୁଛି। ବର୍ତ୍ତମାନ ସୁଦ୍ଧା ଟେଲିକମ୍ ଅପରେଟରଙ୍କ ଦ୍ବାରା ୩୫୦୦ରୁ ଅଧିକ ସିମ୍ ବନ୍ଦ କରିଦିଆଯାଇଛି। ସେହିପରି ଟିକସ ନ ଦେଲେ ସିମ୍ କାର୍ଡ ବନ୍ଦ କରିଦିଆଯିବା ନେଇ ଫେଡେରାଲ ବୋର୍ଡ ଅଫ୍ ରେଭିନ୍ୟୁ ପକ୍ଷରୁ ୫୦୦୦ରୁ ଅଧିକ ଲୋକଙ୍କୁ ମେସେଜ ପଠାଯାଇଛି।



