ନୂଆଦିଲ୍ଲୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ୩୭ଜଣିଆ ଦୌଡ଼କୁଦ ଦଳ ମନୋନୟନ କରାଯାଇଛି। ଦଳରେ ଟୋକିଓ ଅଲିିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ସମେତ ଦୁଇ ଓଡ଼ିଆ ଅଲିମ୍ପିଆନ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପାଇଛନ୍ତି। ଜାଭେଲିନ୍ ଥ୍ରୋ ରେ ନୀରଜଙ୍କ ସମେତ ଡି.ପି ମାନୁ, ରୋହିତ ଯାଦବ ରହିଛନ୍ତି। ତ୍ରିପଲ ଜମ୍ପରେ ଅବଦୁଲ୍ଲା ଆବୋଦକର, ପ୍ରବୀଣ ଚିତ୍ରିଭାଲ ଓ ଇଲଡୋସେ ପଲ ରହିଛନ୍ତି। ସଟ୍ପୁଟ୍ରେ ତେଜିନ୍ଦର ପାଲ୍ ସିଂହ ତୁର୍, ଆମୋଜ ଜ୍ୟାକବ, ଡିସ୍କସ ଥ୍ରୋ ରେ ନଭଜିତ କୌର ଧିଲନ, ସୀମା ପୁନିଆ, ହାର୍ମର ଥ୍ରୋ ରେ ସରିତା ସିଂହ, ଭାବନା ଜେଟ୍ ପ୍ରମୁଖ ରହିଛନ୍ତି ବୋଲି ଏଏଫଆଇ ସଭାପତି ଆଦିଲ ସୁମାରିୱାଲା କହିଛନ୍ତି। ଓଡ଼ିଆ ଧାବିକା ଦୂତି ଚାନ୍ଦ ନିକଟରେ ଚେନ୍ନଇରେ ଆୟୋଜିତ ଆନ୍ତଃରାଜ୍ୟ ଦୌଡକୁଦ ପ୍ରତିଯୋଗିତାର ୧୦୦ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ। ଦୂତି ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ ମଧ୍ୟ ପଦକ ହାସଲ କରିପାରିନାହାନ୍ତି। ଚଳିତ ଥର ଦୂତିଙ୍କ ନିକଟରେ ପଦକ ହାସଲ ନେଇ ସୁଯୋଗ ରହିଛି।
ସେହିପରି ଅନ୍ୟତମ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଜାମାଇକାରେ ପ୍ରଶିକ୍ଷଣ ହାସଲ କରି ଭାରତ ଫେରିବା ପରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଶ୍ରାବଣୀ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଇଣ୍ଡିଆନ ଗ୍ରାଁ ପ୍ରି -୩ରେ ୨୦୦ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେ ୨୪.୪ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିପରି ଇଣ୍ଡିଆନ ଗ୍ରାଁ ପ୍ରି-୪ ମହିଳା ୧୦୦ମିଟର ଦୌଡ଼ରେ ମଧ୍ୟ ଶ୍ରାବଣୀ ସ୍ବର୍ଣ୍ଣ ପଦକ ଜିତିଥିଲେ। ଦୂତି ଓ ଶ୍ରାବଣୀ ୪ ଗୁଣା ୧୦୦ ମିଟର ମହିଳା ରିଲେରେ ହିମା ଦାସ, ଏମ.ଭି ଜିଲ୍ନା ଓ ଏନ.ଏସ୍ ସିିମିଙ୍କ ସହ ପ୍ରତିନିଧିତ୍ବ କରିବେ। ଶ୍ରାବଣୀ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୪ ଗୁଣା ୧୦୦ମିଟର ରିଲେରେ କାଂସ୍ୟ ପଦକ ଜିତିଥିଲେ।



