ଭୁବନେଶ୍ବର : ଜଷ୍ଟିସ ବି ପି ଦାସ ବୁଧବାର ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛିନ୍ତି। ୨୦୧୨ ପରେ ରାଜ୍ୟ ମାନବାଧିକାର ଆୟୋଗରେ ପ୍ରଥମ ଥର ଲାଗି ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ଜଷ୍ଟିସ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଜଷ୍ଟିସ ଦାସ କହିଛନ୍ତି ସମ୍ବିଧାନର ଧାରା ୨୧ ଅନୁସାରେ ମାନବାଧିକାର ପରିସୀମା ବୃଦ୍ଧି ପାଇଛି। ରାଜ୍ୟର ଅପୁଷ୍ଟି, ସ୍ବାସ୍ଥ୍ୟ, ନିର୍ଯାତନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଯେଉଁଠାରେ ଲୋକଙ୍କ ମାନବାଧିକାର କ୍ଷୂଣ୍ଣ ହେଉଛି ସେସବୁକୁ ତର୍ଜମା କରାଯାଇ ପଦକ୍ଷେପ ନିଆଯାଉଛି। ରାଜ୍ୟର ଉପାନ୍ତ ଅଞ୍ଚଳର ଅନେକ ଲୋକ ମାନବାଧିକାର ଉଲ୍ଲଘଂନର ଶିକାର ହେଉଛନ୍ତି। ସମସ୍ତ ବ୍ୟକ୍ତିବିଶେଷଙ୍କ ମାନବାଧିକାର ପ୍ରତି କମିସନ ସଚେତନ ଅଛନ୍ତି। କମିସନ ତାଙ୍କର ଆଇନର ପରିଧି ଭିତରେ ରହି ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ସମାନ ଦୃଷ୍ଟିରେ ନ୍ୟାୟ ପ୍ରଦାନ କରାଯିବ। କୌଣସି ବି ଉପାନ୍ତ ଅଞ୍ଚଳର ଲୋକଙ୍କର ମାନବାଧିକାର ଉଲ୍ଲଘଂନ ପ୍ରତି ମଧ୍ୟ ଆୟୋଗ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ସ୍ବଚ୍ଛତା ହେଉଛି ମାନବାଧିକାର ସୁରକ୍ଷାର ମୂଳମନ୍ତ୍ର। ତେଣୁ ମାନବାଧିକାର କ୍ଷେତ୍ରରେ ଓଡ଼ିଶାବାସୀଙ୍କୁ ସ୍ବଳ୍ପ ଅବଧି ମଧ୍ୟରେ ମୋର ସବୋତ୍ତମ ସେବା ପ୍ରଦାନ କରିବାକୁ ଚେଷ୍ଟା କରିବି। ମାନବାଧିକାର ଆୟୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬,୩୧୬ଟି ମାମଲା ଆବେଦନ କରାଯାଇଛି। ଗତ କିଛି ବର୍ଷ ହେବ ବାର୍ଷିକ ହାରାହାରି ୩୦୦୦ରୁ ଅଧିକ ମାମଲା ପଞ୍ଜୀକୃତ ହେଉଛି। ଏସବୁ ମାମଲାରୁ ୨୯୬୩ଟି ମାମଲା ଫଇସଲା ହୋଇଛି। ବକେୟା ଥିବା ୧୩୩୫୩ଟି ମାମଲାକୁ କିଭଳି ତ୍ବରିତ୍ ବେଗରେ ସମାଧାନ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷ ଜଷ୍ଟିସ ଦାସ କହିଛନ୍ତି। ବର୍ତ୍ତମାନ ଆୟୋଗଙ୍କର ତଦନ୍ତ ଶାଖାର କେତେକ ସମସ୍ୟା ରହିଛି। ସେସବୁକୁ କିଭଳି ସମାଧାନ କରାଯିବ ଏବଂ ବକେୟା ମାମଲାଗୁଡ଼ିକର କିଭଳି ତ୍ବରିତ୍ ଶୁଣାଣି ହେବ ସେଥିପାଇଁ ଯୋଜନା କରାଯାଉଥିବା ସେ କହିଛନ୍ତି।
୨୦୧୨ରେ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଦାୟିତ୍ବରୁ ଜଷ୍ଟିସ ଆର କେ ପାତ୍ର ଅବସର ନେବା ପରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ଜଷ୍ଟିସ ବି ପି ଦାସ ଦାୟିତ୍ବ ନେଇଛନ୍ତି। ସେହିପରି ବିଚାରବିଭାଗୀୟ ସଦସ୍ୟ ଭାବେ ଜଷ୍ଟିସ ରଘୁବୀର ଦାସ ଏବଂ ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ ସଦସ୍ୟ ଭାବେ ଯୋଗ ଦେଇଛନ୍ତି। ପୂର୍ଣ୍ଣକାଳୀନ ମାନବାଧିକାର କମିସନ କାର୍ଯ୍ୟ କରୁଥିବାରୁ ବକେୟା ପଡ଼ିଥିବା ମାମଲାଗୁଡ଼ିକର ତ୍ବରିତ୍ ଶୁଣାଣି ହେବ ବୋଲି ସଦସ୍ୟ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଅନେକ ଗୁରୁତ୍ବପୂର୍ଣ୍ଣ ପୁରୁଣା ମାମଲା ରହିଛି। ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ଯେପରି ଶୋଷଣରୁ ରକ୍ଷା ପାଇବେ ସେନେଇ ଆୟୋଗ ପ୍ରାଧାନ୍ୟ ଦେବ। ଅନେକ ଲୁକ୍କାୟିତ ମାନାବଧିକାର ଉଲ୍ଲଘଂନ ଘଟଣାକୁ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହାକୁ ଆୟୋଗ ନିଜଆଡୁ ମାମଲା ନେଇ ଶୁଣାଣି କରିବ। ସେହିପରି ରାଜ୍ୟରେ ଅନେକ ଅପମିଶ୍ରଣ ଘଟଣା ପଦାକୁ ଆସୁଛି। ଏଭଳି ଘଟଣାରେ ସରକାରଙ୍କ ଯେଉଁ ବିଭାଗର ଦାୟିତ୍ବହୀନତା ପଦାକୁ ଆସୁଛି। ସେନେଇ ରାଜ୍ୟ ସରକାରଙ୍କର ଆୟୋଗ ଦୃଷ୍ଟି ଆକର୍ଷଣ କରିବ ବୋଲି ସେ କହିଛନ୍ତି।


