୮ ବର୍ଷରେ ରାଜ୍ୟରେ ଷ୍ଟାର୍ଟଅପ୍‌ ସଂଖ୍ୟା ମାତ୍ର ୨୬୮

ସମ୍ବଲପୁର: ଯୁବଗୋଷ୍ଠୀଙ୍କୁ ଚାକିରି ଆଶାୟୀ ନୁହେଁ ବରଂ ନିଯୁକ୍ତିଦାତା ଭାବେ ଗଢ଼ିବା ପାଇଁ କେନ୍ଦ୍ର ସରକାର ୨୦୧୬ ଜାନୁଆରୀରେ ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’ ଯୋଜନା ଆରମ୍ଭ କରିଥିଲେ । ଏଥିରେ ଷ୍ଟାର୍ଟ ଅପ୍ ଯୁବଦ୍ୟୋଗୀଙ୍କୁ ଅର୍ଥ ଅନୁଦାନ ସମେତ ବିଭିନ୍ନ ପ୍ରକାର ସହାୟତା ଦିଆଗଲା । କିନ୍ତୁ ଏହି ଯୋଜନା ଆରମ୍ଭ ହେବାର ୮ ବର୍ଷ ପରେ ରାଜ୍ୟରେ ୨୬୮ ଷ୍ଟାର୍ଟ ଅପ୍‌ ସଂସ୍ଥା ଗଠନ ହୋଇଥିବାବେଳେ ସମ୍ବଲପୁରରେ ମାତ୍ର ୪ଟି ସଂସ୍ଥା ଗଢ଼ି ପାରିଛି। ସମାନ ସମୟରେ ସୁନ୍ଦରଗଡ଼ ଜିଲାରେ ୧୪ଟି ଏବଂ କଟକ ଓ ଭୁବନେଶ୍ବରରେ ୧୯୬ ସଂସ୍ଥା ଗଢ଼ି ଉଠିଛି । ଓଡ଼ିଶା ସରକାର ଯୁବଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ ସଚେତନତା ସୃଷ୍ଟି ପାଇଁ ୩ଟି ପରାମର୍ଶଦାତା ସଂସ୍ଥାକୁ ନିଯୁକ୍ତିଦେଇ ୫.୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଏହାର ଲାଭ କେବଳ ଭୁବନେଶ୍ବର ଓ କଟକରେ ସୀମିତ ରହିଯାଇଛି, କାରଣ ସମ୍ବଲପୁରର ଯୁବଦ୍ୟୋଗୀଙ୍କୁ ଏହା କୌଣସି ଫାଇଦା ଦେଇପାରି ନାହିଁ । ଯଦ୍ଦ୍ବାରା ଏଠାରେ ମାତ୍ର ୪ ସଂସ୍ଥା ଗଢିପାରିଛି । ଏହି ୪ ସଂସ୍ଥା ପାଇଛନ୍ତି ମାତ୍ର ୩୫.୭୮ ଲକ୍ଷ ଟଙ୍କା ଅନୁଦାନ ।

ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ବ୍ୟବସାୟର ଅସୀମ ସମ୍ଭାବନା ରହିଛି। ଏଠାରେ ଆଇଆଇଏମ୍‌, ବୈଷୟିକ ବିଶ୍ବବିଦ୍ୟାଳୟ, ୩ଟି ସାଧାରଣ ବିଶ୍ବବିଦ୍ୟାଳୟ ରହିଥିବାବେଳେ ଏଥିରୁ ବୈଷୟିକ ଓ ଅଣବୈଷୟିକ ଉଚ୍ଚଶିକ୍ଷାପ୍ରାପ୍ତ ଯୁବଗୋଷ୍ଠୀ ନିଯୁକ୍ତି ବଜାରକୁ ଆସୁଛନ୍ତି। କିନ୍ତୁ ଆବଶ୍ୟକ ସରକାରୀ ପ୍ରୋତ୍ସାହନ ସତ୍ତ୍ବେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନୂତନ ଷ୍ଟାର୍ଟ ଅପ୍ ପ୍ରତି କେହି ଆଗ୍ରହ ପ୍ରକାଶ କରୁନାହାନ୍ତି । ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମଇ ବିଭାଗ ଅଧୀନରେ ଷ୍ଟାର୍ଟ ଅପ ଓଡ଼ିଶା ଯୋଜନା ଅନ୍ତର୍ଗତ ୨୦୧୯ ମସିହା ପରଠାରୁ ସମ୍ବଲପୁରରେ ମାତ୍ର ୪ଟି ଷ୍ଟାର୍ଟ ଅପ୍ ସଂସ୍ଥା ଆରମ୍ଭ ହୋଇଛି। ଏଥିରୁ କ୍ଷେତରାଜପୁର କ୍ରିଷ୍ଣାନଗରରେ ହୋମଭେରୀ ପ୍ରାଇଭେଟ ଲିମିଟେଡ, ଗୋଲବଜାର ମାରୱାଡ଼ିପଡ଼ାରେ ମେଟ୍ ଏନ୍ ମେଟ୍ ରିସର୍ଚ୍ଚ ପ୍ରା.ଲିଃ, ତାଲଭଟାପଡ଼ାରେ ହ୍ବାଇକ୍ରୋ ପ୍ରା. ଲିଃ ଏବଂ ସାକ୍ଷୀପଡ଼ାରେ ଆଇୟୁଭିଏ ଫୁଡ୍ସ କମ୍ପାନୀ ଭଳି ୪ଟି ସଂସ୍ଥା ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗରେ ପଞ୍ଜୀକୃତ ହୋଇଛନ୍ତି। ଓଡ଼ିଶା ଷ୍ଟାର୍ଟଅପ୍ ନୀତି ଅନୁଯାୟୀ ଯେଉଁ ଷ୍ଟାର୍ଟଅପ୍ ସଂସ୍ଥାର ମୋଟ ଯୋଗ୍ୟ କର୍ମଚାରୀଙ୍କ ମଧ୍ୟରୁ ସର୍ବନିମ୍ନ ୫୦% କର୍ମଚାରୀ ଓଡ଼ିଶାରେ ନିଯୁକ୍ତ ହୋଇଥିବେ ଅଥବା ଓଡ଼ିଶାର ମୂଳବାସିନ୍ଦା ହୋଇଥିବେ, ଉକ୍ତ ସଂସ୍ଥାଗୁଡିକ ଅନୁଦାନ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହି କ୍ରମରେ ସମ୍ବଲପୁରର ହୋମଭେରି ପ୍ରାଇଭେଟ ଲିମିଟେଡକୁ ୧୭.୪୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ବେଳେ ମେଟ୍ ଏନ୍ ମେଟ ରିସର୍ଚ୍ଚ ସଂସ୍ଥାକୁ ୧୨.୪୦ ଲକ୍ଷ, ଆଇୟୁଭିଏ ଫୁଡ୍ସ ସଂସ୍ଥାକୁ ୩.୫୮ ଲକ୍ଷ ଏବଂ ହ୍ବାଇକ୍ରୋ ପ୍ରାଇଭେଟ ଲିମିଟେଡକୁ ୨.୪୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି।

