ରାଷ୍ଟ୍ରୀୟ ଲୋକ ଅଦାଲତ, ଦିନକରେ ୧ ଲକ୍ଷ ୬୫ ହଜାର ମାମଲା ଫଇସଲା

କଟକ: ରାଜ୍ୟର ୩୦ଟି ଜିଲାର ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ.ମୁରଲୀଧର ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଚାରପତି ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଛି। ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୧ ଲକ୍ଷ ୪ ହଜାର ୨୬୧ଟି ମାମଲା ମଧ୍ୟରୁ ୪ ହଜାର ୧୩୬ଟି ଏବଂ ବିଚାରାଧୀନ ୨ ଲକ୍ଷ ୧୩ ହଜାର ୩୭୩ଟି ମାମଲା ମଧ୍ୟରୁ ୧ ଲକ୍ଷ ୬୧ ହଜାର ୫୬୪ଟି ମାମଲା ଆପୋଷ ବୁଝାମଣାରେ ଫଇସଲା କରାଯାଇଛି। ରାଜ୍ୟରେ ମୋଟ ୧ ଲକ୍ଷ ୬୫ ହଜାର ୭ଶହ ମାମଲାର ଫଇସଲା କରାଯାଇ ଜରିମାନା ଓ କ୍ଷତିପୂରଣ ବାବଦରେ ୧୭୪ କୋଟି ୭୬ ଲକ୍ଷ ୬୦ ହଜାର ୯୭୨ ଟଙ୍କା ଆଦାୟ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି। ଫଇସଲା ହୋଇଥିବା ବିଚାରାଧୀନ ମାମଲାଗୁଡିକ ମଧ୍ୟରେ ୩୨୪ଟି ଫୌଜଦାରୀ (କ୍ରିମିନାଲ କମ୍ପାଉଣ୍ଡେବଲ), ୧୨୭୭ଟି ଚେକ୍ ବାଉନ୍ସ, ୭୦୯ଟି ବ୍ୟାଙ୍କ ଋଣ, ୧୦୧୦ଟି ମୋଟରଯାନ ଦୁର୍ଘଟଣାଜନିତ, ୫୯୫ଟି ପାରିବାରିକ, ୨୭ଟି ଭୂ-ଅର୍ଜନ, ୯ଟି ବିଦ୍ୟୁତ, ଜଳ ସଂକ୍ରାନ୍ତୀୟ, ୧୦୪ଟି ଶ୍ରମ ସଂପର୍କିତ, ୮ଟି ଚାକିରି, ୧ ଲକ୍ଷ ୪୮ ହଜାର ୨୧୨ଟି ରାଜସ୍ବ ସଂପର୍କିତ, ୧୬୩୨ଟିି ଅନ୍ୟାନ୍ୟ ଦେୱାନୀ ଓ ୭୫୦୭ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା, ୧୫୦ଟି ଖାଉଟି ବିବାଦ ମାମଲା ଅନ୍ତର୍ଭୁକ୍ତ। ରାଷ୍ଟ୍ରୀୟ ଲୋକ ଅଦାଲ‌ତରେ ଏହି ମାମଲାଗୁଡିକର ଶୁଣାଣି କରାଯାଇ ଆପୋଷ ସହମତି ଆଧାରରେ ଫଇସଲା କରାଯାଇଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦେଶରେ ରାଜ୍ୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।

Comments are closed.