୯୦ ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ

କେନ୍ଦୁଝରଗଡ଼ : କେନ୍ଦୁଝର ରିଜର୍ଭ ପୁଲିସ ପଡିଆଠାରେ ଓଡ଼ିଶା ପୁଲିସର ୯୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଆରକ୍ଷୀ ନିରୀକ୍ଷକ ଦେବାଶିଷ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ମିଳିତ ପରେଡରେ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଅଭିବାଦନ ଗ୍ରହଣ କରିବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତାକୁ ପଢି ଶୁଣାଇଥିଲେ । ସାମ୍ବିଧାନିକ ସୁରକ୍ଷା ସହ ଆଇନର ଶାସନ ପ୍ରତିଷ୍ଠା ଓ ଜନସାଧାରଣଙ୍କ ପ୍ରତି ପୁଲିସ ଆସ୍ଥାଭାଜନ ହେବାକୁ ଏସ୍.ପି.ଶ୍ରୀ କୁଶଲକର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧିତ କରି ଏହା କହିଥିଲେ । ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପୁଲିସ ତା’ର ଦାୟିତ୍ୱ, ଶୃଙ୍ଖଳା, ନିରପେକ୍ଷତା ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଏସ୍.ପି. ଶ୍ରୀ କୁଶଲକର ଭାଷଣ ପ୍ରସଙ୍ଗରେ ବିଭାଗୀୟ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ । ରାଜ୍ୟବାସୀଙ୍କ ସେବାରେ ସର୍ବଦା ନିୟୋଜିତ ଓଡିଶା ପୁଲିସର ଶାନ୍ତିଶୃଙ୍ଖଳା ରକ୍ଷା ଭୂମିକାକୁ ଆରକ୍ଷୀ ଅଧିକ୍ଷକ ପ୍ରଶଂସା କରିଥିଲେ ।
ଏହି ଅବସରରେ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାମେବାରୀ ଥାନା ସବ୍ଇନ୍ସପେକକ୍ଟର ତରଣୀସେନ ବାଗଙ୍କୁ ଜିଲାର ଶ୍ରେଷ୍ଠ ପୁଲିସ ଅଧିକାରୀ, ପୁଲିସ ମୁଖ୍ୟାଳୟ ଡିଆଇବି ଏଏସ୍ଆଇ ବିମଳ କୁମାର ଗିରି, ସଶସ୍ତ୍ରବାହୀନି ଏପିଆର ହାବିଲଦାର ରଜତ କୁମାର ମହାନ୍ତ, ହାଟଡିହି ଜେଏମ୍ଏଫ୍ସି ଅଦାଲତରେ କାର୍ଯ୍ୟରତ ଚିତ୍ତରଞ୍ଜନ ସାହୁଙ୍କୁ ଶ୍ରେଷ୍ଠ ଓଆର କନଷ୍ଟେବଳ, ଶ୍ରେଷ୍ଠ ଏପିଆର କନଷ୍ଟେବଳ ଚିନ୍ମୟାନନ୍ଦ ସାହୁ ଓ ଶ୍ରେଷ୍ଠ ଟ୍ରାଫିକ୍ କନଷ୍ଟେବଲ ଭାବେ ପ୍ରମୋଦ କୁମାର କେହେରାଙ୍କୁ ଏସ୍.ପି. ନିତିନ କୁଶଲକର ପୁରସ୍କୃତ କରିଥିଲେ । ଏହି ଅବସରରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ପ୍ରତ୍ୟୁଷ କୁମାର ମହାପାତ୍ର, ହରପ୍ରୀୟା ନାୟକ ଓ ଜ୍ୟୋର୍ତିମୟ ଭୁକ୍ତା, ସଦର ଏସ୍ଡିପିଓ ସୁଦର୍ଶନ ଗଙ୍ଗୋଇ, ଡିଏସ୍ପି ଡୋଳମଣୀ ଭୋଇ, ଉଲ୍ଲାସୀ ମାଝୀ, ପ୍ରଭା ଧାନ, ଟାଉନଥାନା ଅଧିକାରୀ ଶ୍ରୀକାନ୍ତ ସାହୁ, ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ଉପସଭାପତି ପ୍ରବୀଣ କୁମାର ମହାନ୍ତ ଓ ସମ୍ପାଦକ କମଳାକାନ୍ତ ସେଠୀଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
Comments are closed.