ଏହି ଅଭିଯାନକୁ ନେଇ ଯୁବଉଦ୍ୟୋଗୀଙ୍କ ମଧ୍ୟରେ ସଚେତନତା ଓ ପ୍ରୋତ୍ସାହନ ଅଭାବ ରହୁଥିବାରୁ ଅନେକ ଯୁବକ ଯୁବତୀ ନୂତନ କିଛି କରିବାର ଇଚ୍ଛାଥିଲେ ‌ହେଁ ସଠିକ୍  ଦିଗ୍‌ଦର୍ଶନ ଅଭାବରୁ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନର ଲାଭ ନେଇପାରୁ ନାହାନ୍ତି। ରାଜ୍ୟ ସରକାର ଷ୍ଟାର୍ଟ ଅପ୍‌ ଇଣ୍ଡିଆ ଯୋଜନାର ପରାମର୍ଶଦାତା ସଂସ୍ଥା ଭାବେ ୨୦୨୨ରୁ ମାର୍ଚ୍ଚ ୨୦୨୪ ମଧ୍ୟ‌ରେ ୩ଟି ସଂସ୍ଥାକୁ ନିୟୋଜିତ କରି ୫.୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏଥିରେ ନଲେଜ୍ ପାର୍ଟନର ଭାବେ ଆର୍ଣ୍ଣେଷ୍ଟ ୟଙ୍ଗ କମ୍ପାନୀକୁ ୪.୬୮ କୋଟି ଟଙ୍କା, ସୋସିଆଲ ମିଡିଆ ପରିଚାଳନା ପାଇଁ ସିଏସ୍‌ଏମ୍‌ ଟେ‌କ୍ନୋଲୋଜି ସଂସ୍ଥାକୁ ୫୯.୨୨ ଲକ୍ଷ ଏବଂ ପବ୍ଲିକ ରିଲେସନ ପାଇଁ ଗୁଟେନବର୍ଗ କମ୍ୟୁନିକେସନ କମ୍ପାନୀକୁ ୩୨.୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତେଣୁ ରାଜ୍ୟ ସରକାର ୩ ବର୍ଷରେ କେବଳ ପରାମର୍ଶ ପାଇଁ ୫.୬୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଥିବା ବେଳେ ଦୁଇ ବଡ଼ସହର ବ୍ୟତୀତ ଅନ୍ୟାନ୍ୟ ଜିଲା‌ରେ ଷ୍ଟାର୍ଟ ଅପ୍ ସଂଖ୍ୟା ଉତ୍ସାହଜନକ ନୁହେଁ। କାରଣ ରାଜ୍ୟରେ ୨୦୧୯ ମସିହା ପରଠାରୁ ସମୁଦାୟ ୨୬୮ଟି ଷ୍ଟାର୍ଟ ଅପ୍‌ ଆରମ୍ଭ ହୋଇଥିବା ବେଳେ ସେଥିରୁ ଭୁବନେଶ୍ବରରେ ୧୭୫ ଓ କଟକରେ ୨୧ ରହିଛି । ତେଣୁ ‌ଦ୍ବୈତ ସହରରେ ୧୯୬ଟି ଥିବା ବେଳେ ବାକି ସମସ୍ତ ଜିଲାରେ ମାତ୍ର ୭୨ଟି ଷ୍ଟାର୍ଟଅପ୍ ହିଁ ଗଢ଼ି ଉଠିଛି। ଓଡ଼ିଶା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ  ବିଧାନସଭାରେ ସୂଚନା ଦେଇଛନ୍ତି, ୨୦୧୯ ମସିହା ପରେ ଷ୍ଟାର୍ଟ ଅପ୍ ଓଡ଼ିଶା ଯୋଜନାରେ ୨୯୦ଟି ସଂସ୍ଥା ଗଢ଼ି ଉଠିଛି। ଏଥିରୁ ୨୬୮ଟି ଓଡ଼ିଶାରେ ଥିବାବେଳେ ବାକି ୨୨ଟି ସଂସ୍ଥା ଓଡ଼ିଶା ବାହାରେ ପଞ୍ଜିକୃତ ହୋଇ ଷ୍ଟାର୍ଟଅପ୍ ଓଡ଼ିଶା ଯୋଜନାରେ ଅନୁଦାନ ପାଇଛନ୍ତି।

ତେବେ ୩ ବର୍ଷରେ ଯୁବଉଦ୍ୟୋଗୀଙ୍କୁ ପରାମର୍ଶ ଦେବା ପାଇଁ ସରକାର ୫.୬୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାଜ୍ୟରେ ମାତ୍ର ୨୬୮ ଷ୍ଟାର୍ଟ ଅଫ୍‌ ସଂସ୍ଥା ଗଠିତ ହୋଇଛି । ସେଥିରୁ ସମ୍ବଲପୁରରେ ମାତ୍ର ୪ଟି ସଂସ୍ଥା ଗଠିତ ହୋଇ ମାତ୍ର ୩୫.୭୮ ଲକ୍ଷ ଟଙ୍କା ଅନୁଦାନ ପାଇଛନ୍ତି । ତେଣୁ ଏହି ଯୋଜନା କେତେ ସଫଳ ଏଥିରୁ ସ୍ପଷ୍ଟ ଜଣାପଡୁଛି।

Comments are closed.