ନୂଆଦିଲ୍ଲୀ : ଚଳିତ ୨୦୨୦-୨୧ ଖରିଫ୍ ଋତୁରେ ଦେଶରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, କେରଳ, ଉତ୍ତରାଖଣ୍ଡ୍, ତାମିଲ୍ନାଡ଼ୁ, ଚଣ୍ଡିଗଡ଼, ଜମ୍ମୁ ଓ କାଶ୍ମୀର ଏବଂ ଗୁଜରାଟରେ ଧାନ ସଂଗ୍ରହ କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ଉପଭୋକ୍ତା, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ଏପର୍ଯ୍ୟନ୍ତ ୧୯୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗୃହୀତ ହୋଇଛି। ଏହା ଗତବର୍ଷ ତୁଳନାରେ ୨୩.୪୩ ପ୍ରତିଶତ ଅଧିକ। ଗତ ବର୍ଷ ଏହି ସମୟରେ ୧୫୯ ଲକ୍ଷ ୭୬ ହଜାର ଟନ୍ ଧାନ ସଂଗୃହ ହୋଇଥିଲା।
ଚଳିତ ବର୍ଷ ଏପର୍ଯ୍ୟନ୍ତ ହୋଇଥିବା ଧାନ ସଂଗ୍ରହ ମଧ୍ୟରେ କେବଳ ପଞ୍ଜାବରୁ ୧୩୬ ଲକ୍ଷ ୪୭ ହଜାର ମେଟ୍ରିକ୍ ଟନ୍ ଧାନ ସଂଗୃହୀତ ହୋଇଛି, ଯାହାକି ମୋଟ୍ ପରିମାଣର ୬୯.୨୧ ପ୍ରତିଶତ। ଏହି ସମୟ ମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୬ ଲକ୍ଷ ୬୨ ହଜାର କୃଷକଙ୍କୁ ୩୭ ହଜାର ୨୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କହିଛି।
ବିଭିନ୍ନ ରାଜ୍ୟରୁ ମିଳିଥିବା ପ୍ରସ୍ତାବ ଅନୁଯାୟୀ ୪୫ ଲକ୍ଷରୁ ଊର୍ଦ୍ଧ୍ବ ମେଟ୍ରିକ୍ ଟନ୍ ଡାଲି ଏବଂ ତୈଳବୀଜ ଜାତୀୟ ଶସ୍ୟ ସଂଗ୍ରହ କରାଯିବ। ପ୍ରସ୍ତାବ ଦେଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲ୍ନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲଙ୍ଗାନା, ଗୁଜୁରାଟ୍, ହରିୟାଣା, ଉତ୍ତରପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶ ରହିଛି।



