MEllora 950×100

ବୋଲରଙ୍କ ଚମତ୍କାର ପ୍ରଦର୍ଶନ ; ଓଭାଲ୍‌ ଟେଷ୍ଟରେ ଭାରତ ୧୫୭ ରନ୍‌ରେ ବିଜୟୀ

୫୦ ବର୍ଷ ପରେ ଓଭାଲ୍‌ରେ ଭାରତର ବିଜୟ, କୋହଲି ବାହିନୀ ୨-୧ରେ ଆଗୁଆ, ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ଓଭାଲ୍‌,: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସୋମବାର ଘରୋଇ ଇଂଲଣ୍ଡକୁ ୪ର୍ଥ ଟେଷ୍ଟମ୍ୟାଚ୍‌ରେ ୧୫୭ ରନ୍‌ରେ ଭାରତ ପରାସ୍ତ କରିଛି। ଫଳରେ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ହୋଇଛି। ଯଶପ୍ରୀତ ବୁମ୍‌ରା ଓ ରବୀନ୍ଦ୍ର ଜାଡ଼େଜା ଇଂଲଣ୍ଡର ମଧ୍ୟକ୍ରମକୁ ଧ୍ବସ୍ତ କରିବାରୁ ଘରୋଇ ଦଳ ପରାଜୟ ବରଣ କରିଥିଲା। ୨ୟ ଇନିଂସରେ ଇଂଲଣ୍ଡ କଷ୍ଟସାଧ୍ୟ ୩୬୮ ରନ୍‌ର ପିଛା କରିଥିବା ବେଳେ ସୋମବାର ୫ମ ତଥା ଅନ୍ତିମ ଦିନର ଚା’ପାନ ବିରତି ପରେ ଇଂଲଣ୍ଡ ୨୧୦ ରନ୍‌କରି ସମସ୍ତ ୱିକେଟ ହରାଇଥିଲା। ଦୁଇ ଓପ୍‌ନରଙ୍କୁ ଛାଡ଼ି ଇଂଲଣ୍ଡର କେହି ଜଣେ ଅର୍ଦ୍ଧଶତକ ମଧ୍ୟ ହାସଲ କରି ପାରିନଥିଲେ। ଏହାସହ ୫୦ ବର୍ଷ ପରେ ଓଭାଲ୍‌ ପଡ଼ିଆରେ ଭାରତ ଟେଷ୍ଟମ୍ୟାଚ୍ ଜିତିପାରିଛି। ୧୯୭୧ରେ ଓଭାଲ୍‌ରେ ଅଜିତ ୱାଦେକରଙ୍କ ନେତୃତ୍ବରେ ଇଂଲଣ୍ଡକୁ ଟେଷ୍ଟମ୍ୟାଚ୍‌ ଭାରତ ପରାସ୍ତ କରିଥିଲା। ଏହାପରେ ଓଭାଲ୍‌ରେ ଭାରତ ୮ଟି ଟେଷ୍ଟମ୍ୟାଚ୍‌ ଖେଳି ଜିତି ପାରିନଥିଲା। ଶୃଙ୍ଖଳାର ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଆସନ୍ତା ଶୁକ୍ରବାରଠାରୁ ମାଞ୍ଚେ​ଷ୍ଟରରେ ଖେଳାଯିବ।
ପ୍ରଥମ ଇନିଂସରେ ୯୯ ରନ୍ ପଛରେ ରହିବା ସତ୍ତ୍ବେ ଭାରତୀୟ ଦଳ ବିଜୟୀ ହେବା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ। ୫ମ ଦିନ ପିଚ୍‌ରେ ୩୬୮ ରନ୍‌ର ପିଛାକରିବା ଇଂଲଣ୍ଡ ପାଇଁ ନିଶ୍ଚୟ କଷ୍ଟସାଧ୍ୟ ଥିଲା। ୪ର୍ଥ ଦିନ ଶେଷରେ ଇଂଲଣ୍ଡ ବିନା ୱିକେଟରେ ୭୭ ରନ୍ କରିଥିଲା। ୫ମ ଦିନ ଆରମ୍ଭରୁ ଇଂଲଣ୍ଡର ଦୁଇ ଓପ୍‌ନର ହସିବ୍ ହମିଦ୍ ଓ ରୋରି ବର୍ନସ ଦଳର ସ୍କୋର୍‌କୁ ୧୦୦ ରନ୍‌ରେ ପହଞ୍ଚାଇ ଥିଲେ। ଏହିକ୍ରମରେ ଦୁହେଁ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ପରେ ଆଉ ୧୧୦ ରନ୍‌ରେ ଇଂଲଣ୍ଡ ୧୦ଟିଯାକ ୱିକେଟ ହରାଇଥିଲା। ରୋରି ବର୍ନସ ୫ଟି ଚୌକା ସହ ୫୦ ରନ୍‌କରି ଆଉଟ ହୋଇଥିଲେ। ପରେ ଡାୱିଡ୍‌ ମଲାନ୍ ୫ ରନ୍‌କରି ରନ୍‌ଆଉଟ ହୋଇଥିଲେ। ହସିବ୍ ହମିଦ୍ ୬ଟି ଚୌକା ସହ ୬୩ ରନ୍‌କରି ରବୀନ୍ଦ୍ର ଜାଡ଼େଜାଙ୍କ ଚମତ୍କାର ବଲ୍‌ରେ ବୋଲ୍‌ଡ ହୋଇଥିଲେ। ୫ମ ଦିନରେ ପିଚ୍ ଶୁଖିଲା ଥିବା ବେଳେ ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜାଙ୍କୁ ଏଥିରୁ ସହାୟତା ମିଳିଥିଲା। ୨ଟି ମାରାତ୍ମକ ବଲ୍‌ରେ ଓଲି ପୋପ୍ (୨) ଓ ଜନି ବେୟାର‌େ‌ଷ୍ଟା (୦)ଙ୍କୁ ଯଶପ୍ରୀତ ବୁମ୍‌ରା କ୍ଲିନ୍ ବୋଲ୍‌ଡ କରିବା ପରେ ଭାରତର ବିଜୟ ଆଶା ସଞ୍ଚାର ହୋଇଥିଲା। ଭାରତର ବିଜୟ ରାସ୍ତାରେ ଶେଷ କଣ୍ଟା ଥି​ଲେ‌ ଅଧିନାୟକ ଜୋ ରୁଟ୍‌। ପ୍ରଥମ ୩ଟି ଟେଷ୍ଟରେ ୩ଟି ଶତକ ମାରିଥିବା ରୁଟ୍‌ ଏଥର ବିଫଳ ହୋଇ ୩ଟି ଚୌକା ସହ ୩୬ ରନ୍‌କରି ସାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ବୋଲ୍‌ଡ ହୋଇଥିଲେ। ପରେ ଭାରତର ବିଜୟ ଔପଚାରିକତା ହୋଇ ଯାଇଥିଲା। ଇଂଲଣ୍ଡ ନିୟମିତ ଭାବେ ୱିକେଟ ହରାଇଥିଲା। ମୋଇନ୍ ଅଲୀ ୦, କ୍ରିସ୍ ୱକ୍‌ସ ୧୮ ଏବଂ ଓଲି ରବିନ୍‌ସନ ଓ କ୍ରେଗ୍ ଓଭର୍ଟନ ୧୦ ରନ୍‌ ଲେଖାଏଁ କରିଥିଲେ। ଉମେଶ ଯାଦବ ୩ଟି ଏବଂ ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମ୍‌ରା ଓ ସାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ୱିକେଟ ନେଇଥିଲେ। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ରୋହିତ ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.