bjd gruha runa banner

ବଂଶୀ ବଜାଉଥିବା ଅବସ୍ଥାରେ ହେଲା ମସ୍ତିଷ୍କ ଅସ୍ତ୍ରୋପଚାର

BSKY banner  750×100
0

ୱାଶିଂଟନ : ଅସ୍ତ୍ରୋପଚାର ନାମ ଶୁଣିଲେ ଭଲ ଲୋକ ବି ଆତଙ୍କିତ ହୋଇପଡନ୍ତି । ସେଠି ସଚେତ ଓ ବଂଶୀ ବଜାଉଥିବା ଅବସ୍ଥାରେ ଜଣଙ୍କ ଅସ୍ତ୍ରୋପଚାର ହେବା; କେବଳ ଏକ ଦୁଃସାହାସିକ କାହାଣୀ ଭଳି ଲାଗେ । ମାତ୍ର ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆମେରିକାର ହଷ୍ଟନସ୍ଥିତ ମେମୋରିଆଲ ହସ୍ପିଟାଲରେ ଘଟିଛି । ଏହି ହସ୍ପିଟାଲରେ ଭର୍ତ୍ତି ଜଣେ ରୋଗୀ ବଂଶୀ ବଜାଉଥିବା ଅବସ୍ଥାରେ ଅସ୍ତ୍ରୋପଚାରର ସମ୍ମୁଖୀନ ହୋଇଛନ୍ତି । ଏନା ହେନେରୀ ନାମକ ରୋଗୀଙ୍କ ମସ୍ତିଷ୍କର ଅସ୍ତ୍ରୋପଚାର ଚାଲିଥିବାବେଳେ ସେ ବଂଶୀ ବଜାଉଥିଲେ । ଡାକ୍ତରମାନେ ବଂଶୀର ଧ୍ୱନି ଶୁଣି ଶୁଣି ଅସ୍ତ୍ରୋପଚାର କରିଥିଲେ। ଏନା ବଂଶାନୁଗତିକ ରୋଗରେ ପିଡୀତ ଥିଲେ । ଏହି ରୋଗ ଯୋଗୁଁ ତାଙ୍କୁ ମଝିରେ ମଝିରେ ଝଟକା ଲାଗୁଥିଲା ଓ ହାତ ଆଉ କାମ କରୁନଥିଲା । ମସ୍ତଷ୍କର ଅସ୍ତ୍ରୋପଚାର ଜରିଆରେ ଝଟକାକୁ ରୋକାଯାଇପାରିବ ଓ ହାତ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତର କହିଥିଲେ । ଏହି ଅସ୍ତ୍ରୋପଚାର ସମୟରେ ଏନା ସଚେତ ରହିବା ଆବଶ୍ୟକ ଥିଲା । ଅସ୍ତ୍ରୋପଚାର ଠିକ୍‌ ଚାଲିଛି କି ନାହିଁ ସେଥିପାଇଁ ସେ ସଚେତ ରହି ପ୍ରତ୍ୟୁତ୍ତର ଦେବା ଆବଶ୍ୟକ ହୋଇପଡିଥିଲା । ଏନା ଡାକ୍ତରଙ୍କ ପ୍ରସ୍ତାବରେ ରାଜି ହେବା ସହ ଅସ୍ତ୍ରୋପଚାର ସମୟରେ ବଂଶୀ ବଜାଇବାକୁ ଅନୁମତି ମାଗିଥିଲେ । ଏ କ୍ରମରେ ଅସ୍ତ୍ରୋପଚାର ସମୟରେ ବଂଶୀ ବଜାଇବାକୁ ତାଙ୍କୁ ଅନୁମତି ମିଳିଥିଲା। ଏନା ଜଣେ ପେଶାଦାର ବଂଶୀବାଦକ । ସେ ଅସ୍ତ୍ରୋପାର ସମୟରେ ବଂଶୀ ବଜାଇ ଡାକ୍ତରଙ୍କୁ ଶୁଣାଇଥିଲେ । ଡାକ୍ତରମାନେ ବଂଶୀ ଧ୍ୱନିରେ ସଫଳତାର ସହ ଅସ୍ତ୍ରୋପଚାର ଶେଷ କରିଥିଲେ । ଡାକ୍ତରମାନେ ତାଙ୍କ ମସ୍ତିଷ୍କରେ ଏକ ଇଲେକ୍ଟ୍ରୋଡିସ୍‌ ସ୍ଥାପନ କରିଛନ୍ତି । ଡାକ୍ତରଖାନା ପକ୍ଷରୁ ଅସ୍ତ୍ରୋପଚାର ବେଳର ରେକର୍ଡ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply