ବିଦ୍ୟୁତ ଆଘାତରେ ଜଣେ ମୃତ, କ୍ଷତି ପୁରଣ ଦାବିରେ ରାସ୍ତାରୋକ
ଚୌଦ୍ୱାର : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁଅର ଜୀବନ ବଂଚାଇବାକୁ ଯାଇ ବାପାର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ଘଟିଛି ଚୌଦ୍ୱାର ଥାନା ଅଧିନ ଆଗ୍ରାହାଟ ପଂଚାୟତ ଅନ୍ତର୍ଗତ ଲକ୍ଷ୍ମୀବିହାର ଅଂଚଳରେ। ମିଳିଥିବା ସୁଚନା ଅନୁଯାୟୀ ମଙ୍ଗଳବାର ସଂନ୍ଧ୍ୟାରେ ଲକ୍ଷ୍ମୀବିହାର ଅଂଚଳର ଶୁଖୁଆଖାଇ ବସ୍ତିର ଟୁନା ସିଦ୍ଧୁ(୫୭) ତାଙ୍କ ୭ବର୍ଷର ପୁଅକୁ ନେଇ ସ୍ଥାନୀୟ ବଜାରକୁ ଚାଲିଚାଲି ଯାଉଥିଲେ। ବାଟରେ ଥିବା ଏକ ମୁକୁଳା ଟ୍ରାନସଫରମରୁ ଏକ ତାର ଛିଡି ଯାଇ ପଡି ରହିଥିଲା । ଦୁର୍ଭାଗ୍ୟବଶତ ଛୋଟ ପିଲାଟିର ଗୋଡରେ ତାରଟି ଲାଗି ଯିବାରୁ ସେ ଛଟପଟ ହେଉଥିବା ଦେଖି ବାପା ଟୁନା ତାକୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଟୁନା ଏବଂ ତାଙ୍କ ପୁଅକୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ଫଠାଇଥିଲେ ହେଁ ସେଠାରେ ଡାକ୍ତର ଟୁନାକୁ ମୃତ ଘୋଷଣା କରିଥିଲେ। ଅଳ୍ପକେ ପୁଅ ବଂଚିଯାଇଥିଲେ ହେଁ ତାର ବାମ ହାତ ପାପୁଲିଟି ସଂପୁର୍ଣ୍ଣ ପୋଡି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଯତବିକ୍ଷତ ହୋଇଛି । ବୁଧବାର ଅପରାହ୍ନରେ ଟୁନାର ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ଶୁଖୁଆଖାଇ ବସ୍ତିର ଲୋକେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରି ଚାରବାଟିଆ-ମଙ୍ଗରାଜପୁର ମୁଖ୍ୟ ରାସ୍ତାରେ ମୃତ ଦେହ ରଖିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଅପରାହ୍ନ ପ୍ରାୟ ୩ଟାରୁ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ରାସ୍ତାର ଉଭୟ ପଟରେ ଗାଡିମଟର ଚଳାଚଳ ବନ୍ଦ ହୋଇଯାଇଥିଲା। ଖବରପାଇ ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ସେମାନେ ଜିଦରୁ ହଟିନଥିଲେ। ପରେ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ଚୌଦ୍ୱାର ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଅର୍ବାନବ୍ୟାଙ୍କ ନିର୍ଦ୍ଦେଶକ ନୀଳମଣି କର, ଟାଟା ପାୱାରର ଅଧିକାରୀ ଶୁଭେନ୍ଦୁ ସୁବୁଦ୍ଧିରାୟ,ସରପଞ୍ଚଙ୍କ ପ୍ରତିନିଧି ମୁନା ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା, ରେଡକ୍ରସରୁ ୩୦ହଜାର ଓ ପରିବାର ଭିତରୁ ଜଣକୁ ଚାକିରି ଦେବାର ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା। ସ୍ଥାନୀୟ ପୁଲିସଙ୍କ ଉପସ୍ଥିତିରେ ପରିବାର ଲୋକଙ୍କୁ ବିଦ୍ୟୁତ ବିଭାଗ ତରଫରୁ ଶେଷକୃତ୍ୟ ସଂପନ୍ନ ପାଇଁ ନଗଦ ୫୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୁକୁଳା ପଡିଥିବା ଟ୍ରମସଫରମରକୁ ଆସନ୍ତା ୨ଦିନ ଭିତରେ ପ୍ରାଚୀର ବୁଲାଇବାକୁ ଟାଟାପାୱାର ପ୍ରତିଶୃତି ଦେଇଥିଲେ।
Comments are closed.