www.samajalive.in
Monday, December 8, 2025
20.1 C
Bhubaneswar

ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ: କାହାପାଇଁ ମଉକା ତ କାହାପାଇଁ ମରୀଚିକା

ଲଡୁଗାଁ: ଚାଷୀଙ୍କ କ୍ଷେତକୁ ପାଣି ଯିବ, ଉପଯୁକ୍ତ ଭାବେ ଜଳସେଚନ ହୋଇପାରିବ, ଜଳସେଚନ ସୁବିଧା ଉପଯୋଗ କରି ପାରମ୍ପାରିକ ଧାନଫସଲ ବଦଳରେ ଅର୍ଥକାରୀ ଫସଲ କରିବାକୁ ଚାଷୀ ଉତ୍ସାହିତ ହେବେ ବୋଲି ସରକାରଙ୍କ ପକ୍ଷରୁ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ଗୋଟେ ପଟେ କୋକସରା ବ୍ଲକର କିଛି ଅଞ୍ଚଳର ଚାଷୀ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଜଳସେଚନ ସୁବିଧା ପାଇ ଆନନ୍ଦିତ ହେଉଥିବା ବେଳେ ଅନ୍ୟପଟେ ଆମପାଣି ଜିଲ୍ଲା ପରିଷଦ ଜୋନର ୭ଟି ପଞ୍ଚାୟତ ସହ ଟେମରା ପଞ୍ଚାୟତର ହଜାର ହଜାର ଚାଷୀ ଉକ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଲୋକେ ଆଶା କରିଥିଲେ ମେଗା ଲିଫ୍ଟ ପଏଣ୍ଟ ହେବ, ଚାଷିଙ୍କ ପେଟରେ ଦାନା ମୁହଁରେ ହସ ଫୁଟିବ, ହେଲେ ବେଦନା ବେଦନାରେ ରହିଗଲା। ଏବେ ଏହି ପ୍ରକଳ୍ପ କାହାପାଇଁ ମଉକା ତ କାହାପାଇଁ ମରୀଚିକା ପାଲଟିଛି । ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବ୍ଲକର ବରାଡଙ୍ଗା, ଆମପାଣି, କାଉଡୋଳା ବଡ ପୋଡାଗୁଡ଼ା, ମହିମା, ଡୁଡୁକାଠେଙ୍ଗା, ଗୋତୋମୁଣ୍ଡା, ସାନ ପୋଡାଗୁଡା, ଟେମରା ପଞ୍ଚାୟତର ଚାଷିଙ୍କ ପାଇଁ କୌଣସି କାମରେ ଆସିଲା ନାହିଁ । ସୂଚନାନୁଯାୟୀ ଏହି ଅଞ୍ଚଳର ପ୍ରାୟ ୮୦୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ଜଳସେଚନରୁ ବଞ୍ଚିତ ହୋଇ ରହିଛି । ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ ବେହେରା ଡ୍ୟାମ୍ କିଛି ଅଞ୍ଚଳକୁ ଜଳସେଚନ କରିପାରୁ ଥିବାବେଳେ ଗୋତୋମୁଣ୍ଡା ପଞ୍ଚାୟତର ଅଠରନଳା ଡ୍ୟାମ୍ ଓ ବଡ଼ ପୋଡ଼ାଗୁଡା ପଞ୍ଚାୟତ ସ୍ଥିତ ଜତାଖୋଲିଆ ଡ୍ୟାମ୍ କଥା ନ କହିବା ଭଲ। ଏହି ଦୁଇଟି ଡ୍ୟାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଗୋଟିଏ ଏକର ଜମିକୁ ପାଣି ନ ମାଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ବଡ଼ ପୋଡ଼ାଗୁଡା, ଗୋତୋମୁଣ୍ଡା ଓ ସାନ ପୋଡ଼ାଗୁଡା ପଞ୍ଚାୟତ ଚିର ମରୁଡ଼ି ପ୍ରପୀଡିତ ଅଞ୍ଚଳ ହୋଇଥିଲା। ଏ ଅଞ୍ଚଳକୁ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ପାଣି ଲଗାଯିବା ପାଇଁ ପ୍ରଥମେ ସର୍ଭେ ମଧ୍ୟ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ସଂପୃକ୍ତ ଅଞ୍ଚଳର ଚାଷୀମାନଙ୍କୁ ଅଣଦେଖା କରାଯାଇ ଉପରମୁଣ୍ଡ ଅଞ୍ଚଳ ପରିବର୍ତ୍ତ ଉଠା ଜଳସେଚନ କେନାଲ ତଳିଆ ଅଞ୍ଚଳକୁ ଦିଆ ଯାଇଥିଲା । ଯାହାଫଳରେ ୮ଟି ପଞ୍ଚାୟତର ଚାଷୀ ଚିର ଦିନ ପାଇଁ ପାଣିରୁ ବଞ୍ଚିତ ହୋଇ ରହିଯାଇଛନ୍ତି। ଏବେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ କେତେ ସଫଳ ହେଲା ତାହା ଏ ଅଞ୍ଚଳର ୩୦ ଖଣ୍ଡ ଗାଁର ଶୁଖିଲା ଜମି ଦେଖିଲେ ସ୍ପଷ୍ଟ ବାରି ହୋଇପଡିବ । ହୁଏତ ଚାଷୀର ଦୁଃଖ ବୁଝିବାକୁ କୌଣସି ନିର୍ବାଚିତ ପ୍ରତିନିଧି, ଅଧିକାରୀ ବାବୁମାନେ ସେଠି ବେଶୀ ଦିନ ନଥିବେ । ଏବେ ନିଜର ଚାଷ ବଞ୍ଚାଇବାକୁ ନିଜ କ୍ଷେତ ପାଖରେ ଜଗି ବସି କେବଳ ଇନ୍ଦ୍ର ଭରସାରେ ଚାଷୀ ରହୁଛି । ଦୁର୍ଭାଗ୍ୟର ବିଷୟ ଏଠାରେ ଦାୟିତ୍ଵରେ ଥିବା ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନ ମନୋଭାବ ଏବଂ ଠିକାଦାର ପୋଷଣ ନୀତି ଯୋଗୁଁ ନିର୍ମାଣ ହୋଇଥିବା ପ୍ରକଳ୍ପ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ପାଣି ମୁନ୍ଦାଏ ମଧ୍ୟ ଚାଷ ଜମିରେ ମାଡି ପାରିନାହିଁ । ଏହାଠାରୁ ବିଡମ୍ବନା ଆଉ କଣ ହୋଇପାରେ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories