ବିକଶିତ ଓଡ଼ିଶା, ବିକଶିତ ଭାରତ ଗଠନ ପାଇଁ ବିଶ୍ୱବିଦ୍ୟାଳୟ ହେଉଛି ଭିତ୍ତିଭୂମି – ରାଜ୍ୟପାଳ

ଡେସ୍କ: ବିକଶିତ ଓଡିଶା, ବିକଶିତ ଭାରତ ଗଠନ ପାଇଁ ବିଶ୍ୱବିଦ୍ୟାଳୟ ହେଉଛି ଭିତ୍ତିଭୂମି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି। ମଙ୍ଗଳବାର ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ରାଜ୍ୟର ବିଶ୍ଵବିଦ୍ୟାଳୟ ସମୁହର କୁଳପତି ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ବିଶ୍ଵବିଦ୍ୟାଳୟଗୁଡିକରେ ଶିକ୍ଷାଗତ ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣର ତତ୍ତ୍ଵାବଧାରକ ଭାବେ ବିଶ୍ଵବିଦ୍ୟାଳୟରେ ସୁରକ୍ଷିତ, ଅନ୍ତର୍ନିବେଶୀ ଓ ଶୃଙ୍ଖଳିତ ପରିବେଶ ସୁନିଶ୍ଚିତ କରିବା ପାଇଁ କୁଳପତିମାନେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ, ବିଶ୍ଵବିଦ୍ୟାଳୟ ହେଉଛି ଜ୍ଞାନ, ନବ ସୃଜନ ଓ ଦାୟିତ୍ବବାନ ନାଗରିକ ସର୍ଜନାର କେନ୍ଦ୍ର।
ରାଜ୍ୟପାଳ କହିଛନ୍ତି, ରାଷ୍ଟ୍ର ଗଠନରେ ଉଚ୍ଚ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ। ବିଶ୍ୱବିଦ୍ୟାଳୟର ପୁରୋଧା ଭାବରେ ଶୈକ୍ଷିକ ପରିମଣ୍ଡଳକୁ ରୂପରେଖ ଦେବାରେ, ନବ ସୃଜନକୁ ପ୍ରୋତ୍ସାହିତ କରିବାରେ ଏବଂ ଅନୁଷ୍ଠାନକୁ ଜ୍ଞାନ ଓ ଉତ୍କର୍ଷ କେନ୍ଦ୍ର କରିବାରେ କୁଳପତିମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ନୂତନ ଶିକ୍ଷାନୀତି-୨୦୨୦ ଲାଗୁ ହୋଇଥିବାରୁ ରାଜ୍ୟପାଳ ସନ୍ତୋଷ ପ୍ରକଟ କରିବା ସହିତ ଏହା ବହୁମୁଖୀ ଶିକ୍ଷା, ଗବେଷଣା, ଦକ୍ଷତା ବିକାଶ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଯୋଗାଇବ ବୋଲି କହିଥିଲେ। ନୂତନ ଶିକ୍ଷାନୀତିରେ ଅଭିନବ ଶିକ୍ଷା ପଦ୍ଧତିକୁ ଗ୍ରହଣ କରିବା, ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ତର୍ଜାତୀୟ ଅନୁଷ୍ଠାନ / ପ୍ରତିଷ୍ଠାନ ସହିତ ସମନ୍ବୟ ଓ ସହଯୋଗ ବୃଦ୍ଧିକୁ ଗୁରୁତ୍ବ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କୁ କେବଳ ନିଯୁକ୍ତି ପାଇଁ ପ୍ରସ୍ତୁତ ନକରି ବିଭିନ୍ନ କ୍ଷେତ୍ରରେ ନେତୃତ୍ବ ନେବା ନିମନ୍ତେ ପ୍ରସ୍ତୁତ କରିବାକୁ ନୂତନ ଶିକ୍ଷାନୀତି ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ।
ବିଶ୍ଵବିଦ୍ୟାଳୟ ପାଇଁ ଆର୍ଥିକ ସ୍ବଚ୍ଛତା, ଦାୟିତ୍ଵପୂର୍ଣ ବଜେଟ୍ ପ୍ରସ୍ତୁତି, ପାଣ୍ଠିର ସୁବିନିଯୋଗ, ନିୟମିତ ଅଡିଟ୍, ନିର୍ଦ୍ଧାରିତ ସମୟରେ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ଏତଦ୍ବ୍ୟତୀତ ସଂପ୍ରତି ଡିଜିଟାଲ ଯୁଗରେ ସାଇବର କ୍ରାଇମ୍ ବୃଦ୍ଧି ପାଉଥିବାରୁ ସାଇବର ନିରାପତ୍ତା ଦିଗରେ ବିଶ୍ଵ ବିଦ୍ୟାଳୟମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଯୌନ ନିର୍ଯ୍ୟାତନା ଘଟଣା ଏଡାଇବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ, ଦାୟିତ୍ବବାନ ଏବଂ ଦେଶପ୍ରେମୀ ନାଗରିକଭାବେ ଗଢ଼ି ତୋଳିବା ପାଇଁ ଏନ୍.ସି.ସି.ରେ ଛାତ୍ରଛାତ୍ରୀମାନଙ୍କର ଅଂଶ ଗ୍ରହଣକୁ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ କହିଥିଲେ।
ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ବ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକସ୍ ଓ ଆଇ.ଟି. ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବକ୍ତବ୍ୟ ପ୍ରଦାନ କରି ଉଚ୍ଚ ଶିକ୍ଷା ସହିତ ସଂପର୍କିତ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ଓ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।
Comments are closed.