ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ସୋମବାର ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ରବିନାରାୟଣ ବେହେରା (୪୦)ଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନିଜ ଘର ଢେଙ୍କାନାଳ ଜିଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ପରିବାର ସହ ରହୁଥିଲେ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିନାରାୟଣ ନିଜ ପତ୍ନୀ ଓ ପୁଅ ସହ ଏକ ବାଇକ ଯୋଗେ ପୁରୀ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ପିପିଲି ବାଇପାସ ରାସ୍ତାରେ ମଧ୍ୟାହ୍ନ ସାଢେ ଗୋଟାଏରୁ ୨ଟା ମଧ୍ୟରେ କୌଣସି ଏକ ଅଜଣା ଗାଡି ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ସମସ୍ତ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ଲାଗି ସେମାନଙ୍କୁ ପିପିଲି ଗୋଷ୍ଠୀ ସ୍ମାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ରବିନାରାୟଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ତାଙ୍କ ପତ୍ନୀ ଓ ପୁଅଙ୍କୁ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ପିପିଲି ଥାନା ଏସ୍ଆଇ ସୁରମା ସ୍ୱାଇଁ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାକୁ ଜବତ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।



