ପଦ୍ମପୁର: ଅସନ୍ତୁଳିତ ପରିବେଶ ଓ ଯୋଗ ବିନା ଆମ ପରିବେଶ ଉପରେ ଓ ଆମ ଆଗାମୀ ପିଢ଼ି ଉପରେ ପଡିବା ପ୍ରଭାବରୁ କିପରି ବର୍ତ୍ତିବା ତା ଉପରେ ସଚେତନତା ବାର୍ତ୍ତା ପୁରା ଭାରତରେ ବାଣ୍ଟି ଚାଲିଛନ୍ତି କର୍ଣ୍ଣାଟକର ୨୯ ବର୍ଷୀୟ କୃଷ୍ଣ ନାୟକ । ସେ କର୍ଣ୍ଣାଟକ ରାଜ୍ୟରୁ ସାଥିରେ ତ୍ରିରଙ୍ଗା ଧରି ପାଦରେ ଚାଲି ଚାଲି ପୁରା ଭାରତ ବର୍ଷର ୨୮ ଟି ରାଜ୍ୟକୁ ଯାଇ ଯୋଗ ଓ ପରିବେଶ ସୁରକ୍ଷା ଦିଗରେ ବାର୍ତ୍ତା ପ୍ରଚାର ପାଇଁ ପ୍ରୟାସ ଆରମ୍ଭ କରି ଆଜି ରାୟଗଡ ଜିଲାର ପଦ୍ମପୁରରେ ପହଞ୍ଚିବା ପରେ ପଦ୍ମପୁର ସାମ୍ବାଦିକ ସଙ୍ଘ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ସେ ପଦ୍ମପୁର ପଞ୍ଚାୟତ କାର୍ଯ୍ୟାଳରେ ରାତ୍ରି ଯାପନ କରିଥିଲେ। ସକାଳୁ ଅଭ୍ୟାସ ଟେକନୋ ସ୍କୁଲକୁ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ଯୋଗ ଶିଖାଇଥିଲେ ଏବଂ ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଚାର କରିଥିଲେ।
କ୍ରିଷ୍ଣା ଏକ ଅନ୍ତର୍ଜାତୀୟ ଯୋଗ ଶିକ୍ଷକ। କର୍ଣ୍ଣାଟକରୁ ୨୦୨୨ ଅକ୍ଟୋବର ୧୬ ତାରିଖରୁ ବାହାରି ଏବେ ପର୍ଯ୍ୟନ୍ତ ଦୀର୍ଘ ୫ ମାସରେ ୭ ଟି ରାଜ୍ୟ କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ତେଲଙ୍ଗାନା ଓ ଓଡିଶାର ୪୦୦୦ କିଲୋମିଟର ଅତିକ୍ରମ କରିଛନ୍ତି। ଭାରତର ୨୦ ହଜ଼ାର କିଲୋମିଟର ପଦଯାତ୍ରା ସହ କ୍ରିଷ୍ଣା ଆଗାମୀ ୨ ବର୍ଷ ଯାଏ ସମ୍ପୂର୍ଣ୍ଣ ଭାରତକୁ ପାଦରେ ଚାଲି ଚାଲି ପରିକ୍ରମା କରିବେ। ପରିବେଶ ସୁରକ୍ଷା ଓ ଯୋଗ ସମ୍ବନ୍ଧରେ ସଚେତନତା ବାର୍ତ୍ତା ପ୍ରଚାର କରିବେବୋଲି ସୂଚନା ଦେଇଛନ୍ତି। ସେ ପ୍ରତିଦିନ ୩୦ ରୁ ୪୦ କିଲୋମିଟର ଚାଲୁଛନ୍ତି। ତାଙ୍କ ପଦଯାତ୍ରା ସମୟରେ ଯେଉଁ ସ୍କୁଲ ଓ କଲେଜ ନଜରକୁ ଆସେ ସେଠାରେ ସେ ଅଟକି ଯୋଗ, ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରିଥାନ୍ତି।
ଯାତ୍ରା ସମୟରେ ସ୍କୁଲ, ଅଫିସ, ମନ୍ଦିର ବା ପୁଲିସ ଥାନାରେ ରାତ୍ରି ଯାପନ କରନ୍ତି। ଓଡ଼ିଶାରେ ୧ ମାସର ପଦଯାତ୍ରା ପରେ ସେ କଲକାତା ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି। ଏହା ପୂର୍ବରୁ କ୍ରିଷ୍ଣା ମହୀଶୂରରୁ ବାରଣାସୀକୁ ପଦଯାତ୍ରା କରିସାରିଛନ୍ତି।



