ପଶ୍ଚିମ ଓଡ଼ିଶାକୁ ମିଳିପାରେ କେନ୍ଦ୍ରମନ୍ତ୍ରୀ ପଦ

ନୂତନ ରାଜ୍ୟପାଳଙ୍କ ନିଯୁକ୍ତି ଖୁବ୍‌‌ଶୀଘ୍ର, ଘୋଷଣା ହୋଇପାରେ ରାଜ୍ୟ ବିଜେପି ପଦାଧିକାରୀ ତାଲିକା, ବଦଳିବ ରାଜ୍ୟ ରାଜନୀତି ପାଣିପାଗ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଉଭୟ ଜାତୀୟ ଏବଂ ରାଜ୍ୟ ରାଜନୀତି ପାଇଁ ଜୁଲାଇ ୨୦୨୩ ବେଶ ଗୁରୁତ୍ୱପୂର୍ଣ୍ଣ । ଚଳିତ ମାସରେ ଜାତୀୟସ୍ତରରେ କେନ୍ଦ୍ର ସରକାର, ବିଜେପି ଏବଂ କଂଗ୍ରେସ ଭଳି ରାଜନୈତିକ ଦଳର ନିଷ୍ପତ୍ତି କେବଳ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିବ ନାହିଁ, ନୂଆ ମୋଡ଼ ଦେବାର ସମ୍ଭାବନା ରହିଛି। ରାଜନୈତିକ ଘଟଣାକ୍ରମର ସବୁଠାରୁ ବଡ଼ ଦିଗ ହେଲା ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳର ଶେଷ ଅଦଳବଦଳ ହେବ। କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ପ୍ରତିନିଧି ଶୂନ୍ୟ ପଶ୍ଚିମ ଓଡ଼ିଶାରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ। ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାର ଜଣେ ସାଂସଦଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲେ ପଶ୍ଚିମ ଓଡ଼ିଶାରେ ରାଜନୈତିକ ସମୀକରଣ ଉପରେ ଏହାର ପ୍ରଭାବ ପଡ଼ିବ। ସେହିପରି ଜାତୀୟ ଗଣମାଧ୍ୟମରେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ସଂଗଠନରେ ବଡ଼ ରାଜ୍ୟର ପ୍ରଭାରୀ ଦାୟିତ୍ୱ ମିଳିବା ବିଷୟରେ ଚର୍ଚ୍ଚା ହେଉଛି।
ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କାର୍ଯ୍ୟକାଳ ଗତ ମେ ୨୮ରୁ ଶେଷ ହୋଇଛି। ତାଙ୍କ ସ୍ଥାନରେ ଖୁବ୍‌‌ଶୀଘ୍ର ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ମିଳିବ। ସାଂବିଧାନିକ ବିଧି ବ୍ୟବସ୍ଥାରେ ଯେହେତୁ ରାଜ୍ୟପାଳ କେନ୍ଦ୍ରର ପ୍ରତିନିଧି ଭାବେ କାର୍ଯ୍ୟ କରନ୍ତି ରାଜନୈତିକ ଦୃଷ୍ଟିରୁ ନିର୍ବାଚନୀ ବର୍ଷରେ ତାଙ୍କ ଭୂମିକା ବେଶ ମହତ୍ତ୍ୱପୂର୍ଣ୍ଣ। ସାଧାରଣ ନିର୍ବାଚନ ପୂର୍ବରୁ ନୂତନ ରାଜ୍ୟପାଳଙ୍କ ନିଯୁକ୍ତି ରାଜ୍ୟ ରାଜନୀତିକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ।
କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବାଦ ପଡ଼ିଥିବା ଅଧିକାଂଶ ନେତାଙ୍କୁ ବିଜେପି ରାଷ୍ଟ୍ରୀୟ ସଂଗଠନରେ ଥଇଥାନ ଯୋଜନା ରହିଛି। ଏହି କ୍ରମରେ ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ଓଡ଼ିଶାରୁ ଅତିକମ୍‌‌ରେ ତିନି ଜଣ ବରିଷ୍ଠ ନେତା ସ୍ଥାନ ପାଇବେ। ଓଡ଼ିଶା ନେତାଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ସାଧାରଣ ସମ୍ପାଦକ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ପଦ ମିଳିବା ସମ୍ଭାବନା ରହିଛି । ଡି. ପୁରନ୍ଦେ‌ଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତି ପରେ ଖୁବ୍‌‌ଶୀଘ୍ର ଜଣେ ନୂତନ ନେତାଙ୍କୁ ରାଜ୍ୟ ବିଜେପି ପ୍ରଭାରୀ ଦାୟିତ୍ୱ ମିଳିବ। ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ତାଲିକା ଘୋଷଣା ବେଳେ ଓଡ଼ିଶା ରାଜ୍ୟ ବିଜେପି ସାଂଗଠନିକ ପ୍ରଭାରୀଙ୍କ ନାମ ଘୋଷଣା ହେବ। ଉଭୟ ରାଜ୍ୟ ରାଜନୀତି ଓ ଦଳୀୟ ସଂଗଠନରେ ସାଂଗଠନିକ ପ୍ରଭାରୀଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ। ରାଜ୍ୟରେ ଶାସକ ବିଜେଡ଼ି ବିରୁଦ୍ଧରେ ରାଜନୈତିକ ଲଢ଼େଇ ପାଇଁ ସେ ନିର୍ବାଚନୀ ବର୍ଷରେ ଦଳୀୟ ରଣନୀତି ପ୍ରସ୍ତୁତ କରିବେ। କେନ୍ଦ୍ର ମନ୍ତ୍ରିମଣ୍ଡଳ ଓ ବିଜେପି ରାଷ୍ଟ୍ରୀୟ ସଂଗଠନ ସଜଡ଼ା ଯିବା ସହ ରାଜ୍ୟରେ ବିଜେପି ସଭାପତି ମନମୋହନ ସାମଲଙ୍କ ନୂଆ ଟିମ ମଧ୍ୟ ଘୋଷଣା ହେବ। ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ ନୂଆ ପଦାଧିକାରୀ ତାଲିକା ଘୋଷଣା ପାଇଁ ବାରମ୍ବାର ଦିଲ୍ଲୀ ଦୌଡ଼ୁଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ତାଲିକା କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱଙ୍କ ଅନୁମୋଦନ ଲାଭ କରିପାରିନାହିଁ। ମନମୋହନଙ୍କ ନୂଆ ରାଜ୍ୟ ସାଂଗଠାନିକ ଟିମ ଘୋଷଣା ବିଳମ୍ବ ପଛରେ ଦଳୀୟ କନ୍ଦଳ ହିଁ ମୁଖ୍ୟକାରଣ ବୋଲି ଜଣାପଡ଼ିଛି।

