ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳ କୁରାମ ଜିଲାରେ ସୁନ୍ନି ଏବଂ ଶିଆ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକାଧିକ ଥର ଯୁଦ୍ଧବିରତି ଆଣିବାକୁ ପ୍ରଶାସନ ଉଦ୍ୟମ କରିଥିଲେ ହେଁ ସେଥିରେ ବିଫଳ ହୋଇଛି। ଗତ ୧୦ ଦିନ ମଧ୍ୟରେ ଏହି ଜିଲାରେ ହିଂସା ଯୋଗୁ ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ହେଲେ ଏହି ସଂଖ୍ୟା ଢେର ଅଧିକ ବୋଲି ଜଣାପଡ଼ିଛି।
ଆଫଗାନିସ୍ତାନ ସୀମାକୁ ଲାଗି ରହିଛି କୁରାମ ଜିଲା। ଏଠାରେ ଦଶନ୍ଧିରୁ ଅଧିକ ସମୟ ଧରି ସୁନ୍ନି ଏବଂ ଶିଆ ମୁସଲମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଆସିଛି। ହେଲେ ନିକଟରେ ଏହି ଉତ୍ତେଜନା ହିଂସାରେ ପରିଣତ ହୋଇଛି। ଜିଲା ପ୍ରଶାସନ ଏବଂ ଅନ୍ୟ ସଂଗଠନଗୁଡ଼ିକ ପକ୍ଷରୁ ହିଂସା ରୋକିବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ତାହା ସଫଳ ହେଉନାହିଁ ଜଣେ ଅଧିକାରୀ ଓ୍ବାଜିଦ ହୁସେନ କହିଛନ୍ତି।



