www.samajalive.in
Friday, December 5, 2025
20.1 C
Bhubaneswar

ବିଦ୍ୟୁତ୍ ସେବା ମାନକ ଉପରେ ମତାମତ ଦେବେ ଉପଭୋକ୍ତା

ଭୁବନେଶ୍ବର : ବିଦ୍ୟୁତ୍ ସେବା ମାନକ ଉପରେ ମତାମତ ଦେବେ ଉପଭୋକ୍ତା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ପ୍ରଥମ କରି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍ ଆବଣ୍ଟନ କମ୍ପାନୀର ବିଦ୍ୟୁତ୍ ସେବା ଏବଂ ଭିତ୍ତିଭୂମି ସମ୍ପର୍କରେ ଆସିଥିବା ଅଭିଯୋଗ ଗୁଡ଼ିକ ଉପରେ ଉପଭୋକ୍ତା ମତାମତ ରଖିବେ। ଓଇଆରସି ଗତ ୧୮ ତାରିଖରେ ଏକ ସାଧାରଣ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶାର ସମସ୍ତ ଏକକୋଟି ଉପଭୋକ୍ତାଙ୍କଠାରୁ ମତାମତ ଆହ୍ବାନ କରିଛନ୍ତି। ଉପଭୋକ୍ତାଙ୍କୁ ମତାମତ ଦେବା ପାଇଁ ପ୍ରାୟ ଏକମାସ ପ୍ରଦାନ କରାଯାଇଛି। ଅର୍ଥାତ ଉପଭୋକ୍ତାମାନେ ସାଧାରଣ ବିଜ୍ଞପ୍ତି ଅନୁସାରେ ନିଜର ଅଭିଯୋଗକୁ ଆସନ୍ତା ଅଗଷ୍ଟ ୧୬ ତାରିଖ ମଧ୍ୟରେ ସିଧାସଳଖ ଓଇଆରସିରେ ଦାଖଲ କରିବେ। ନିଜ ଅଞ୍ଚଳରେ ବିଦ୍ୟୁତ୍ ସେବା କିପରି ଅଛି, ମାସକୁ ହାରାହାରି କେତେଥର ଓ କେତେ ଘଣ୍ଟା ପାଇଁ ବିଦ୍ୟୁତ୍ କଟୁଛି, ଭୋଲଟେଜ୍ କିପରି ଅଛି, କେତେ ଦୂରରେ ଟ୍ରାନ୍ସଫର୍ମର ବସିଛି, ଲାଇନ୍‌, ଖମ୍ବ, ଓ ଟ୍ରାନ୍ସଫର୍ମର କେତେ ପୁରୁଣା ଏବଂ କିପରି ଅବସ୍ଥା ଅଛି, ନିକଟରେ ଥିବା ବିଦ୍ୟୁତ୍ ସେକ୍ସନ ଅଫିସ ଉପଭୋକ୍ତାଙ୍କ ଅଭିଯୋଗକୁ କିପରି ଓ କେତେ ସମୟରେ ସମାଧାନ କରୁଛି, ବିଦ୍ୟୁତ୍ ବିଲ୍ ଛଡ଼ା ଆଉ କେଉଁ ବାବଦରେ ଅର୍ଥ ଭରଣା କରିବାକୁ ପଡୁଛି, ବିଦ୍ୟୁତ୍ ବିଲ୍ ଠିକ୍ ସମୟରେ ଆସୁଛି କି ନାହିଁ, ମିଟର ସମସ୍ୟା, ବିଦ୍ୟୁତ୍ କର୍ମଚାରୀଙ୍କ ସାଧୁତା, ନୂଆ ଲାଇନ ସମସ୍ୟା ତଥା ପଡ଼ୋଶୀ ଗ୍ରାମ କିମ୍ବା ପଡ଼ାରେ ଲାଇନ୍‌ ଅଛି ନା ନାହିଁ; ଆଦି ଉପରେ ଉପଭୋକ୍ତା ମତାମତ ଦେଇପାରିବେ। ଉପଭୋକ୍ତା ଇମେଲ କିମ୍ବା ସ୍ପିଡ୍‌ପୋଷ୍ଟରେ ଓଇଆରସିଙ୍କୁ ମତାମତ ପଠାଇ ତାହାର ଗୋଟେ ନକଲ ନିଜର ଆବଣ୍ଟନ କମ୍ପାନୀକୁ ପ୍ରେରଣ କରିବେ। ଜନଶୁଣାଣି ଦିନ ଆଭାସି ମାଧ୍ୟମରେ କିମ୍ବା ବ୍ୟକ୍ତିଗତ ଭାବେ ଓଇଆରସି କାର୍ଯ୍ୟାଳୟରେ ଉପସ୍ଥିତ ରହି ଆୟୋଗଙ୍କୁ ମତାମତ ଦେଇପାରିବେ।
