ନୂଆଦିଲ୍ଲୀ: ଶନିବାର ହିନ୍ଦୀ ଦିବସରେ ଭାଷାକୁ ନେଇ ରାଜନୈତିକ ମତଭେଦ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ‘ଗୋଟିଏ ଦେଶ, ଗୋଟିଏ ଭାଷା’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଡିଏମକେ ଏହାକୁ କଡ଼ା ସମାଲୋଚନା କରିଥିବାବେଳେ ଏଆଇଏମଆଇଏମ ମୁଖ୍ୟ ଆସାଉଦ୍ଦିନ ଓୱେସୀ ମଧ୍ୟ କଡ଼ା ଜବାବ ଦେଇଛନ୍ତି। ସେ ଟ୍ବିଟ କରି କହିଛନ୍ତି, ହିନ୍ଦୀ, ହିନ୍ଦୁ ଏବଂ ହିନ୍ଦୁତ୍ଵଠାରୁ ଭାରତ ହେଉଛି ବହୁତ ବଡ଼। ହିନ୍ଦୀ ପ୍ରତି ଭାରତୀୟଙ୍କ ମାତୃଭାଷା ନୁହେଁ। ଦେଶର ବିଭିନ୍ନ ଅଞ୍ଚଳରେ ରହିଥିବା ମାତୃଭାଷାର ବିବିଧତା ଏବଂ ସୌନ୍ଦର୍ଯ୍ୟକୁ ଆପଣ ପ୍ରଶଂସା କରିପାରିବେ କି ? ଭାରତୀୟ ସମ୍ବିଧାନର ଧାରା ୨୯ ପ୍ରତି ଭାରତୀୟଙ୍କୁ ପୃଥକ୍ ଭାଷା, ଲିପି ଏବଂ ସଂସ୍କୃତିର ଅଧିକାର ଦେଇଛି ବୋଲି ଓୱେସୀ ଟ୍ବିଟ୍ କରିଛନ୍ତି।
ସୂଚନାଯୋଗ୍ୟ, ହିନ୍ଦୀ ଦିବସରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ଏକାଧିକ ଟ୍ବିଟ୍ କରି ଭାରତୀୟମାନଙ୍କୁ ହିନ୍ଦୀ ଭାଷାର ବ୍ୟବହାର ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ବଲ୍ଲଭଭାଇଲ ପଟେଲଙ୍କ ସ୍ବପ୍ନକୁ ସାକାର କରିବା ଲାଗି ନିଜର ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ଭାଷା ବ୍ୟବହାର କରିବାକୁ ଶାହ କହିଛନ୍ତି। ଆଉ ଏକ ଟ୍ବିଟ୍ରେ ଶାହ କହିଛନ୍ତି, ଭାରତ ହେଉଛି ବିଭିନ୍ନ ଭାଷାର ଗନ୍ତାଘର। ପ୍ରତି ଭାଷାର ନିଜସ୍ବ ଗୁରୁତ୍ଵ ରହିଛି। କିନ୍ତୁ ଏହା ବେଶୀ ଗୁରୁତ୍ଵପୂର୍ଣ୍ଣ ଯେ ସାରା ଦେଶର ଗୋଟିଏ ଭାଷା ରହିବା ଉଚିତ, ଯାହା ବିଶ୍ଵ ଦରବାରରେ ଭାରତର ପରିଚୟ ବହନ କରିବ।



