ପାକିସ୍ତାନରେ ଇମ୍ରାନଙ୍କ ପିଟିଆଇ ୧୧୯ ଆସନରେ ଆଗୁଆ

0

ଇସଲାମାବାଦ: ପାକିସ୍ତାନ ପାର୍ଲାମେଣ୍ଟ (ସଂସଦ)ର ୨୭୨ ଆସନ ଓ ୪ଟି ପ୍ରଦେଶର ୫୭୭ ବିଧାନସଭା ଆସନ ନିମନ୍ତେ ବୁଧବାର ଭୋଟ ଗ୍ରହଣ ଶେଷ ହୋଇଛି। ମତଦାନ ଶେଷ ହେବା ପରେ ସନ୍ଧ୍ୟା ୭ଟା ପରଠାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନ ୧୦.୩୦ ସୁଦ୍ଧା ଭୋଟ ଗଣତି ଜାରି ରହିଥିବାବେଳେ ପୂର୍ବତନ କ୍ରିକେଟର ଇମ୍ରାନ ଖାଁଙ୍କ ନେତୃତ୍ୱ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ୧୧୯ଟି ଆସନରେ ଆଗୁଆ ରହିଛି। ସେହିପରି ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍‍ ଲିଗ୍‍-ନୱାଜ (ପିଏମ୍‍ଏଲ-ଏନ୍‍) ୬୩ଟି ଆସନ, ବିଲାୱାଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୩୮ଟି ଆସନରେ ଆଗୁଆ ରହିଛନ୍ତି। ଅନ୍ୟାନ୍ୟ ଦଳଗୁଡିକ ୫୦ଟି ଆସନରେ ଆଗୁଆ ରହିଛନ୍ତି। ଆଗୁଆ ଥିବା ଅନ୍ୟାନ୍ୟ ଦଳ ମଧ୍ୟରେ ୨୩ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ପିଏମ୍‍ଏଲ୍‍-ଏନ୍‍ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସାହାବାଜ ସରିଫ ୨୪୯ନମ୍ବର ସଂସଦୀୟ କ୍ଷେତ୍ର (କରାଚି ପଶ୍ଚିମ -୨)ରେ ୪୨୩୦ ଭୋଟରେ ଆଗୁଆ ଅଛନ୍ତି। ସେହିପରି ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ୨୦୦ନମ୍ବର ସଂସଦୀୟ କ୍ଷେତ୍ରରେ ୫୨୧୮ ଭୋଟରେ ଆଗୁଆ ଅଛନ୍ତି। ଇମ୍ରାନ ଖାଁ ୯୫ ନମ୍ବର ସଂସଦୀୟ କ୍ଷେତ୍ରରେ ୩୦୦୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ବାଲାଟ ପେପରରେ ହୋଇଥିବା ମତଦାନର ଭୋଟ ଗଣତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବେଳେ ସ୍ପଷ୍ଟ ଫଳାଫଳ ମିଳିପାରି ନାହିଁ।
୨୭୨ ଆସନ ବିଶିଷ୍ଟ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହାସଲ ଲାଗି ୧୩୭ଟି ଆସନ ଆବଶ୍ୟକ ଥିବାବେଳେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବା ନେଇ ଆଶଙ୍କା ଦେଖାଯାଇଛି। ଏକାଦଶ ପାର୍ଲାମେଣ୍ଟ ନିମନ୍ତେ ହୋଇଥିବା ମତଦାନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଜନମତ ସର୍ଭେରେ ମଧ୍ୟ କୁହାଯାଇଥିଲା। ଫଳରେ ଏକ ଝୁଲା ସଂସଦ ହେବାର ଆଶଙ୍କା ରହିଛି। ଇମ୍ରାନଙ୍କ ପିଟିଆଇ, ନୱାଜ ସରିଫଙ୍କ ପିଏମ୍‍ଏଲ-ଏନ୍‍ ଓ ବିଲାୱାଲ ଭୁଟ୍ଟୋଙ୍କ ପିପିପିକୁ ନେଇ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହା ସହିତ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ହାଫିଜ ସଇଦ ନେତୃତ୍ୱରେ ଗଠିତ ଦଳ ଆଲ୍ଲା-ଓ-ଆକବର ତେହରିକ (ଏଏଟି) ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏଏଟି ସଂସଦର ୯୧ଟି ଆସନ ଓ ବିଧାନସଭାର ୧୬୯ଟି ଆସନରେ ପ୍ରାର୍ଥୀ ଦେଇଛି। ତେବେ ଭୁଟ୍ଟୋଙ୍କ ଦଳ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଏଥିରୁ କୁହାଯାଇଛି।
