ଭୁବନେଶ୍ୱର: ରାଜ୍ୟର ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ କାରଣରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଯୋଗୁଁ ତାତିର ପ୍ରଭାବ ସେତେଟା ନଥିବା ବେଳେ ଗୁଳୁଗୁଳି ଅସହ୍ୟ କରିପକାଉଛି। ଶନିବାର ରାଜ୍ୟର ୧୩ ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଊର୍ଦ୍ଧ୍ବରେ ରହିଥିଲା।
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ଢେଙ୍କାନାଳ ଏବଂ କନ୍ଧମାଳର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହିତ ଝଡ଼ତୋଫାନ ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କନ୍ଧମାଳର କେତେକ ଅଞ୍ଚଳରେ ବଜ୍ରପାତ ସହିତ ଘଣ୍ଟା ପ୍ରତି ୪୦ କିମିରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଅନୁଗୋଳର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ଥିବାରୁ ଉପରୋକ୍ତ ଜିଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୫ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିପାରେ।



