ଆରଡି : ପବିତ୍ର ଶ୍ରାବଣମାସର ପ୍ରଥମ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିଥିଲେ ହଜାର ହଜାର କାଉଡ଼ିଆ ଭକ୍ତ। ସୋମବାର ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ରୀତିନୀତି ଅନୁଯାୟୀ ବାବାଙ୍କ ପାଖରେ ମଙ୍ଗଳ ଆଳତୀ ସହ ଅନ୍ୟ ନୀତି ଧୂପ ସମ୍ପନ୍ନ କରାଯାଇଥିଲା। ଏପଟେ କଡ଼ା ସୁରକ୍ଷା ମଧ୍ୟରେ କାଉଡ଼ିଆମାନେ ଧାଡ଼ିରେ ଆସି ଶ୍ରାବଣୀ ମହାଦେବଙ୍କ ଉପରେ ଜଳାଭିଷେକ କରିଥିଲେ। ହଜାର ହଜାର କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ଯବସ୍ଥା ସେହ ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ବରେ ପୋଲିସ ମୁତୟନ କରାଯାଇଥିଲା। ଲଘୁଚାପ ଜନିତ ବର୍ଷା ଯୋଗୁ ନଦୀ ଉଛୁଳା ଥିବାରୁ ନଦୀ ମଧ୍ୟରେ ପଇଁତରା ମାରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ।
ସେହିପରି ସ୍ଥଳପଥରେ ପୁଲିସ ପକ୍ଷରୁ ରବିବାର ଓ ସୋମବାର ୨ଦିନ ଧରି ପୁଲିସ ପଖରୁ ପେଟ୍ରୋଲିଂ ବ୍ଯବସ୍ଥା କରାଯାଇଥିଲା। ଏପଟେ କାଉଡିଆ ଭକ୍ତମାନେ ଯେପରି ଭାବେ ଶୃଙ୍ଖଳିତ ଜଳଲାଗି କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ଯାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ବଳ ଆଲୋକ ବ୍ଯବସ୍ଥା କରାଯାଇଥିଲା। ହେଲେ ଦୂରଦୂରାନ୍ତରରୁ ଶହଶହ କିଲୋମିଟର ଖାଲିପାଦରେ ଚାଲିଚାଲି ଆସୁଥିବା କାଉଡିଆ ଭକ୍ତ ଆସୁଥିଲେ ମଧ୍ଯ ପୀଠକୁ ସଂଯୋଗ କରୁଥିବା ରାସ୍ତା ମରାମତି କରାଯାଇନଥିବାରୁ ଖାଲଖମା ରାସ୍ତାରେ ବହୁ ଅସୁବିଧାରେ ଆସିଥିଲେ କାଉଡିଆ। ତାହାସହ ରବିବାର ରାତିରେ ବସଷ୍ଟାଣ୍ଡ ଠାରୁ ମନ୍ଦିର ରାସ୍ତା ଓ ବାଇପାସ ରାସ୍ତା ସହ ନଦୀ ରାସ୍ତା ଅନ୍ଧକାରମୟ ହୋଇ ରହିଥିବାରୁ କାଉଡିଆଭକ୍ତ ଯାତାୟତ କରିବାରେ ନାନା ଅସୁବିଧା ଦେଖା ଦେଇଥିଲା। ଭଦ୍ରକ ଜିଲାପାଳ ଶ୍ରାବଣ ପ୍ରଥମ ସୋମବାରରେ ପୀଠକୁ ଆସି ଵାଵାଙ୍କୁ ଦର୍ଶନ କରିଵା ପରେ ସେବାୟତମାନଙ୍କ ସହ ଦେଖାଦେଇଥିବା ଅସୁବିଧା ସର୍ମ୍ପକରେ ଆଲୋଚନା କରିଵା ସହ ଆସନ୍ତା ରବିବାର ପୂର୍ବରୁ ସବୁ ଠିକ୍ ଠାକ୍ କରାଯିବ ବୋଲି କହିଥିଲେ।



