ପୂର୍ବତନ ବିଧାୟକ ସରକାରୀ ଘର ନଛାଡିଲେ ବିଦ୍ୟୁତ୍ ଓ ପାଣି ସଂଯୋଗ ବିଚ୍ଛିନ୍ନ କରିବାକୁ ବାଚସ୍ପତିଙ୍କ ନିର୍ଦେଶ
ଭୁବନେଶ୍ୱର: ସରକାରୀ ବାସଗୃହ ଛାଡୁନଥିବା ପୂର୍ବତନ ବିଧାୟକ ଓ ବିଧାୟିକାଙ୍କ ବାସଗୃହ ଆବଣ୍ଟନ ରଦ୍ଦ କରିବାକୁ ବିଧାନସଭା ପକ୍ଷରୁ ପତ୍ର ପଠାଯାଇଛି। ଏହାସତ୍ତ୍ବେ ଅନେକ ଘର ଛାଡ଼ିନାହାନ୍ତି। ସେହିସବୁ ଗୃହର ବିଦ୍ୟୁତ ଓ ପାଣି ସଂଯୋଗ ଯଥାଶୀଘ୍ର ବିଚ୍ଛିନ୍ନ କରିବାକୁ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦେଶ ଦେଇଛନ୍ତି।
ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଦୀର୍ଘ ଦିନ ହେଲା ବାସଗୃହ ଆବଣ୍ଟିତ ହୋଇଥିଲେ ମଧ୍ୟ ପୂର୍ବତନ ବିଧାୟକମାନେ ଘର ଛାଡୁନାହାନ୍ତି। ଏଥିଯୋଗୁଁ ନବନିର୍ବାଚିତ ବିଧାୟକ ଘର ପାଉନଥିବା ନେଇ ଉଦବେଗ ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଆଲୋଚନା ସମୟରେ ଶ୍ରୀ ପାତ୍ର ଏହି ନିର୍ଦେଶ ଦେଇଛନ୍ତି।
ବୈଠକରେ ବିଧାୟକ ଓ ବିଧାୟିକାମାନଙ୍କ ବାସଗୃହ ଅଭାବ ସମସ୍ୟା ଦୂର କରିବା ପାଇଁ
ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ସୂଚନାଯୋଗ୍ୟ ଯେ ଚଳିତ ବିଧାନସଭାକୁ ନିର୍ବାଚିତ ବହୁ ବିଧାୟକ ଏପର୍ଯ୍ୟନ୍ତ ସରକାରୀ ବାସଗୃହ ପାଇନାହାନ୍ତି। ଏକାଧିକ ବିଧାୟକଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ବାସଗୃହ ଓ ଆବାସିକ କାର୍ଯ୍ୟାଳୟ ପାଇଁ ସରକାରୀ ଗୃହ ମିଳିନଥିବା ଜଣାଯାଇଛି। ପୂର୍ବତନ ବିଧାୟକ, ବିଧାୟିକା ଓ ମନ୍ତ୍ରୀ ବାସଗୃହ ଛାଡୁନଥିବାରୁ ତିନିମାସ ହେଲା ଅଧିକାଂଶ ନୂଆ ବିଧାୟକ ସରକାରୀ ବାସଗୃହ ନପାଇ ଅତିଥିଭବନ ସମେତ ବିଭିନ୍ନ ସ୍ଥାନରେ ରହୁଛନ୍ତି।