prayash

ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଦାୟିତ୍ୱ ନେବାର ଆଠ ମାସ ବିତିଯାଇଥିଲେ ସୁଦ୍ଧା ତାଙ୍କର ନୂଆ ଟିମ ଏପର୍ଯ୍ୟନ୍ତ ଘୋଷଣା ହୋଇପାରିନାହିଁ। ଆସନ୍ତା ମୌସୁମୀ ଅଧିବେଶନ ଜୁଲାଇ ୨୦ ପୂର୍ବରୁ ଏଆଇସିସିର ନୂଆ ଟିମ ଘୋଷଣା ହେବା ସମ୍ଭାବନା ରହିଛି। ନୂଆ ଏଆଇସିସି ଟିମରେ ସ୍ଥାନ ପାଇବା ଲାଗି ଓଡ଼ିଶା କଂଗ୍ରେସ ନେତା ଭକ୍ତଚରଣ ଦାସ, ଡ଼ ରାମଚନ୍ଦ୍ର ଖୁଣ୍ଟିଆ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନାଙ୍କ ଭଳି ନେତା ଦୌଡ଼ରେ ଅଛନ୍ତି। ସମ୍ପ୍ରତି ଭକ୍ତ ଚରଣ ଦାସ ଏଆଇସିସିର ବିହାର, ମଣିପୁର ଓ ମିଜୋରାମ ଭଳି ରାଜ୍ୟର ସାଂଗଠାନିକ ପ୍ରଭାରୀ ଦାୟିତ୍ୱ ତୁଲାଉଛନ୍ତି। କିଛି ଦିନ ପୂର୍ବେ ଓଡ଼ିଶା କଂଗ୍ରେସ ପ୍ରଭାରୀ ପଦରେ ରହିବାକୁ ଡ଼ ଚେଲାକୁମାର ଅନିଚ୍ଛା ପ୍ରକାଶ କରି ଦଳୀୟ ଶୀର୍ଷ ନେତୃତ୍ୱଙ୍କୁ ଜଣାଇଥିଲେ। ଏଥିସହ ରାଜ୍ୟ କଂଗ୍ରେସ ପ୍ରଭାରୀ ଭାବେ ତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲେ। ୨୦୨୪ ସାଧାରଣ ନିର୍ବାଚନ ଆଠ ମାସ ବାକି ଥିବାରୁ ସେ ନିଜ ନିର୍ବାଚନମଣ୍ଡଳୀ ତାମିଲନାଡ଼ୁର କ୍ରିଷ୍ଣାଗିରି ଲୋକସଭା କ୍ଷେତ୍ରରେ ଅଧିକ ସମୟ ଦେବାକୁ ଚାହୁଁଛନ୍ତି। ଏହି କ୍ରମରେ ଏଆଇସିସିର ନୂଆ ଟିମ ଘୋଷଣା ମାଧ୍ୟମରେ ଓଡ଼ିଶା କଂଗ୍ରେସ ସଂଗଠନକୁ ଜଣେ ନୂଆ ପ୍ରଭାରୀ ମିଳିବା ସମ୍ଭାବନା ରହିଛି। ତେବେ ଡ଼ ଚେଲାକୁମାରଙ୍କୁ ହଟାଇବା ପାଇଁ ଅଖିଳ ଭାରତ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ. ସି. ବେଣୁଗୋପାଳ ଅମଙ୍ଗ ଥିବା ଜଣାପଡ଼ିଛି। ସେହିପରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନୂଆ ପିସିସି ପଦାଧିକାରୀ ତାଲିକା ଘୋଷଣା ପରେ ଦଳ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷ ଏପର୍ଯ୍ୟନ୍ତ ଥମି ନାହିଁ। ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ ଅତିରିକ୍ତ ପିସିସି ପଦାଧିକାରୀ ତାଲିକା ଏବଂ ଅତିରିକ୍ତ ଜିଲା ସଭାପତି ତାଲିକା ଅନୁମୋଦନ ଲାଗି ପିସିସି ସଭାପତି ଦୁଇ ମାସ ଧରି ରାଜଧାନୀ ଦିଲ୍ଳୀ ଦୌଡ଼ୁଛନ୍ତି। ଅତିରିକ୍ତ ତାଲିକା ଅନୁମୋଦନ ପ୍ରସଙ୍ଗରେ ଏଆଇସିସି ଅଦ୍ୟାବଧି ପିସିସି ସଭାପତିଙ୍କୁ ସବୁଜ ସଂକେତ ଦେଇନଥିବା ଜଣାପଡ଼ିଛି।

Comments are closed.