ସମ୍ବଲପୁର : ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରେ କବାଡି ଖେଳର ଏକ ବିଶେଷ ପ୍ରସିଦ୍ଧି ଥିଲା । ଏହି ମାଟିରୁ ଜନ୍ମ ହୋଇ ରାଜ୍ୟ ସ୍ତରରେ ନାମ କରିବା ସହ ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଖେଳିବାର ସୁଯୋଗ ପାଇଛନ୍ତି ଅନେକ କବାଡି ଖେଳାଳି । କିନ୍ତୁ କବାଡି ଖେଳ ତଥା ଖେଳାଳିଙ୍କ ପାଇଁ ଆଜି ଯାଏ ବିଶେଷ ସୁବିଧା ଯୋଗାଇ ପାରି ନାହାନ୍ତି ସରକାର । କେନ୍ଦ୍ର ସରକାର କ୍ରୀଡାର ବିକାଶ ପାଇଁ କାର୍ଯ୍ୟ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ସମ୍ବଲପୁରର ଐତିହ୍ୟ କବାଡି ଖେଳର ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି ହୋଇପାରିନଥିବା ଦୁର୍ଭାଗ୍ୟର ବିଷୟ ପାଲଟିଛି।
ବିଗତ ଦିନରେ ସମ୍ବଲପୁର ମାଟି କବାଡି ଖେଳ ପାଇଁ ଅନେକ ସୁନାମ ଆଣିଛି । କବାଡି ଖେଳରେ ସମ୍ବଲପୁର ସହରରେ ଦ୍ରୋଣାଚାର୍ଯ୍ୟ କୁହାଯାଉଥିବା ସୁରେଶ ସେଠଙ୍କର ବିୟୋଗ ପରେ ଆୟୋଜିତ ଶୋକସଭାରେ ପ୍ରସ୍ତାବ କ୍ରମେ ଭିଏସଏସ ଷ୍ଟାଡିୟମରେ ଓ ମନ୍ଦାଳିଆ ପଡିଆରେ ୨ଟି କବାଡି ପଡିଆ ନିର୍ମାଣ ପାଇଁ ତତ୍କାଳୀନ ଜିଲାପାଳ ବଳୱନ୍ତ ସିଂ ଙ୍କର ପ୍ରୟାସ କ୍ରମେ କିଛିଟା ଅଗ୍ରଗତି ହୋଇଥିଲା । ଭିଏସଏସ ଷ୍ଟାଡିୟମରେ ତତ୍କାଳୀନ ଲୋକସଭା ସାଂସଦ ନଗେନ୍ଦ୍ର ପ୍ରଧାନଙ୍କର ସାଂସଦ ପାଣ୍ଠିରୁ ୯ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ କବାଡି ପଡିଆ ନିର୍ମିତ ହୋଇଥିଲା । କିନ୍ତୁ ଏତେ ଅର୍ଥ ବ୍ୟୟରେ ନିର୍ମିତ ପଡ଼ିଆଟି ଏବେ ଅଳିଆଗଦାରେ ପରିଣତ ହୋଇଯାଇଛି । କବାଡି ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସମ୍ବଲପୁରରେ ଏକ କବାଡି ଇଣ୍ଡୋର ହଲର ଅବଶ୍ୟକତା ରହିଛି । ଧୀରେ ଧୀରେ କବାଡି ଖେଳରେ ଯେମିତି ଉନ୍ନତି ଆସିଲାଣି, ବିନା ଟର୍ଫ ଆଉ ବିନା ଜୋତାରେ କବାଡି ହେଉନାହିଁ । ଖେଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି କବାଡି ପାଇଁ ସମ୍ବଲପୁର ସହରରେ ଏକ ଇଣ୍ଡୋର ହଲ / ଷ୍ଟାଡିୟମର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି ।