ଘଟଣାବହୁଳ ନିର୍ବାଚନରେ ପାକିସ୍ତାନ ପିଟିଆଇ ମୁଖ୍ୟ ଇମ୍ରାନ୍‍ ଖାଁ ମତଦାନବେଳେ ଗୋପନୀୟତା ଆଇନ ଉଲ୍ଲଙ୍ଘନ କରିଥିବାରୁ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ଜାରି କରିଛନ୍ତି। ତାଙ୍କର ଭୋଟ ନାକଚ ହେବାର ଆଶଙ୍କା ରହିଛି। ଇମ୍ରାନଙ୍କ ବ୍ୟତୀତ ପିଏମଏଲ-ଏନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସାହାବାଜ ସରିଫ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ଖାୱାଜା ଆସିଫଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହିଛି। ଏହି ଦୁଇ ନେତା ସେମାନଙ୍କର ମତଦାନ ପରେ ଗଣମାଧ୍ୟମ ସହ ବାର୍ତ୍ତାଳପ କରିଥିଲେ। ମତଦାନ ପରେ ରାଜନେତାଙ୍କର ଗଣମାଧ୍ୟମ ସହ ଆଲୋଚନା ଓ କ୍ୟାମେରା ଆଗରେ ମତଦାନକୁ ନିର୍ବାଚନ ଆୟୋଗ ଗୁରୁତ୍ୱର ସହ ନେଇଛନ୍ତି। ମତଦାନ ପରେ ରାଜନେତାଙ୍କ ବୟାନକୁ ପ୍ରସାରଣ ନ କରିବା ଲାଗି ନିର୍ବାଚନ ଆୟୋଗ ଗଣମାଧ୍ୟମକୁ ନିର୍ଦେଶ ନେଇଛନ୍ତି।
ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ଦେଶବ୍ୟାପୀ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ୩,୫୦,୦୦୦ ସୈନ୍ୟ ମୁତୟନ କରାଯାଇଥିଲେ ମଧ୍ୟ ଏହା ହିଂସାକୁ ରୋକିପାରି ନାହିଁ। ବେଲୁଚିସ୍ତାନର କ୍ୱେଟ୍ଟାଠାରେ ମତଦାନ ଚାଲିଥିବାବେଳେ ବଡ଼ଧରଣର ବିସ୍ଫୋରଣ ଘଟି ୩୫ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୭୦ରୁ ଊଦ୍ଧ୍ୱର୍ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ବିସ୍ଫୋରଣର କିଛି ସମୟ ପୂର୍ବରୁ ଏକ ମୋଟରସାଇକଲ ଭୋଟ ଗ୍ରହଣ କେନ୍ଦ୍ର ବାହାରେ ଥିବା ଜନଗହଳି ମଧ୍ୟରେ ପ୍ରବେଶ କରିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ଭୋଟର ଅବ୍‍ଦୁଲ ହାଲିମ କହିଛନ୍ତି। ତେବେ ବେଲୁଚିସ୍ତାନସ୍ଥିତ ଭୋଟ୍‍ ଗ୍ରହଣ କେନ୍ଦ୍ରର ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କୁ ମଙ୍ଗଳବାର ଧମକ ମିଳିଥିଲା ବୋଲି ନିର୍ବାଚନ କମିସନରଙ୍କ ସଚିବ ବାବର ୟାକୁବ ପ୍ରକାଶ କରିଛନ୍ତି। ବିସ୍ଫୋରଣ ପରେ ସୁରକ୍ଷା ଦୃଷ୍ଟିକୋଣରୁ ନିର୍ବାଚନ କମିସନ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍‍ ଏବଂ ମୋବାଇଲ୍‍ ଫୋନ୍‍ ସେବା ବନ୍ଦ କରିଦେଇଛନ୍ତି। ଏହି ବିସ୍ଫୋରଣ ପୂର୍ବରୁ ପୂର୍ବାହ୍ଣରେ ଆତଙ୍କବାଦୀମାନେ ଏକ ସାମରିକ ଦଳ ଉପରକୁ ଗ୍ରେନେଡ୍‍ ମାଡ଼ କରିଥିଲେ। ଏଥିରେ ୪ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସେହିଭଳି ସାୱି ଅନ୍ତର୍ଗତ ଏକ ଗ୍ରାମର ଭୋଟଗ୍ରହଣ କେନ୍ଦ୍ର ବାହାରେ ରାଜନୈତିକ ଦଳଗୁଡିକର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

Leave A Reply