ରାୟଗଡ଼ା/ଗୁଣପୁର: ରାୟଗଡ଼ା ଜିଲା ପଦ୍ମପୁର ପୁଲିସକୁ ମିଳିଛି ସଫଳତା। ପଦ୍ମପୁର ଥାନା ଅନ୍ତର୍ଗତ ନାରାୟଣପୁର ଜଙ୍ଗଲରୁ ଚୋରା ଚାଲାଣ ହେଉଥିବା ଏକ ବାଘ ଛାଲ ସହ ୬୪ କିଲୋ ଗଂଜେଇ ଜବତ କରି ୨ ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ସେହିପରି ଅନ୍ୟ ଏକ ଘଟଣାରେ ପଦ୍ମପୁର ଥାନାର ବାହୁପଦର ଅଞ୍ଚଳରୁ ଚୋରା ଚାଲାଣ ପାଇଁ ଗାଡ଼ିକୁ ଅପେକ୍ଷା କରିଥିବାବେଳେ ମାଡ଼ିବସିଲା ପୁଲିସ। ସମ୍ପୃକ୍ତ ବ୍ୟକ୍ତି ନିକଟରୁ ୭୨କିଲୋ ଗଞ୍ଜାଇ ଜବତ ହୋଇଛି। ଆଜି ରାୟଗଡ଼ା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଜିଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା। ସେ କହିଛନ୍ତି, ଗତକାଲି ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ପୁଲିସ ଟିମ୍ ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା ନାରାୟଣପୁର ଜଙ୍ଗଲରେ ଛାନଭିନ୍ କରିଥିଲା। ଏହି ସମୟରେ ଗାଡ଼ିକୁ ଅପେକ୍ଷା କରିଥିବାବେଳେ ଦୁଇଜଣଙ୍କୁ ପୁଲିସ ଧରି ଖାନତଲାସ କରିଥିଲା। ସେମାନଙ୍କ ନିକଟରୁ ପ୍ରାୟ ୪ଫୁଟ ଲମ୍ବର ଏକ କଲରାପତରିଆ ବାଘ ଛାଲ ଜବତ ହୋଇଥିଲା। ଏହାସହ ସେମାନଙ୍କ ନିକଟରୁ ୬୪ କେଜି ୩୦୦ ଗ୍ରାମ ଗଞ୍ଜାଇ ମଧ୍ୟ ଜବତ ହୋଇଥିଲା। ବାଘଟିକୁ ଗୁଳି ମାରି ହତ୍ୟା କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗିରଫ ଦୁଇ ବ୍ୟକ୍ତି ହେଲେ ସାଉଲା ମାଝି ଓ ନାହୁସାନ ମଲ୍ଲିକ। ସେମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ ଓ ୯୨୦ ଟଙ୍କା ମଧ୍ୟ ଜବତ କରିଛି ପୁଲିସ। ସେହିପରି ଅନ୍ୟ ଏକ ଘଟଣାରେ ପଦ୍ମପୁର ପୁଲିସ ଆଜି ବାହୁପଦର ନିକଟରୁ ଚୋରା ଗଞ୍ଜାଇ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ପଦ୍ମପୁର ଥାନାର ହାରଲାଗୁଡା ଗ୍ରାମର ନାଗେଶ୍ୱର ମାଝି ବୋଲି ଜଣାପଡ଼ିଛି। ତା’ନିକଟରୁ ୭୨କିଲୋ ଗଞ୍ଜାଇ ସହ ୩୨୦ ଟଙ୍କା ଜବତ ହୋଇଛି। ଏ ନେଇ ପଦ୍ମପୁର ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଆଜି ତିନି ଗିରଫ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯାଇଛି। ଆଉ ଜବତ ବାଘ ଛାଲକୁ ରାୟଗଡ଼ା ଡିଏଫଓଙ୍କୁ ହସ୍ତାନ୍ତର କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ତେବେ ଏହି ବାଘ ଛାଲ କେଉଁଠୁ ଆସିଲା ତା’ର ଖୋଳତାଡ ଆରମ୍ଭ କରିଛି ପୁଲିସ। ଗିରଫ ବ୍ୟକ୍ତିମାନେ ବାଘ ଶିକାର କରି ନ ଥିବା ସ୍ୱୀକାର କରିଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ଏହା ରଖିବାକୁ ଦେଇଥିବା ସେମାନେ ପ୍ରକାଶ କରିଛନ୍ତି। ରାୟଗଡ଼ା ବନ ବିଭାଗ ଅଞ୍ଚଳରେ ବାଘ ଶିକାର ହେଉଥିଲେ ବି ବନ ବିଭାଗ ପାଖରେ ଏ ନେଇ କୌଣସି ସୂଚନା ନ ରହିବା ସମସ୍ତଙ୍କୁ ବିସ୍ମିତ କରିଛି। ସେଭଳି ଅନ୍ୟ ଏକ ଘଟଣାରେ ରାୟଗଡ଼ା ପୁଲିସକୁ ମଧ୍ୟ ମିଳିଛି ସଫଳତା। ଜଣେ ମୋବାଇଲ ଚୋରକୁ ଗିରଫ କରିବା ସହ ତା’ନିକଟରୁ ୧୯ଟି ଚୋରା ମୋବାଇଲ ଫୋନ ଜବତ କରିଛି ପୁଲିସ। ଗତକାଲି ରାୟଗଡ଼ା ନ୍ୟୁ କଲୋନୀର ମାରୁକୁଣ୍ଡୁ ପଟ୍ଟନାୟକ ସାଇଙ୍କର ଗତ ୨୯ରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ତାଙ୍କର ମୋବାଇଲ ଫୋନ ଚୋରି ହୋଇଥିବା ରାୟଗଡ଼ା ଥାନାରେ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ଅନୁସନ୍ଧାନ କରି ରାୟଗଡ଼ା ପୁଲିସ ଆଜି ସ୍ଥାନୀୟ ରୋହିତ କଲୋନୀ ତୃତୀୟ ଲାଇନରୁ ଗୁରୁନାଥ ହାଲବା ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା। ତା’କୁ ପଚରାଉଚୁରା କରିବାବେଳେ ତା’ନିକଟରୁ ବିଭିନ୍ନ କମ୍ପାନୀର ୧୯ଟି ମୋବାଇଲ ଫୋନ ପୁଲିସ ଜବତ କରିଛି। ଜବତ ଫୋନ୍ ଗୁଡିକର ମାଲିକମାନେ ଆସି ନିଜ ନିଜ ଫୋନ ଚିହ୍ନଟ କରି ରାୟଗଡ଼ା ଥାନାରୁ ନେଇପାରିବେ ବୋଲି ଆରକ୍ଷୀ ଅକ୍ଷୀକ୍ଷକ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଥାନା ଅଧିକାରୀ ରାଜେଶ ବଳିଆରସିଂ ଓ ରାୟଗଡ଼ା ଥାନା ଅଧିକାରୀ ବି.କେ.କଅଁର ଉପସ୍ଥିତ ଥିଲେ।
Popular Categories



