ମହିଳାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ମାମଲା; ସ୍ୱାମୀ ଓ ଦେଢଶୁର ଗିରଫ

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ସହରର ଗିରିଧାରୀ ସାହିର ରାମଚନ୍ଦ୍ର ପାଢ଼ୀଙ୍କ ଘରେ ଘଟିଥିବା କିରୋସିନ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ଘଟଣାରେ ସ୍ୱାମୀ ଓ ଦେଢଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୁଲିସ। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ପଦ୍ମପୁର ଗିରିଧରି ସାହିର ବୋହୂ ରଶ୍ମିତା ପାଣିଗ୍ରାହୀଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ରଶ୍ମିତାଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିଲା। ଡାକ୍ତର ରଶ୍ମିତାଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁରରୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି। ସେପଟେ ପୋଡିଯାଇଥିବା ରଶ୍ମିତାଙ୍କର ବାପା ଓ ମାଆ ଝିଅକୁ କିରୋସିନ ଢାଳି ପୋଡ଼ି ମାରିବାକୁ ଉଦ୍ୟମ କରାଯାଇଥିବା ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ବାପା ଓ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ରଶ୍ମିତାଙ୍କ କହିବା ଅନୁଯାୟୀ ସ୍ୱାମୀ ରାମଚନ୍ଦ୍ର ପାଢ଼ୀ ଓ ଦେଢଶୁର ଗିରିଧାରୀ ପାଢ଼ୀଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରୁଥିଲା। ଘଟଣା ସ୍ଥଳରେ ଗୁଣପୁର ଏସଡିପିଓ ବିକାଶ ରଞ୍ଜନ ବେଉରା, ପଦ୍ମପୁର ଥାନା ଅଧିକାରୀ ରାଜେଶ ବଳିଆରସିଂ, ଏସଆଇ ପ୍ରଜ୍ଞା ନାୟକ ରାୟଗଡା ଜିଲ୍ଲାର ସାଇଣ୍ଟିଫିକ ଟିମ ଆସି ସ୍ୱାମୀ ରାମଚନ୍ଦ୍ରଙ୍କ ଘରେ ତଦନ୍ତ କରି ପୋଡି ହୋଇଥିବା କିଛି ଅଂଶକୁ ଜବତ କରିଛନ୍ତି। ଏହାସହ ସ୍ୱାମୀ ଓ ଦେଢଶୁରକୁ ଥାନାକୁ ଆଣି ପଚରାଉଚରା କରିଥିଲେ ଏବଂ ଆଜି ଉଭୟଙ୍କୁ ପଦ୍ମପୁର ପୁଲିସ ଗିରଫ କରି ଗୁଣୁପୁର କୋର୍ଟ ଚାଲାଣ କରିଛି ।

Comments are closed.