BJD Bijuli 480×75 Mob

ଦଳୀୟ ବିରୋଧୀଙ୍କୁ ମନାଇବା ପାଇଁ ଉଦ୍ୟମ

ପଦ୍ମପୁର ବିଧାନସଭା ଆସନ

BJD Bijuli 480×75 Mob

ବରଗଡ଼: ବରଗଡ଼ ଜିଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଭିନ୍ନ ଭିନ୍ନ ରଣକୌଶଳ ଆପଣାଇଥିବା ଲକ୍ଷ୍ୟ କରାଯାଉଛି। ବିଜେଡି ପଦପଦବୀ ମୋହ ଦେଖାଇ ଅସନ୍ତୁଷ୍ଟଙ୍କ ମାନଭଞ୍ଜନ କରୁଥିବାବେଳେ ବିଜେପି ଶକ୍ତି ପ୍ରଦର୍ଶନ କରି ବିରୋଧୀଙ୍କୁ ଚୁପ କରାଇଛି।

ବିଜେଡିର କିଛି ପୁରୁଣା ନେତା ବିଧାୟିକା ବର୍ଷା ସିଂବରିହାଙ୍କୁ ପ୍ରାର୍ଥୀ ନ କରିବାକୁ ପ୍ରବଳ କସରତ କରିଥିଲେ। ତେଣୁ ପଦ୍ମପୁର ଆସନରେ ବିଜେଡି ପ୍ରାର୍ଥୀଙ୍କ ନାମ ବହୁ ବିଳମ୍ବରେ ଘୋଷଣା କରାଯାଇଥିଲା। ଅବଶ୍ୟ ବିଜେଡି ବର୍ଷାଙ୍କ ଉପରେ ଭରସା କଲା। ବର୍ଷାଙ୍କୁ ଟିକଟ ଦିଆଯିବାରୁ ବିଜେଡିର ବିଦ୍ରୋହୀ ନେତା ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ମେଳି କରିଥିଲେ ଓ ବିଜେଡିକୁ ପରାସ୍ତ କରିବାକୁ ମସୁଧା କରିଥିଲେ।

ମାତ୍ର ବିରୋଧୀ ଗୋଷ୍ଠୀର ସେନାପତି ହୋଇଥିବା ପ୍ରୀତମ ମେହେରଙ୍କୁ ବଲାଙ୍ଗିର ଜିଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଂଯୋଜକ ନିଯୁକ୍ତ କରି ତାଙ୍କ ମାନଭଞ୍ଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଛିଡ଼ା ହେଉଥିବା ଆସନରେ ସେ ସଂଯୋଜକ ହୋଇଥିବାରୁ ପ୍ରୀତମ ଖୁସି। ସେ ପଦ୍ମପୁରରେ ରହି ବର୍ଷାଙ୍କୁ ବିରୋଧ କରିବା ସମ୍ଭାବନା ଆଉ ନାହିଁ କହିଲେ ଚଳେ। ବିଜେଡି ଏଭଳି ଭାବରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି।

ପ୍ରୀତମ ପଦ୍ମପୁରରେ ରହି ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ମେଳି କରିବା ଆଶଙ୍କା ଥିଲା। ନ ହେଲେ ସେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଦଳ ପାଇଁ ସମସ୍ୟା ସୃଷ୍ଟି କରିବା ଭୟ ମଧ୍ୟ ଥିଲା। ଏହି ଦୁଇ ସମ୍ଭାବନାକୁ କାଟିବା ପାଇଁ ପ୍ରୀତମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀକୁ ସଂଯୋଜକ କରି ପଠାଯାଇଛି। ପ୍ରୀତମଙ୍କୁ ପଦ୍ମପୁର ରାଜନୀତିରୁ ଦୂରେଇ ବର୍ଷାଙ୍କ ରାସ୍ତା ସଫା କରାଯାଇଛି।

ଅନ୍ୟ ପକ୍ଷରେ ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କୁ ଆଦିବାସୀ ସମାଜ ଓ ବୁଡ଼ି ଅଞ୍ଚଳରେ ବିରୋଧର ସମ୍ମୁଖୀନ କରାଯାଉଥିଲା। କିନ୍ତୁ ଗୋବର୍ଦ୍ଧନ ନାମାଙ୍କନ ପତ୍ର ଦାଖଲ ସମୟରେ ଯେଉଁ ଶକ୍ତି ପ୍ରଦର୍ଶନ କଲେ ଓ ଆଦିବାସୀ ନେତାମାନେ ଗୋଟିଏ ମଞ୍ଚରୁ ଯେଭଳି ରଣ ହୁଙ୍କାର ଦେଲେ ତାହା ବିଜେପି ପାଇଁ ଆଶୀର୍ବାଦ ଭଳି ​ହୋଇଛି।

ବୁଡ଼ି ଅଞ୍ଚଳରେ ନ ରହି ନିଜକୁ ବୁଡ଼ି ଅଞ୍ଚଳବାସୀ କହୁଥିବା କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଗୋବର୍ଦ୍ଧନଙ୍କୁ ପ୍ରାୟୋଜିତ ବିରୋଧ କରୁଛନ୍ତି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହେଲାଣି। ୨୦୧୪ ନିର୍ବାଚନରେ ଗୋବର୍ଦ୍ଧନ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ବିତା କରିଥିଲେ ସେତେବେଳେ ବୁଡ଼ି ଅଞ୍ଚଳବାସୀ ତାଙ୍କୁ ବିରୋଧ କରିନଥିଲେ। ଏଥର ସେ ବିଜେପି ପ୍ରାର୍ଥୀ ହୋଇଥିବାରୁ ମୁଷ୍ଟିମେୟ ଲୋକ ତାଙ୍କୁ ବିରୋଧ କରୁଛନ୍ତି।

ମାତ୍ର ନାମାଙ୍କନ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ ଓ ବିଶାଳ ଜନସଭା ପରେ ବିରୋଧୀ ସ୍ବର ଧୀମେଇ ଯାଇଛି। ପଦ୍ମପୁର ନିର୍ବାଚନରେ ବିଜେଡି- ବିଜେପି କଡ଼ା ମୁକାବିଲା ହେଉଥିବା ବେଳେ କଂଗ୍ରେସ ଘରସଜଡ଼ା ଆରମ୍ଭ କରିଛି। ତିନି ପ୍ରମୁଖ ଦଳ ଭୋଟରଙ୍କ ପାଇଁ ପରିଚିତ ହୋଇଥିବା ବେଳେ ପଦ୍ମପୁରରେ ଏଥର ଆମ ଆଦମୀ ପାର୍ଟି ଅସ୍ତିତ୍ବ ଜାହିର କରିବାକୁ ଚେଷ୍ଟା କରୁଛି।

Comments are closed.