ଭୁବନେଶ୍ୱର : ଟାଟା ଷ୍ଟିଲ ପକ୍ଷରୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମ ସହଯୋଗିତାରେ ଆୟୋଜନ କରାଯାଉଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ)ର ୧୯ତମ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଲୋକସେବା ଭବନଠାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଛନ୍ତି । ସାରା ଓଡ଼ିଶାର ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଓ ଜ୍ୟୋତିର୍ବିଜ୍ଞାନ ପ୍ରତି ଥିବା ନିଜ ଆଗ୍ରହ ଓ ଅଭିରୂଚି ପ୍ରଦର୍ଶନ କରିବା ପାଇଁ ୟାଟ୍ସ କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରି ଆସୁଛି । ଓଡ଼ିଶାର ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନକୁ ମଧ୍ୟ ଏହା ରୁଦ୍ଧିମନ୍ତ କରି ଆସୁଛି ।
କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମାନ୍ୟବର ମନ୍ତ୍ରୀ ପାତ୍ର କହିଛନ୍ତି ଯେ, ଚଳିତ ବର୍ଷର ବିଷୟବସ୍ତୁ ରହିଛି “ଆଜିର ନକ୍ଷତ୍ରଦର୍ଶୀ, କାଲିର ମହାକାଶଯାତ୍ରୀ” । ଏଥିପାଇଁ ସ୍କୁଲ ଓ ଜିଲ୍ଲାସ୍ତରରେ ପ୍ରତିଯୋଗିତା କରାଯିବ । ବିଜେତାମାନେ ଡିସେମ୍ବର ୧୩ ତାରିଖରେ ପଠାଣି ସାମନ୍ତ ପ୍ଲାନେଟାରିୟମରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ସାମିଲ ହେବେ । ପରେ ସାରା ରାଜ୍ୟର ୩୦ ଜଣ ବିଜେତା ବେଙ୍ଗାଲୁରୁସ୍ଥିତ ଇସ୍ରୋ ପରିଦର୍ଶନ କରି ବୈଜ୍ଞାନିକମାନଙ୍କ ଗବେଷଣା ସମ୍ପର୍କରେ ଜ୍ଞାନ ଲାଭ କରିବେ ।
ଏହାର ଉଦଘାଟନୀ ସମାରୋହରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱରେ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ଆଇଏଏସ ଭୁପେନ୍ଦ୍ର ସିଂହ ପୁନିଆ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ସଚିବ ଶିବାନୀ ମହାନ୍ତି ଏବଂ ପୂଜା ମିଶ୍ର, ଫାଇନାନ୍ସିଆଲ ଆଡଭାଇଜର ତଥା ଅତିରିକ୍ତ ସଚିବ ବିଦ୍ୟୁତପ୍ରଭା ରାଉତ, ଓଡ଼ିଶା ସରକାରଙ୍କ ଉପ ସଚିବ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଉପ ସଚିବ ଚିନ୍ମୟୀ ଚେତନା ଦାସ, ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଉପ ନିର୍ଦ୍ଦେଶକ ଶଶିକାନ୍ତ ଦାଶ ଏବଂ ଟାଟା ଷ୍ଟିଲର ଚିଫ ରେସିଡେଂଟ ଏକଜିକ୍ୟୁଟିଭ (ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ) ଦେବାଶିଷ ଜେନା ଉପସ୍ଥିତ ଥିଲେ ।
ଗତ ୧୮ ବର୍ଷ ମଧ୍ୟରେ ୟାଟ୍ସ କାର୍ଯ୍ୟକ୍ରମ ଓଡ଼ିଶାର ସ୍କୁଲ ପିଲାମାନଙ୍କ ମଧ୍ୟରେ ବ୍ରହ୍ମାଣ୍ଡର ରହସ୍ୟକୁ ନେଇ ଆଗ୍ରହକୁ ତ୍ୱରାନ୍ୱିତ କରିଛି । ୟାଟସର ୧୮ତମ ସଂସ୍କରଣର ବିଜେତାମାନେ ୨୦୨୫ ମେ’ ମାସରେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ଓ ୟୁଆର ରାଓ ଉପଗ୍ରହ କେନ୍ଦ୍ର (ୟୁଆରଏସସି) ପରିଦର୍ଶନ କରିଥିଲେ । ଶୁଭାରମ୍ଭ ପରଠାରୁ ୟାଟସ ସାରା ଓଡ଼ିଶାର ୪.୭୧ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚିପାରିଛି ଏବଂ ୨୩୦ ଜଣ ବିଜେତା ଇସ୍ରୋର ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ପ୍ରଗତିକୁ ଦେଖିବାର ସ୍ୱତନ୍ତ୍ର ସୁଯୋଗ ହାସଲ କରିଛନ୍ତି ।



