ଚାଲିଛି ମହାନଦୀ ସେତୁ ନିର୍ମାଣ, କଂକ୍ରିଟ କାମରେ ବ୍ୟବହୃତ ହେଉଛି ନିମ୍ନମାନର ଚିପସ
ହରଭଙ୍ଗା:ବୌଦ୍ଧଜିଲା ହରଭଙ୍ଗା ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ଚିପସ ବ୍ୟବହୃତ ହେଉଥିବା ଜଣାପଡିଛି। ମାନ ନିର୍ଦ୍ଧାରଣ ଦାୟିତ୍ୱରେ ଥିବା ଜନୈକ ଅଥରିଟି ଇଂଜିନିୟର ସଲାସୁତୁରାରେ ଏଭଳି ନିମ୍ନମାନର କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଥିବାବେଳେ ଏହାର ସ୍ଥାୟୀତ୍ୱ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯେ ବହୁତଦିନର ଦାବୀପରେ ଉତ୍ତର ଉଡିଶା ସହିତ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାକୁ ସଂଯୋଗ ନିମନ୍ତେ ଧଳପୁର- ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବର ୨୦୧୬ଆରମ୍ଭ ହୋଇଥିଲା। ସେତୁ ନିର୍ମାଣକାର୍ଯ୍ୟ ପାଇଁ ବିଶ୍ୱ ବ୍ୟାଙ୍କ ନାର୍ବାଡ ସହାୟତରେ ୧୬୮କୋଟି ୯୧ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ଡିସେମ୍ବର ୨୦୧୬ରୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୨୦୧୯ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ତିନିବର୍ଷ ସମୟ ଧାର୍ଯ୍ୟ କରାଯାଇଥିଲା।
ସେତୁ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ପାଇଁ ଗୁଜୁରାଟ ଅହମ୍ମଦାବାଦର ରଣଜିତ ବିଲଡକନ ଲିମିଟେଡ ନାମକ ଠିକାସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ମାତ୍ର ରଣଜିତ ବିଲଡକନ ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ନିଜେ କରିବା ବଦଳରେ ଅଜୟ ପ୍ରୋଟେକ ପ୍ରାଇଭେଟ ଲିମିଟେଡ ନାମକ ଏକ ଠିକାସଂସ୍ଥାକୁ ପେଟି ଠିକଦାର ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ହସ୍ତାନ୍ତର କରିଥିଲେ। ପେଟି ଠିକାଦରା ଦ୍ୱାରା ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ସାଙ୍ଗକୁ ନିର୍ମାଣ ସମୟରେ ଶ୍ରମିକଙ୍କ ସୁରକ୍ଷା ଦିଗରେ ଠିକାସଂସ୍ଥା ଆଖିବୁଜିଦେଇଥିବା ଭଳି ଗୁରୁତର ତ୍ରୁଟି ନଜରକୁ ଆସିଥିଲା। ଯାହାଫଳରେ ନିର୍ମାଣଧିନ ସେତୁୁରୁ ୩ଜଣ ଅଣଓଡିଆ ଶ୍ରମିକ ପଡି ପ୍ରାଣ ହରାଇଥିଲେ। ଏଭଳି ସ୍ଥିତିରେ ସେତୁ ନିର୍ମାଣକାରୀ ସଂସ୍ଥାକୁ ବହମୂଲ୍ୟ ଦେବାକୁ ପଡିଥିଲା। ଏହି ଘଟଣା ପରେ ସେତୁ କାର୍ଯ୍ୟ ତ୍ୱାରାନ୍ୱିତ ଏବଂ ଶେଷ ପାଇଁ ଗତ ସେପ୍ଟେମ୍ବର ମାସରେ ମାନ ନିର୍ଦ୍ଧାରଣ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀନାରାୟଣ ନାଏକ ଏହାର ପରିଦର୍ଶନ କରି ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଠିକାସଂସ୍ଥାକୁ ତାଗିଦ୍ କରିଥିଲେ। ସେତୁ ନିର୍ମାଣ କାର୍ଯ୍ୟ ସମ୍ପାଦିତ ପାଇଁ ଠିକାସଂସ୍ଥାକୁ ୨୨ ମାସ ଅଧିକ ମିଆଦି ମିଳିଥିଲେ ମଧ୍ୟ ସେତୁ କାର୍ଯ୍ୟ ସରିବାରେ ନାଁ ଧରୁନାହିଁ।
Comments are closed.