କଂଗ୍ରେସ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଘଟଣା, ୧୨ ପୁଲିସ ଆହତ – ପୁଲିସ ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ଡେସ୍କ: ଗୁରୁବାର ଭୁବନେଶ୍ୱର ଲୋୟର ପିଏମ୍‌‌ଜିରେ କଂଗ୍ରେସ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଘଟଣାରେ ୧୨ ପୁଲିସ ଆହତ ହୋଇଥିବା ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି। ସେ କହିଛନ୍ତି ଯେ ଆହତ ୧୨ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ଆନ୍ଦୋଳନକାରୀମାନେ ଗୋଟିଏ ପୁଲିସ ଭ୍ୟାନ୍‌‌ରେ ନିଅଁ ଲଗାଇବା ପାଇଁ ଉଦ୍ୟମ କରିଥିଲେ। ଆନ୍ଦୋଳନକାରୀ ବ୍ୟାରିକେଡ୍‌‌ ଭାଙ୍ଗି ଆଇନ ଉଲ୍ଲଙ୍ଘନ କରିଛନ୍ତି ଓ ଏ ନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ଆଜିର ଘଟଣାରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ପୁଲିସ ବିଫଳ ହୋଇଥିବା କୁହାଯାଉଛି। ବହୁ ପୂର୍ବରୁ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଓ ନେଇ ଅବଗତ କରାଯାଇଥିଲେ ମଧ୍ୟ ପୁଲିସ ସେତେଟା ସତର୍କତା ଅବଲମ୍ବନ କରି ନ ଥିଲା। ଯଦିଓ ଆଜିର ଘଟଣାରେ ଉଭୟ ପୁଲିସ ଓ କଂଗ୍ରେସ ପରସ୍ପରକୁ ଦାୟୀ କରୁଛନ୍ତି, କିନ୍ତୁ ଏଭଳି ଘଟଣାକୁ ଏଡାଇ ଦିଆଯାଇପାରିଥାନ୍ତା ବୋଲି ଆଲୋଚନା ହେଉଛି। ପ୍ରାୟ ୮୦ରୁ ଅଧିକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପରିଚାଳନାଗତ ତ୍ରୁଟି ଯୋଗୁ ସମ୍ପୃକ୍ତ ଅଂଚଳ ରଣକ୍ଷେତ୍ର ପାଲଟିଲା ବୋଲି ମନେ କରାଯାଉଛି। ପୁଲିସ ଆକ୍ରୋଶମୂଳକ ମନୋଭାବ ରଖି କାର୍ଯ୍ୟ କରିଥିବା କଂଗ୍ରେସ ଅଭିଯୋଗ କରିଥିବା ବେଳେ ପୁଲିସ ପକ୍ଷରୁ କୁହାଯାଇଛି ଯେ କଂଗ୍ରେସ ପୂର୍ବରୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବ ବୋଲି କହି ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲା। ତେଣୁ ଆଜିର ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କୁ ସିସିଟିଭି ଯାଞ୍ଚ କରାଯାଇ ଗିରଫ କରାଯିବ ବୋଲି ପୁଲିସ କହିଛି।

Comments are closed.