ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଛି ତାତି। ୪୦ଡିଗ୍ରୀ ମୁହାଁଇଛି ସର୍ବାଧିକ ତାପମାତ୍ରା। ଶନିବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି। ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୯.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବାରିପଦାରେ ୩୯ ଡିଗ୍ରୀ ରହିଛି। ଭୁବନେଶ୍ବରରେ ୩୮.୪ ଡିଗ୍ରୀ ଏବଂ କଟକରେ ୩୭ ଡିଗ୍ରୀ ରେକର୍ଡ଼ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆଗକୁ ପାରଦ ଆହୁରି ତେଜିବାର ସମ୍ଭାବନା ରହିଛି।
ଆସନ୍ତା ୫ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବଢିବ ା ବର୍ତ୍ତମାନ ପରିସ୍ଥିତିରେ ଅନେକ ଅଞ୍ଚଳରେ ତାପମାତ୍ରା ୩୮ରୁ ୩୯ଡିଗ୍ରୀ ମଧ୍ୟରେ ରହିଛି। ଆଗକୁ ୬ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। ରାଜ୍ୟର କେତେକ ସହରରେ ପାରଦ ୪୪ରୁ ୪୫ଡିଗ୍ରୀ ଟପିବାର ସମ୍ଭାବନା ରହିଛି। ୧୫ ତାରିଖରୁ ତିନିଦିନଯାଏଁ ଗ୍ରୀଷ୍ମ ଲହର ନେଇ ହଳଦିଆ ସତର୍କତା ଦିଆଯାଇ ଥିବାବେଳେ ରବିବାର କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାର କେତେକ ଅଞ୍ଚଳ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବାରୁ ଗରମ ଅନୁଭୂତ ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।
ଅନ୍ୟପଟେ ପୂର୍ବ-ପଶ୍ଚିମ ନିମ୍ନଚାପରେଖା ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ରବିବାର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ।



