ବାୟୁ ପ୍ରଦୂଷଣ ଅସମ୍ଭାଳ: ସଙ୍କଟରେ ୬୦୦କୋଟି ଲୋକଙ୍କ ଜୀବନ

0

ଜେନେଭା: ବାୟୁ ପ୍ରଦୂଷଣ ସ୍ଥର ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଜାତିସଙ୍ଘ ବିଶେଷଜ୍ଞ ଡେଭିଡ ବଏଡ଼ଙ୍କ ଏ ସମ୍ପର୍କିତ ରିପୋର୍ଟ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ୬୦୦କୋଟିରୁ ଉର୍ଦ୍ଧ୍ୱ ଲୋକ ନିଶ୍ୱାସରେ ପ୍ରଦୂଷିତ ବାୟୁ ଗ୍ରହଣ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। କେବଳ ସେତିକି ନୁହେଁ, ସେମାନଙ୍କ ମଧ୍ୟରୁ ନିଶ୍ୱାସରେ ପ୍ରଦୂଷିତ ବାୟୁ ଗ୍ରହଣ କରୁଥିବା ଶିଶୁଙ୍କ ସଂଖ୍ୟା ୨୦୦ କୋଟି। ଡେଭିଡ କହିଛନ୍ତି, ବାୟୁ ପ୍ରଦୂଷଣ ଏକ ନୀରବ ହତ୍ୟାକାରୀ ଯାହାର ପ୍ରଭାବରେ ପ୍ରତିବର୍ଷ ୬ଲକ୍ଷ ଶିଶୁଙ୍କ ସମେତ ୭୦ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି। ଜାତିସଙ୍ଘ ବିଶେଷଜ୍ଞ ଜେନେଭା ମାନବିକ ଅଧିକାର ସଙ୍ଗଠନକୁ କହିଛନ୍ତି ଯେ ଦୁର୍ଭିକ୍ଷ, ଦୁର୍ବିପାକ ଏବଂ ମହାମାରୀରେ ହେଉଥିବା ମୃତ୍ୟୁ ଭଳି ଯଦିଓ ଏହି ମୃତ୍ୟୁ ଅଚାନକ ଆସେ ନାହିଁ କିନ୍ତୁ ଏହା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ନିଶ୍ୱାସରେ ପ୍ରଦୂଷିତ ବାୟୁ ଗ୍ରହଣ କରିବା ଯୋଗୁ କର୍କଟ, ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଓ ହୃଦ ରୋଗରେ ବହୁ ବର୍ଷ ପୀଡିତ ହେବାଫଳରେ ଏବେ ପ୍ରାୟ ପ୍ରତି ଘଣ୍ଟାରେ ୮୦୦ଜଣଙ୍କ ମୃତ୍ୟୁ ହେଉଥିବା ରିପୋର୍ଟରୁ ଜଣାପଡିଛି। ଏଯାବତ ୧୫୫ଟି ଦେଶ ପକ୍ଷରୁ ସ୍ୱାସ୍ଥ୍ୟକର ପରିବେଶ ପାଇଁ ସ୍ଵଛ ବାୟୁ ଉପଲବ୍ଧ କରାଇବା ମୌଳିକ ଅଧିକାର ରୂପେ ଗ୍ରହଣ କରାଯାଇଥିବା ବେଳେ ଏହାକୁ ସାରା ବିଶ୍ୱରେ ଗ୍ରହଣ କରିବା ଆବଶ୍ୟକ ବୋଲି ଜାତିସଙ୍ଘ ବିଶେଷଜ୍ଞ ଡେଭିଡ ବଏଡ଼ କହିଛନ୍ତି। ଅତ୍ୟଧିକ ଶିଳ୍ପ ବର୍ଜ୍ୟ ବସ୍ତୁ ନିର୍ଗମନ, ପରିବହନ ଓ କୋଇଲା ପୋଡିବା ଦ୍ୱାରା ବାୟୁ ପ୍ରଦୂଷଣ ସ୍ଥର ବୃଦ୍ଧି ପାଉଥିବା ସେ କହିଛନ୍ତି।

Leave A Reply