ଆଠଗଡ : ଆଠଗଡ ମଧ୍ୟଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତା ଏବେ ମରଣ ଯନ୍ତାରେ ପରିଣତ ହୋଇଛି । ଖାଲଖମାରେ ପରିପୂର୍ଣ୍ଣ ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟି ବହୁ ପଥଚାରୀ ଓ ବାଇକ ଆରୋହୀ ଆହତ ହେଉଥିଲେ ମଧ୍ୟ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ସବୁ ଦେଖି ନଦେଖିଲା ପରି ରହୁଛନ୍ତି । ନୂଆପାଟଣାଠାରୁ ଭାୟା ଧବଳେଶ୍ୱର ଦେଇ ଆଠଗଡ ପର୍ଯ୍ୟନ୍ତ ଉକ୍ତ ରାସ୍ତାଟିର ନବୀକରଣ କରାଯାଉଥିବାରୁ ସେ ରାସ୍ତାରେ ଏହି ବର୍ଷାଋତୁରେ ଗାଡିମଟର ଯିବା ଆସିବା ବହୁ କଷ୍ଟକର ହୋଇପଡିଛି। ତେବେ ଆଠଗଡର ବୀରକିଶୋରପୁରଠାରୁ ରାସୋଳ ଦେଇ ଅନୁଗୁଳ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟିର କୌଣସି ନବୀକରଣ କରାଯାଉନଥିଲେ ମଧ୍ୟ ଅନେକ ସ୍ଥାନରେ ପିଚୁ ଉଠି ବଡ ବଡ ଖାଲ ସୃଷ୍ଟି ହୋଇଥିବାରୁ ଦୁର୍ଘଟଣା ଘଟୁଛି । ଗୋଡିଝରିଆ ନିକଟରେ ଏହି ମୁଖ୍ୟରାସ୍ତାରେ ଗୋଟିଏ ଦୁଇଟି ସ୍ଥାନରେ ବିରାଟ ଖାଲ ସୃଷ୍ଟି ହୋଇଥିବାରୁ ସବୁବେଳେ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖି ଗୋଡିଝରିଆର ଯୋଗେଶ୍ୱରୀ କ୍ଲବର ସଭାପତି ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଠଗଡ ଉପଜିଲ୍ଲାପାଳଙ୍କୁ ଭେଟି ଏ ସଂପର୍କରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ତୁରନ୍ତ ଉକ୍ତ ରାସ୍ତାକୁ ମରାମତି କରିବାକୁ ଆଠଗଡ ପୂର୍ତ୍ତବିଭାଗ ନିର୍ବାହୀଯନ୍ତ୍ରୀ ଇଂ ଦିନେଶ କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଉକ୍ତ ରାସ୍ତାଟି ଢେଙ୍କାନାଳ ପୂର୍ତ୍ତବିଭାଗ ଅଧିନରେ ଆସୁଥିବାରୁ ଆଠଗଡ ବିଭାଗୀୟ କର୍ତ୍ତୃପକ୍ଷ ମରାମତି କରିପାରିବେନି ବୋଲି ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହା ପରେ ଯୋଗେଶ୍ୱରୀ କ୍ଲବ ସଭାପତି ଓ ଅନ୍ୟ ସଦସ୍ୟ ଢେଙ୍କାନାଳ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଏ ସଂପର୍କରେ ଅଭିଯୋଗ କରି ରାସ୍ତା ମରାମତି ପାଇଁ ଅନୁରୋଧ କରିଥିଲେ। ଢେଙ୍କାନାଳ ପୂର୍ତ୍ତବିଭାଗ ପକ୍ଷରୁ ରାସ୍ତା ମରାମତି କରିବାରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖି ଗୁରୁବାର ଯୋଗେଶ୍ୱରୀ କ୍ଲବର ସଭାପତି ଶ୍ରୀ ସାହୁ ଓ ଅନ୍ୟ ସଦସ୍ୟମାନେ ନିଜେ ଗୋଟିଏ ଟ୍ରକ କ୍ରସରଗୁଣ୍ଡ ମଗାଇ କ୍ଲବର ସଦସ୍ୟମାନେ ନିଜେ ନିଜେ ସେହି ଖାଲଖମାକୁ ପୋତି ମରାମତି କରିଥିଲେ । ସ୍ଥାନୀୟ ଲୋକ କ୍ଲବର ସଦସ୍ୟମାନଙ୍କର ଏପରି ମହନୀୟ କାର୍ଯ୍ୟପାଇଁ ସେମାନଙ୍କୁ ବହୁ ପ୍ରଶଂସା କରିଥିଲେ। ଅପରାହ୍ନରେ ଢେଙ୍କାନାଳ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ନାୟକ ବିଭାଗୀୟ ଯନ୍ତ୍ରୀଙ୍କୁ ପଠାଇ ସଂପୃକ୍ତ ସ୍ଥାନକୁ ଦେଖିବା ପରେ ଆସନ୍ତା ୨ଦିନ ମଧ୍ୟରେ ସଂପୂର୍ଣ୍ଣ ମରାମତି କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।



