ପାଟଣା : ଜିଲ୍ଲା ପ୍ରଦୂଷଣ ବୋର୍ଡର ଅନୁମତି ପତ୍ର ମିଳିବାରେ ବିଳମ୍ବ ହେତୁ ଜିଲ୍ଲାର ଏକମାତ୍ର ସରକାରୀ ଗୋ – ଶାଳା ଖୋଲିବାରେ ବିଳମ୍ବ ହୋଇଛି । ଯାହାଫଳରେ ପାଖରେ ଗୋ – ଶାଳା ଥାଇ ମଧ୍ୟ ଘଟଗାଁ ଓ ପାଟଣା ପୋଲିସ ଜବତ କରୁଥିବା ଗୋରୁ ଗୁଡିକୁ ପୁଲିସ ଅର୍ଥ ଶ୍ରାଦ୍ଧ କରି ମୟୂରଭଞ୍ଜ ଜିଲ୍ଲାର ଗୋ-ଶାଳାକୁ ପଠାଉଛି । ଏପରି ଅବସ୍ଥା ସୃଷ୍ଟି ହୋଇଛି ଘଟଗାଁ ବ୍ଲକ ମେଲାଣରେ ସରକାରୀ ସାହାଯ୍ୟରେରେ ନିର୍ମିତ ହୋଇଥିବା ଗୋ-ମାତା ସେବା ଆଶ୍ରମ ଗୋଶଳା କ୍ଷେତ୍ରରେ । ଏହି ଗୋ-ଶାଳାର ନିର୍ମାଣ କାମ ୨୦୨୪ ରୁ ସରିବା ସହ ଏହାର ଅଲୋକୀକରଣ ଓ ଆନୁଷଙ୍ଗିକ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି ।
ଏହି ଗୋ – ଶାଳାକୁ ଚଳାଇବା ପାଇଁ ବିଭାଗୀୟ ଅନୁମତି ପତ୍ର ପାଇଁ ଗତ ନଭେମ୍ବର – ୨୦୨୪ରୁ ଆବେଦନ କରାଯାଇଛି । ଏ ନେଇ ଗ୍ରାମବାସୀ ଏବଂ ପଞ୍ଚାୟତ ପକ୍ଷରୁ ମଧ୍ୟ ପ୍ରଦୂଷଣ ବୋର୍ଡକୁ ପତ୍ର ଲେଖା ଯାଇଛି । ଏହା ସତ୍ତ୍ବେ ରାଜ୍ୟ ପ୍ରଦୂଷଣ ବୋର୍ଡ ମଣ୍ଡଳ ଅଧିକାରୀ କେନ୍ଦୁଝର ପକ୍ଷରୁ ଆଜି ପର୍ଯ୍ୟନ୍ତ ଅନୁମତି ପତ୍ର ପ୍ରଦାନ କରାଯାଇନାହିଁ । ଯାହା ଫଳରେ ଗୋ-ଶାଳା ଖୋଲାଯିବା ଆଇନାନୁଯାୟୀ ସମ୍ଭବ ହୋଇପାରୁନାହିଁ । ଜିଲ୍ଲାର ଅନ୍ୟତ୍ର ଅପରିଷ୍କାର ପରିବେଶରେ ଦୟନୀୟ ଭାବେ ଗୋରୁଙ୍କୁ ରଖାଯାଉଥିବାବେଳେ ମେଳାଣ ଗୋ-ଶାଳାକୁ ଆଜି ପର୍ଯ୍ୟନ୍ତ ଚଳାଇବା ଅନୁମତି ପତ୍ର ନମିଳିବା ପଛରେ ଜିଲ୍ଲା ପ୍ରଦୂଷଣ ବୋର୍ଡର ଦାୟିତ୍ଵହୀନତାକୁ ନେଇ ମେଳାଣବାସୀ ପ୍ରଶ୍ନ ଉଠାଇଥିବାରୁ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।



