ଲଡୁଗାଁ : କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଅସାମାଜିକ ନିଶାସକ୍ତ ବ୍ୟକ୍ତିମାନଙ୍କ ବିଶୃଙ୍ଖଳିତ ଦୌରାତ୍ମ୍ୟ ବୃଦ୍ଧି ପାଉଥିବାରୁ ପରିସରରେ ଥିବା ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଶିକ୍ଷାଦାନ ପ୍ରକ୍ରିୟାରେ ବାଧାପ୍ରାପ୍ତ ହେଉଛି। ଏଭଳି ଘଟଣା ପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କୋକସରା ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କୋକସରାରେ ଦିନକୁ ଦିନ ଗଞ୍ଜେଇ, ଦେଶୀ ମଦ, ବିଦେଶୀ ମଦ ବିକ୍ରି ଓ ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି। ସାଧାରଣ ପାନ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତି ଅଞ୍ଚଳରେ ଥିବା ଦୋକାନ ଗୁଡିକରେ ଏଗୁଡିକ ବେଧଡ଼କ ବିକ୍ରି ହେଉଛି। ବେକାର ତଥା କମ ବୟସର ଯୁବକମାନେ ଏହି ଶସ୍ତା ନିଶା ସେବନ କରି ଉତ୍ପାତ କରିବାରେ ଲାଗିଛନ୍ତି।
ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ଏହି ପରିସରରେ ମଧ୍ୟରେ କିଛି ନିଶାଶକ୍ତ ଅସାମାଜିକ ଯୁବଗୋଷ୍ଠୀ ପଶି ମଦ ପିଇ ବୋତଲ ଭାଙ୍ଗୁଥିବା ନଜରରେ ଆସିଥିଲା । ଏଣୁ ଏଭଳି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଜ ଖବରକାଗଜରେ “କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ୟ୍ୟାଳୟ ସାମ୍ନାରେ ମଦ ବୋତଲ, ପାଉଚ “ଶୀର୍ଷକରେ ପ୍ରକାଶିତ ଖବର ଆଧାର କରି ଥାନାଧିକାରୀଙ୍କୁ ତୁରନ୍ତ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ମାଧ୍ୟମରେ ନିବେଦନ କରାଯାଇଛି । ଏହି ପରିପ୍ରେକ୍ଷୀରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଲ ବାଗ ଓ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀ ସୋମବାର କୋକସରା ଥାନାଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ସ୍ଥାନୀୟ ଜନ ପ୍ରତିନିଧି ଏହି ଶିକ୍ଷାନୁଷ୍ଠାନ ପାଚେରୀ ମରାମତି , ମୁଖ୍ୟ ଗେଟ୍ ନିର୍ମାଣ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି । ଏଣିକି ଅମାନିଆ ସାବାଡ ହେବେ, ଶିକ୍ଷାନୁଷ୍ଠାନ ପରିସରରେ ବସି ନିଶା ସେବନ କଲେ , ଅସାମାଜିକ କାର୍ୟ୍ୟକଳାପ ଦୃଷ୍ଟିଗୋଚର ହେଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଅସାମାଜିକ କାର୍ଯ୍ୟକଳାପ ପ୍ରସଙ୍ଗ ; ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ
Popular Categories



