ସମ୍ଭାବ୍ୟ ମରୁଡି ନେଇ ଚାଷୀକୂଳ ଆତଙ୍କିତ : ଜିଲାରେ ୫.୬ପ୍ରତିଶତ ଖରିଫ ଧାନ ଚାଷ
୧୦ବର୍ଷ ଧରି ଫାଇଲରେ ସୀମିତ ସାର ରେଳ ଗୋଦାମ ଗୃହ
କେନ୍ଦୁଝରଗଡ଼ : କଥାରେ ଅଛି ‘ଚାଷ ତର ତର ବଣିଜ ମଠ’। ଖରିଫ ଚାଷ ଆରମ୍ଭର ୩ମାସ ପରେ ଜୁଲାଇ ୧୩ ତାରିଖ ସୁଦ୍ଧା ଜିଲାରେ ମାତ୍ର ୫.୬ ପ୍ରତିଶତ ଖରିଫ ଧାନ ଚାଷ ଆରମ୍ଭ ହେବା ଏବେଠାରୁ ଚାଷୀକୂଳଙ୍କୁ ସମ୍ଭାବ୍ୟ ମରୁଡି ନେଇ ଆତଙ୍କିତ କରିଛି। ଆଦିବାସୀବହୁଳ କେନ୍ଦୁଝର ଜିଲାର ୮୦ ପ୍ରତିଶତରୁ ଅଧିକ ଲୋକ ଖରିଫ ଧାନଚାଷ ଉପରେ ସେମାନଙ୍କ ଜୀବନ ଜୀବିକା ନିର୍ବାହ କରିଥାନ୍ତି। ଜିଲାରେ ହାରାହାରି ବର୍ଷା ଅନୁପାତ ବର୍ଷକୁ ୧୪୮୭.୭ ମିମି. ଥିବାବେଳେ ବର୍ଷାଜଳ ଉପରେ ହିଁ ଜିଲାର କୃଷିକାର୍ଯ୍ୟ ନିର୍ଭରଶୀଳ। ଜିଲାର ମୋଟ ୮ଲକ୍ଷ ୩୧ ହଜାର ହେକ୍ଟର ଜମି ମଧ୍ୟରୁ ୧ଲକ୍ଷ ୧୦ହଜାର ୭୮୪ ହେକ୍ଟର ଜଳସେଚିତ ଓ ୧ଲକ୍ଷ ୮୭ହଜାର ୨୧୬ହେକ୍ଟର ଅଣଜଳସେଚିତ ଜମିକୁ ମିଶାଇ ମୋଟ ୨ଲକ୍ଷ ୯୮ହଜାର ହେକ୍ଟର ଜମିକୁ ଚଳିତବର୍ଷ ଖରିଫ ଚାଷ ପାଇଁ ଚିହ୍ନଟ କରାଯାଇଛି । ଚଳିତ ଖରିଫ ଋତୁରେ ୧ଲକ୍ଷ ୫୮ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇ ୪ଲକ୍ଷ ୫୯ହଜାର ୬୪୨ମେଟ୍ରିକ୍ ଟନ ଚାଉଳ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ତେବେ ଜୁଲାଇ ୧୩ ତାରିଖ ସୁଦ୍ଧା ଜିଲାରେ ୧୦.୦୭ପ୍ରତିଶତ ହାରରେ ୩୦୦୧୯ ହେକ୍ଟର ଜମିରେ ଖରିଫ ଚାଷ ହୋଇଥିବା ବେଳେ ୫.୬ ପ୍ରତିଶତ ହାରରେ ମାତ୍ର ୮୯୪୧ ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥିବା କୃଷି ବିଭାଗ ସୂତ୍ରରୁ ପ୍ରକାଶ।
ଜିଲାରେ ଚଳିତବର୍ଷ ଖରିଫ ଧାନଚାଷ ପାଇଁ ୮୮୦୬କ୍ୟୁଣ୍ଟାଲ ବିହନ ଆବଶ୍ୟକ ଥିବାବେଳେ ଜୁଲାଇ ୧୩ ତାରିଖ ସୁଦ୍ଧା ୪୮୫୦ କ୍ୟୁଣ୍ଟାଲ ଧାନ ବିହନ ଯୋଗାଇ ଦିଆଯାଇଛି । ସେହିପରି ଜିଲାରେ ଖରିଫ ଚାଷ ପାଇଁ ମୋଟ ୨୮୪୫୦ ମେଟ୍ରିକ୍ ଟନ ସାର ଆବଶ୍ୟକତା ଥିବାବେଳେ ଜୁଲାଇ ୧୦ ତାରିଖ ସୁଦ୍ଧା ୧୪୦୫୧ ମେଟ୍ରିକ୍ ଟନ ସାର ଯୋଗାଣ ହୋଇପାରିଛି । ଜିଲାରେ ଖରିଫ ଚାଷ ପାଇଁ ଉଦ୍ଦିଷ୍ଟ ୨ଲକ୍ଷ ୯୮ହଜାର ହେକ୍ଟର ଜମି ମଧ୍ୟରୁ ସାଳନ୍ଦୀ ହଦଗଡ଼ ବୃହତ ଜଳଭଣ୍ଡାର, କାଣୀଝରୀ ଓ ରେମାଳ ଦୁଇଟି ମଧ୍ୟମ ଜଳଭଣ୍ଡାର,୧୩୭ଟି କ୍ଷୁଦ୍ର ଜଳସେଚନ, ୯୨୫ଟି ଉଠାଜଳସେଚନ ପଏଣ୍ଟ, ୫୫୫୦ଟି ବୋରୱେଲ, ୨୧,୫୫୬ଟି ଡଗୱେଲ, ୨୦୪ଟି ବର୍ଷାଜଳ ସଂରକ୍ଷଣ ଭଣ୍ଡାର ଏବଂ ପମ୍ପ ଯୋଗେ ବିଭିନ୍ନ ଜଳାଶୟରୁ ଚାଷଜମିକୁ ଜଳସେଚନ ମିଶାଇ ମୋଟ ୧ଲକ୍ଷ ୧୦ହଜାର ୭୮୪ ହେକ୍ଟର ଜମିକୁ ଖରିଫ ଚାଷ ନିମନ୍ତେ ଜଳସେଚନ ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ହଦଗଡ଼ସ୍ଥିତ ସାଳନ୍ଦୀ ବୃହତ ଜଳସେଚନ ପ୍ରକଳ୍ପର ଡ଼ାହାଣ ପଟ କେନାଲ ଯୋଗେ ହାଟଡ଼ିହି ଅଞ୍ଚଳର ୧୧୬୩୨ହେକ୍ଟର, କାଣୀଝରି ଓ ରେମାଳ ମଧ୍ୟମ ଜଳ ସେଚପ୍ରକଳ୍ପ ଯୋଗୁଁ ୧୫୬୦୮ ହେକ୍ଟର ଚାଷଜମିକୁ ଖରିଫଚାଷ ନିମନ୍ତେ ଜଳଯୋଗାଣ ବ୍ୟବସ୍ଥା ଥିବାବେଳେ ଜିଲାର ଅବଶିଷ୍ଟ ସମସ୍ତ ଚାଷଜମି ପ୍ରାୟତଃ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ ଜିଲାରେ ସମ୍ଭାବ୍ୟ ମରୁଡି ନେଇ ଚାଷୀ ଶଙ୍କାଗ୍ରସ୍ତ ହୋଇ ରହୁଛନ୍ତି। ଅପ୍ରେଲ ମାସରେ ୪୨.୨ ମି.ମି ଆବଶ୍ୟକ ବର୍ଷା ମଧ୍ୟରୁ ୬୮.୪୪ମି.ମି., ମେ’ ମାସରେ ୯୪.୮ ମି.ମି. ଆବଶ୍ୟକ ବର୍ଷା ମଧ୍ୟରୁ ୬୦.୮୩ ଓ ଜୁନ ମାସରେ ୨୪୧.୪ ମି.ମି. ଆବଶ୍ୟକ ବର୍ଷା ମଧ୍ୟରୁ ୨୧୨.୦୮ମି.ମି. ବର୍ଷା ହୋଇଥିବା ବେଳେ ଜୁଲାଇ ୧୮ ତାରିଖ ସୁଦ୍ଧା ଆବଶ୍ୟକ ୧୮୪.୬୫ ମି.ମି. ବର୍ଷା ମଧ୍ୟରୁ ମାତ୍ର ୧୨୮.୨୪ମି.ମି. ୩୦ପ୍ରତିଶତ ସ୍ୱଳ୍ପ ବୃଷ୍ଟିପାତ ହେବା ଜିଲାରେ ଖରିଫ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।
ବଲାଣିରୁ କେନ୍ଦୁଝର ମଧ୍ୟରେ ୯ଟି ରେଳ ସାଇଡିଂ ଦ୍ୱାରା ଜିଲାରୁ ରେଳ ଯୋଗେ ରାଜ୍ୟ ଓ ରାଜ୍ୟ ବାହାରକୁ ଖଣିଜସମ୍ପଦ ପରିବହନ କରି ରେଳବାଇ ବର୍ଷକୁ ହଜାର ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରୁଥିବା ବେଳେ ଜିଲା ଚାଷୀଙ୍କୁ ରେଳ ଯୋଗେ ସାର ଯୋଗାଣ ନେଇ ଏପର୍ଯ୍ୟନ୍ତ ଗୋଟିଏ ହେଲେ ରେଳ ଗୋଦାମ ଗୃହ କାର୍ଯ୍ୟକ୍ଷମ ହୋଇନପାରିବା ରେଳବାଇର ଲାଭଖୋର ମନୋଭାବ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ଜିଲାରେ ଖରିଫ ଧାନ ଚାଷ ପାଇଁ ପ୍ରଚୁର ପରିମାଣର ସାର ଆବଶ୍ୟକତା ଥିବାବେଳେ କେନ୍ଦୁଝର ଜିଲାରେ ରେଳ ଗୋଦାମ ଗୃହ ନଥିବାରୁ ରାଇରଙ୍ଗପୁର, ଧାନମଣ୍ଡଳ, ଭଦ୍ରକ ଓ ଯାଜପୁରରୋଡ ଆଦି ଷ୍ଟେସନରୁ ସାର ଜିଲାକୁ ଟ୍ରକ ଯୋଗେ ପରିବହନ ହେଉଥିବା କାରଣରୁ ଜିଲାକୁ କମ୍ ପରିମାଣର ସାର ଯୋଗାଣ ସହ ଚାଷୀଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡୁଛି । ରେଳ ଗୋଦାମ ଗୃହ ନଥିବାରୁ ଜିଲାକୁ ଟ୍ରକ ଯୋଗେ ଆବଶ୍ୟକ ସାର ଯୋଗାଣ ହୋଇ ପାରୁନଥିବାରୁ ଗତ ୧୦ବର୍ଷରୁ ଅଧିକ ସମୟ ଧରି ଖରିଫ ଧାନଚାଷ ସମୟରେ ସାର ବ୍ୟବସାୟୀଙ୍କ କଳାବଜାରୀ ଚାଷୀଙ୍କ ମାନଦଣ୍ଡକୁ ଦୋହଲାଇ ଦେଇଛି। ଜିଲାର ନରଣପୁର ଷ୍ଟେସନ ଠାରେ ଗୋଦାମ ଗୃହ ପ୍ରତିଷ୍ଠା ସାଙ୍ଗକୁ କାର୍ଯ୍ୟକ୍ଷମ ପାଇଁ ଜିଲା ପ୍ରଶାସନ ପକ୍ଷରୁ ରେଳ ବିଭାଗକୁ ୧୦ବର୍ଷ ଧରି ଚିଠି ଲେଖି ଅନୁରାଧ କରାଯାଇ ଆସୁଥିଲେ ହେଁ ତାହା କେବଳ ଫାଇଲରେ ସୀମିତ ରହିବା ଚାଷୀଙ୍କୁ ନିରାଶ କରିଛି।
ଚାଷ ଜମିକୁ ଜଳସେଚନର ଅଭାବ, ଅନିୟମିତତା ବର୍ଷା, ସଠିକ ସମୟରେ ସାର ଓ ବିହନ ଯୋଗାଣ ହୋଇନପାରିବା ଏବଂ ଖଣି ଓ ଶିଳ୍ପରେ ଭରପୁର ଜିଲାରେ ଚାଷ କାର୍ଯ୍ୟ ପାଇଁ ଠିକଣା ସମୟରେ ଶ୍ରମିକ ନମିଳିବା ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଏଭଳିସ୍ଥିତିରେ ଜିଲାକୁ କୃଷି କ୍ଷେତ୍ରରେ ସବୁଜ ବିପ୍ଲବ ଆଣିବାକୁ ହେଲେ ନିର୍ମାଣାଧିନ କାନପୁର ବୃହତ ଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ ସହ କେନ୍ଦୁଝରଗଡ କିମ୍ବା ନରଣପୁର ରେଳ ଷ୍ଟେସନରେ ପ୍ରସ୍ତାବିତ ରେଳ ଗୋଦାମ ଗୃହକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଚାଷୀଙ୍କୁ ଠିକଣା ସମୟରେ ବିହନ ଓ ସାର ଯୋଗାଇ ଦେବାକୁ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଦାବି କରିଛନ୍ତି।
Comments are closed.