ଧୂଳିଧୂଆଁରେ ରୁନ୍ଧିହୋଇଥିବା ଗ୍ରାମବାସୀ ଅବରୋଧ କଲେ ଜାତୀୟ ରାଜପଥ
ଗୁରୁଡିଝାଟିଆ : ୫୫ ନଂ ଜାତୀୟ ରାଜପଥ ୪ଥାକିଆ କରିବା ନେଇ ଠିକାଦାର ମନମୁଖି କାର୍ଯ୍ୟ କରୁଛି । ରାସ୍ତାକୁ ଖୋଳି ଖାଲଖମାରେ ପରିଣତ କରିଦେଇଛି। ରାସ୍ତାରେ ଯେଉଁଆଡେ ଯିବ ଖାଲି ଖାଲ ଓ ଖାଲ। ରାସ୍ତାରୁ ପିଚୁ ଖୋଳାହୋଇଯାଇଥିବାରୁ ଗାଡି ମୋଟର ଯାତାୟାତବେଳେ ଧୂଳିଧୂଆଁ ଉଡି ସ୍ଥାନୀୟ ଜନସାଧାରଣ ଅଣନିଶ୍ୱାସୀ ହୋଇପଡିଲେଣି । ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ସତେ ଅବା ଠିକାଦରା ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭିତିରି ସଲାସୁତାରା ଥିବା ଭଳି ଜନସାଧାରଣ ଭାବୁଛନ୍ତି । ନଚେତ୍ ଦୀର୍ଘଦିନ ଧରି ରାସ୍ତାକୁ ଖୋଳିତାଡି ପକାଇ ମରଣଯନ୍ତା ସୃଷ୍ଟିକରିଥିବା ଠିକାଦାର ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ । ତେଣୁ ଶୁକ୍ରବାର ବାଧ୍ୟ ହୋଇ ଓରନ୍ଦା ଗ୍ରାମର ଯୁବକ ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ତୁରନ୍ତ ରାସ୍ତାର ଦୟନୀୟ ସ୍ଥିତିରେ ସୁଧାର ଆଣିବା ପାଇଁ ନାରାବାଜି ଦେଇଥିଲେ। ଏହି ଆନ୍ଦୋଳନକୁ ନିକଟବର୍ତ୍ତି ସ୍ଥାନୀୟ ଜନସାଧାରଣ ମଧ୍ୟ ସମର୍ଥନ କରି ରାଜପଥ କର୍ତ୍ତୃପକ୍ଷଙ୍କ ଏତାଦୃଶ କାର୍ଯ୍ୟକୁ ନିନ୍ଦା କରିଥିଲେ। ଦୀର୍ଘ ଦେଢଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ହେବା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡିମୋଟର ଠିଆ ହୋଇ ରହିଥିଲା। ଘଟଣାସ୍ଥଳରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ଓରନ୍ଦା ଗ୍ରାମ ସଭାପତି ଇଂ ପ୍ରତାପ ଚନ୍ଦ୍ର ସାମଲ, ସଂପାଦକ ପ୍ରେମାନନ୍ଦ ବେଉରା ପ୍ରମୁଖଙ୍କ ଉପସ୍ଥିତିରେ ଜାତୀୟ ରାଜପଥର ଯନ୍ତ୍ରୀ ସୌମ୍ୟଜିତ ସାମଲ ଓ ଅଶୋକ ସାହୁଙ୍କ ସହିତ ଆଲୋଚନା କରିଥିଲେ । ତୁରନ୍ତ ରାସ୍ତାରେ ଯେଭଳି ଧୂଳି ନଉଡିବ ସେଥିପାଇଁ ପାଣି ସିଞ୍ଚନ କରିବା, ମୋରମ ପଡିଥିବା ରାସ୍ତାରେ ଗାଡିଚଳାଚଳ ନକରିବା, ସଂପ୍ରସାରଣ ପାଇଁ ପିଚୁ ତାଡିଥିବା ରାସ୍ତାକୁ ମରାମତି କରି ଉକ୍ତ ରାସ୍ତାରେ ଗାଡିଚଳାଚଳ କରିବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ସମ୍ମତି ପ୍ରକାଶ କରିଥିଲେ।
Comments are closed.