ସୂଚନା ଅନୁଯାୟୀ, ଓଡ଼ିଶାର ୧ କୋଟି ଉପଭୋକ୍ତାଙ୍କୁ ପ୍ରାୟ ୫ ବର୍ଷ ଧରି ଟାଟା ପାୱାର ବିଦ୍ୟୁତ୍ ସେବା ଯୋଗାଇ ଆସୁଛି। କେନ୍ଦ୍ରୀୟ ଓଡ଼ିଶାର ୮ଟି ଜିଲାକୁ ଜୁନ ପହିଲା ୨୦୨୦ରୁ ଟିପିସିଓଡିଏଲ ବିଦ୍ୟୁତ୍ ସେବା ଯୋଗାଉ ଥିବାବେଳେ ପଶ୍ଚିମ ଓଡ଼ିଶାର ୯ଟି ଜିଲା ଓ ଦକ୍ଷିଣ ଓଡ଼ିଶାର ୮ଟି ଜିଲାକୁ ଜାନୁଆରୀ ପହିଲା ୨୦୨୧ରୁ ଯଥାକ୍ରମେ ଟିପିଡବ୍ଲ୍ୟୁଓଡିଏଲ ଓ ଟିପିଏସଓଡିଏଲ ବିଦ୍ୟୁତ୍ ଯୋଗାଣ କରୁଛି। ସେହିପରି ଉତ୍ତର ଓଡ଼ିଶାର ଅବଶିଷ୍ଟ ୫ଟି ଜିଲାକୁ ଏପ୍ରିଲ ପହିଲା ୨୦୨୧ରୁ ଟାଟା ବିଦ୍ୟୁତ୍ ସେବା ଯୋଗାଇ ଆସୁଛି। ଓଇଆରସିର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଜେନା ୨୦୨୫ ଏପ୍ରିଲ ୮ରେ ଯୋଗଦେବା ପରେ ଟାଟାର ନିମ୍ନମାନର ବିଦ୍ୟୁତ୍‌ସେବା ଉପରେ ଆୟୋଗ ବାରମ୍ବାର ଅଭିଯୋଗ ପାଉଥିଲେ। ଟାଟାର ବିଦ୍ୟୁତ୍ ସେବା ଉପରେ ଆୟୋଗ ଅସନ୍ତୁଷ୍ଟ ଥିଲେ। ଓଇଆରସିର ପୂର୍ବତନ ସଭ୍ୟ ବିଜୟ ଚନ୍ଦ୍ର ଜେନା ଟାଟାର ଦୁର୍ବଳ ବିଦ୍ୟୁତ୍ ବିତରଣ ଭିତ୍ତିଭୂମି ତଥା ନିମ୍ନମାନର ବିଦ୍ୟୁତ୍ ସେବା ଉପରେ ଶକ୍ତିମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଉପଭୋକ୍ତା ଓ ଶ୍ରୀ ଜେନାଙ୍କଠାରୁ ପ୍ରାପ୍ତ ଅଭିଯୋଗ ତଥା ହସ୍ତାନ୍ତର ସର୍ତ୍ତାବଳୀକୁ ବିଚାରକୁ ନେଇ ଓଇଆରସିର ନିର୍ଦେଶକ (ନିୟାମକ ବ୍ୟାପାର) ପ୍ରିୟବ୍ରତ ପଟ୍ଟନାୟକ ନିଜଆଡ଼ୁ ଏକ ମାମଲା ଦାୟର କରିଥିଲେ। ମାମଲାର ସମାଧାନ ପାଇଁ ଟାଟାର ଚାରୋଟି ଆବଣ୍ଟନ କମ୍ପାନୀ, ଶକ୍ତି ସଚିବ, ଶ୍ରୀ ଜେନା ଓ ଅନ୍ୟ ଦୁଇଜଣ ଉପଭୋକ୍ତାଙ୍କୁ ମାମଲାରେ ପକ୍ଷ କରି ଜୁନ ୨୫ରେ ଓଇଆରସି ନୋଟିସ ଜାରି କରିଥିଲେ। ଟାଟା ଆବଣ୍ଟନ କମ୍ପାନୀଗୁଡ଼ିକ ଜୁଲାଇ ୪ରେ ମାମଲାରେ ଥିବା ଅଭିଯୋଗ ଉପରେ ଉତ୍ତର ରଖି ଏପରି ମାମଲାକୁ ବନ୍ଦ କରିବା ପାଇଁ ଆୟୋଗଙ୍କୁ ନିବେଦନ କରିଥିଲେ। ଗତ ୧୫ ତାରିଖରେ ମାମଲାର ଶୁଣାଣି ସମୟରେ ଟାଟାର ନିବେଦନକୁ ଆୟୋଗ ଖାରଜ କରିଥିଲେ। ଟାଟାର ନିମ୍ନମାନର ବିଦ୍ୟୁତ୍‌ସେବା ତଥା ଦୁର୍ବଳ ଭିତ୍ତିଭୂମି ଉପରେ ହୋଇଥିବା ଅଭିଯୋଗଗୁଡ଼ିକ ଉପରେ ଅଧିକରୁ ଅଧିକ ଉପଭୋକ୍ତାଙ୍କ ମତାମତ ଆବଶ୍ୟକ ଥିବା ଦର୍ଶାଇ ଆୟୋଗ ଜନଶୁଣାଣି କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଓଇଆରସି ଉପଭୋକ୍ତାଙ୍କଠାରୁ ମତାମତ ଆହ୍ବାନ କରିଛନ୍ତି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୯ରେ ଅନୁଷ୍ଠିତ ହେବ। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଆୟୋଗଙ୍କ ଏପରି ନିର୍ଦେଶକୁ ଐତିହାସିକ ଦର୍ଶାଇ କହିଛନ୍ତି ଯେ, ଓଇଆରସି ଗଠନର ୩୦ ବର୍ଷ ଭିତରେ ବିଦ୍ୟୁତ୍‌ସେବାର ମାନକ ଉପରେ ଉପଭୋକ୍ତାଙ୍କ ମତାମତକୁ ଆୟୋଗ ଉପେକ୍ଷା କରିଆସିଛନ୍ତି। ପ୍ରଥମ ଥର ଲାଗି ଓଇଆରସି ବିଦ୍ୟୁତ୍ ସେବା ମାନକ ଉପରେ ଉପଭୋକ୍ତାଙ୍କ ମତାମତକୁ ଜନଶୁଣାଣି ମାଧ୍ୟମରେ ଗ୍ରହଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories