ପଦ୍ମଶ୍ରୀ ଗୁରୁ ଗୋପିନାଥ ସ୍ୱାଇଁଙ୍କୁ ମିଳିଲା ୩ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ଛତ୍ରପୁର: ପଦ୍ମଶ୍ରୀ ଗୁରୁ ଗୋପିନାଥ ସ୍ୱାଇଁଙ୍କ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟାର ଆଶୁ ଚିକିତ୍ସା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ସକାଶେ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୋମବାର ତିନି ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି । ସୂଚନା ଥାଉକି ଶ୍ରୀ ସ୍ୱାଇଁ ଗତକିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ସେ ହିଞ୍ଜିଳିକାଟୁ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ ଏବଂ ଏହାପରେ ଶେରଗଡ ଅନ୍ତର୍ଗତ ନିଜ ଗ୍ରାମ ଗୋବିନ୍ଦପୁର ଠାରେ ଅଛନ୍ତି । ଆର୍ଥିକ ସମସ୍ୟା ଯୋଗୁଁ ନିଜ ସ୍ୱାସ୍ଥ୍ୟର ଯତ୍ନ ସକାଶେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କ ପରିବାର ବର୍ଗଙ୍କ ସହିତ ଏହି ସମ୍ପର୍କରେ ଫୋନ ଯୋଗେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲାର ଶେରଗଡ ବ୍ଲକ ସ୍ଥିତ ଗୋବିନ୍ଦପୁର ବଡଦଣ୍ଡା ସାହି ନିବାସୀ ଶ୍ରୀ ସ୍ୱାଇଁ ଲୋକନାଟକ କୃଷ୍ଣଲୀଳାର ଗାୟକ ଭାବେ ସୁପ୍ରତିଷ୍ଠିତ । ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବାଦନ ଯୋଗଁ ତାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ କରାଯାଇଛି। ପଦ୍ମଶ୍ରୀ ଗୋପିନାଥ ସ୍ୱାଇଁଙ୍କ ସ୍ୱାସ୍ଥ୍ୟ ଜନିତ ଖବର ପାଇବା ପରେ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ତାଙ୍କ ଗ୍ରାମ ଗସ୍ତକରି ତାଙ୍କ ସ୍ୱାସ୍ଥ୍ୟଜନିତ ଖବର ବୁଝିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ଏହାପରେ ପଦକ୍ଷେପ ଗ୍ରହଣ କରାଯାଇ ଓଡିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲିପ ରାଉତରାୟ ହସ୍ତକ୍ଷେପ କରି ଯଥାଶୀଘ୍ର ଆର୍ଥିକ ଅନୁଦାନ ସକାଶେ ସମସ୍ତ ପ୍ରକାର ସହଯୋଗ କରିଥିଲେ ।
ବର୍ତ୍ତମାନ ତାଙ୍କ ବୟସ ୧୦୬ । ୧୯୧୮ ଫେବୁଆରୀ ୧୫ ଜନ୍ମ ଗ୍ରହଣ କରିଥିଲେ । ୧୦ ବର୍ଷ ବୟସରୁ ସେ କୃଷ୍ଣଲୀଳା ଶିଖିବା ଆରମ୍ଭ କରିଥିଲେ । ଚଳିତ ବର୍ଷ ଜାନୁଆରୀ ୨୬ ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ନାମ ଘୋଷଣା ହେବା ସହ ଅପ୍ରେଲ ୨୨ରେ ଗୁରୁ ଗୋପିନାଥ ସ୍ୱାଇଁ ଙ୍କୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଗୁରୁ ଗୋପିନାଥ ସ୍ୱାଇଁ ଗତ ୯ ଦଶନ୍ଧି ଧରି ପାରମ୍ପରିକ କୃଷ୍ଣଲୀଳାର ଜଣେ ଗୁରୁ ଓ କଳାକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୨୫ଶହ ଟଙ୍କା ଭତ୍ତା ମିଳୁଥିବା ଜିଲା ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.