ଭୁବନେଶ୍ୱର,୩୦।୫(ନି.ପ୍ର): ସରକାରସ୍ତରରେ ପୁସ୍ତକ ମନୋନୟନ ପ୍ରକ୍ରିୟା, ବିଭିନ୍ନ ଯୋଜନାରେ ପାତରଅନ୍ତର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀରେ ସଭାପତି ନିଯୁକ୍ତି ଆଦି ପ୍ରସଙ୍ଗରେ ଅଣ୍ଟା ଭିଡ଼ିଛନ୍ତି ପ୍ରକାଶକ। ବୁଦ୍ଧମନ୍ଦିର ପରିସରରେ ଶୁକ୍ରବାର ରାଜ୍ୟର ୫୦ରୁ ଅଧିକ ପୁସ୍ତକ ପ୍ରକାଶକ ଏକାଠି ହୋଇ ତିନି ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ, ସଚିବ ଓ ନିର୍ଦେଶକଙ୍କୁ ପଠାଯାଇଛି। ଏଥିରେ ସରକାରଙ୍କ ସାହିତ୍ୟ ଓ ସଂସ୍କୃତି ଅଭିମୁଖୀ କାର୍ଯ୍ୟକ୍ରମର ପ୍ରଶଂସା କରାଯିବା ସହ ଓଡ଼ିଆ ଅସ୍ମିତା ରକ୍ଷା ପାଇଁ ପ୍ରକାଶକମାନେ ସର୍ବଦା ସରକାରଙ୍କ ସହ ରହିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ମହାବିଦ୍ୟାଳୟ ପାଠାଗାର ନିମନ୍ତେ ପୁସ୍ତକ ତାଲିକାରେ ନିର୍ଦିଷ୍ଟ ୪-୫ ଜଣ ପ୍ରକାଶକଙ୍କ ପୁସ୍ତକକୁ ଅଗ୍ରାଧିକାର ଦିଆଯାଇଥିବାବେଳେ ଶତାଧିକ ପ୍ରକାଶକଙ୍କୁ ଉପେକ୍ଷା କରାଯାଇଛି। ଏହି ମନୋନୟନ କମିଟିରେ ଥିବା ଜଣେ ସଦସ୍ୟ ଜାଣିଶୁଣି ଏଭଳି କରିଛନ୍ତି ବୋଲି ପ୍ରକାଶକ ସମୂହ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ତାଲିକାକୁ ବାତିଲ କରାଯାଇ ସରକାରୀ ନିୟମ ଆଧାରରେ ସାନି ତାଲିକା ପ୍ରକାଶ କରିବାକୁ ପ୍ରକାଶକମାନେ ଦାବି କରିଛନ୍ତି। ପ୍ରାୟ ୨୦ ବର୍ଷ ଧରି ବିଭିନ୍ନ ମନୋନୟନ କମିଟିରେ ରହି ନିର୍ଦିଷ୍ଟ ସଦସ୍ୟ ୪-୫ ଜଣ ପ୍ରକାଶକଙ୍କୁ କାର୍ଯ୍ୟାଦେଶ ଦେବାରେ ସହଯୋଗ କରୁଛନ୍ତି ବୋଲି ପ୍ରକାଶକ ସମୂହ ଅଭିଯୋଗ କରିଛନ୍ତି। ଓସେପା, ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ ବା ଅନ୍ୟ କୌଣସି ସରକାରୀ ସଂସ୍ଥାର ମନୋନୟନ ପ୍ରକ୍ରିୟାରେ ତାଙ୍କୁ ସାମିଲ ନକରିବା ପାଇଁ ପ୍ରକାଶକମାନେ ଅନୁରୋଧ କରିଛନ୍ତି।
କେବଳ ସେତିକି ନୁହେଁ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଓ ଉପସଭାପତି ଭଳି ମର୍ଯ୍ୟାଦାସମ୍ପନ୍ନ ପଦରେ ସମ୍ପୃକ୍ତ ସଦସ୍ୟଙ୍କୁ ଅବସ୍ଥାପିତ କରାଯିବା ଲାଗି ମସୁଧା ଚାଲିଥିବାବେଳେ ତାଙ୍କୁ କୌଣସି ପଦପଦବୀରେ ନ ରଖିବା ଲାଗି ପ୍ରକାଶକମାନେ ପତ୍ରରେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଚିଠିର ଏକକିତା ନକଲ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଉଚ୍ଚଶିକ୍ଷା ନିର୍ଦେଶାଳୟ, ଗଣଶିକ୍ଷା ନିର୍ଦେଶାଳୟ ଓ ଓଡ଼ିଶା ସାହିତ୍ୟ ଏକାଡେମୀକୁ ମଧ୍ୟ ପ୍ରେରଣ କରାଯାଇଛି। ଏହାଛଡ଼ା ପୁସ୍ତକ ମନୋୟନରେ ୨୦ ବର୍ଷ ଧରି ଚାଲିଥିବା ଏକଚାଟିଆ କାରବାର ବନ୍ଦ କରାନଗଲେ ପ୍ରକାଶକମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଜୟକୃଷ୍ଣ ମହାପାତ୍ର, ଭିକାରି ଧଳ, ବନ୍ଦନା ମିଶ୍ର, ଶୁଭେନ୍ଦୁ କୁମାର ପାତ୍ର, କରୁଣାକର ପୃଷ୍ଟି, ସସ୍ମିତା ଦାଶ, କ୍ଷୀରୋଦ ଚନ୍ଦ୍ର ପତି, ସରୋଜ ବଳ, ବନୋଜ ତ୍ରିପାଠୀ, ଅଭୟ ଦାସ, ସୁଧୀର ମଉଡ଼ମଣି, ଶୁଭ୍ରାଂଶୁ ପଣ୍ଡା, ରାଧାକୃଷ୍ଣ ଘଡ଼େଇ, ବିରଞ୍ଚି ନାରାୟଣ ଦାଶ, ପବିତ୍ର ବ୍ରହ୍ମପୁତ୍ର ନାୟକ, ଅରବିନ୍ଦ ସାହୁ, ତୁଷାର ବରଣ ସାହୁ, ରଜତରଶ୍ମି ସ୍ବାଇଁ ପ୍ରମୁଖ ୫୦ରୁ ଅଧିକ ପ୍ରକାଶକ ଉପସ୍ଥିତ ଥିଲେ।
ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ସଦସ୍ୟ ଅରବିନ୍ଦ ରାୟ କହିଛନ୍ତି, କମିଟିରେ ୧୫ ଜଣ ସଦସ୍ୟ ଅଛନ୍ତି। ଯେଉଁଥିରେ ୧୩ ଜଣ ଅଧ୍ୟାପକ, ମୁଁ ଏବଂ ଅନ୍ୟ ଜଣେ ଅଣଅଧ୍ୟାପକ। ମୁଁ ଜେଣ କିଭଳି ଏଭଳି ପଦକ୍ଷେପ ନେଇପାରିବି। ମୋ ଉପରେ ବ୍ୟକ୍ତିଗତ ଆକ୍ରୋଶ ରଖିବା ସହିତ ମୋ ସାହିତ୍ୟିକ ମର୍ଯ୍ୟାଦା ହାନି କରିବାକୁ ଅଭିଯୋଗ କରାଯାଇଛି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା ବୋଲି ସେ ମତ ରଖିଛନ୍ତି।



