ସହିଦ୍ ମାଟିରେ ଅନ୍ଧାରି ଯନ୍ତ୍ରଣା, ବାଟ କଢ଼ାଉଛି ଡିବିରି ଆଲୁଅ

କୋରାପୁଟ: ସହିଦ୍ ମାଟିରେ ସ୍ବପ୍ନ ପାଲଟିଛି ବିଜୁଳି ସେବା। ସାବେରୀ ନଈ ସେପାରି ଥିବା ୬ଟି ଗାଁର ଅଧିବାସୀଙ୍କ ବାଟ କଢ଼ାଉଛି ଡିବିରି ଆଲୁଅ। ଲଣ୍ଠନ, ଟର୍ଚ୍ଚ ଧରି ବୟସ୍କ ରାସ୍ତା ପାର୍ ହେଉଛନ୍ତି, ଆଉ ଆଗାମୀ ପିଢ଼ି ଡିବିରି ଆଲୁଅରେ ଭବିଷ୍ୟ ସ୍ବପ୍ନ ଦେଖୁଛନ୍ତି। ସହିଦ୍ଙ୍କୁ ନେଇ ଏ ମାଟି ଗର୍ବ ଅନୁଭବ କରୁଥିବାବେଳେ ଏ ମାଟିର ଅଧିବାସୀ କିନ୍ତୁ ଦୁର୍ବିସହ ଜୀବନ ବିତାଇବା ସରକାରୀ କଳ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି। ଦଶନ୍ଧି ଦଶନ୍ଧି ପରେ ଏ ମାଟିରେ ଟେଲିସେବା ପହଞ୍ଚାଇବା ପାଇଁ ଜୋରସୋର୍ ଉଦ୍ୟମ ଚାଲିଥିବା ଓ ଖୁବଶୀଘ୍ର ଏ ମାଟିର ଲୋକେ ଫୋନ ସେବା ପାଇବେ ବୋଲି ଆଶା ପ୍ରକାଶ ପାଉଛି। ତଥାପି ବିଜୁଳି ଆଲୁଅ ଅଭାବରୁ ବହୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ସହିଦ୍ଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମାରେ ବିଜୁଳି ଆଲୁଅ ପହଞ୍ଚିପାରିଥିଲେ ହେଁ ପଞ୍ଚାୟତର ୬ଟି ଗାଁ ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଅନ୍ଧାରରେ। ସାବେରୀ ନଈର ପ୍ରଖର ସ୍ରୋତ ପାର୍ କରିପାରୁନି ବିଜୁଳି ସେବା। ସ୍ବାଧୀନତାର ଅମୃତ ମହୋତ୍ସବ ନେଇ ଦେଶବାସୀ ଗର୍ବ ଅନୁଭବ କରୁଥିବାବେଳେ ସହିଦ୍ ଦିବସ (୨୯ତାରିଖ)ରେ ସ୍ବାଧୀନତା ସଂଗ୍ରାମୀଙ୍କ ପଞ୍ଚାୟତର ୬ଟି ଗାଁର ଅଧିବାସୀଙ୍କ ଅନ୍ଧାରି ଯନ୍ତ୍ରଣା ଏବେ ଚର୍ଚ୍ଚାରେ।
ତେନ୍ତୁଳିଗୁମ୍ମା ପଞ୍ଚାୟତ ଆଜି ବି ଅବହେଳିତ। ଗମନାଗମନ, ସ୍ବାସ୍ଥ୍ୟସେବା, ଶିକ୍ଷା ଭଳି ଅନେକ ସମସ୍ୟାରେ ଜର୍ଜରିତ ଏହି ପଞ୍ଚାୟତବାସୀ। ପଞ୍ଚାୟତର ମୋଟ ୧୧ଟି ଗାଁରୁ ସାବେରୀ ନଦୀ ଏପଟେ ତେନ୍ତୁଳିଗୁମ୍ମାକୁ ମିଶାଇ ପାଞ୍ଚଟି ଗାଁ ଥିବାବେଳେ ନଦୀ ଆରପଟେ ମଧୁପୁର, ଭେଜିନିଗୁଡ଼ା, ମାଛାଗୁଡ଼ା, କଣ୍ଟାବାଉଁଶଗୁଡା, ମାକଡ଼ପାଣି, ମାଡ଼ୁକୁଗୁଡ଼ା ରହିଯାଇଛି। ଏହି ୬ଟି ଗାଁର ଗ୍ରାମବାସୀ ସବୁ ସୁବିଧାରୁ ଅପହଞ୍ଚ। ସୂଚନା ପ୍ରକାରେ ମଧୁପୁରୁରେ ୨୨ଟି ଘରେ ୪୫ ଜଣ ବସବାସ କରୁଥିବା ବେଳେ କଣ୍ଟାବାଉଁଶଗୁଡ଼ାରେ ୨୫ ଘରେ ୭୦ ଜଣ, ମାଛାଗୁଡ଼ାରେ ୩୦ ଘରେ ୯୦ ଜଣ, ଭେଜିନିଗୁଡ଼ାରେ ୪୫ ଘରେ ୧୨୦ ଜଣ, ମାକଡ଼ପାଣିରେ ୫୫ ଘରେ ୧୭୦ ଜଣ ଏବଂ ମାଡ଼କୁଗୁଡ଼ାରେ ୩୦ ଘରେ ୯୦ ଜଣ ବସବାସ କରନ୍ତି। ଏମାନଙ୍କୁ ସୁବିଧା ପାଇଁ ବିପଦପୂର୍ଣ୍ଣ ଭାବେ ସାବେରୀ ନଈ ପାର୍ ହେବାକୁ ପଡ଼ୁଛି। ବିଜୁଳି ଅଭାବରୁ ୬ଟି ଗାଁକୁ ରାସ୍ତା ଦେଖାଉଛି ଡିବିରି ଆଲୁଅ। କୁନିକୁନି ପିଲା ଡଙ୍ଗା ପାର୍ ହୋଇ ଆସୁଥିବା ଦେଖିଲେ ସହିଦ୍ ମାଟିର ଅକୁହା ଯନ୍ତ୍ରଣା ବୁଝି ହେଉଛି। ବାଉଁଶଗୁଡ଼ା ପର୍ଯ୍ୟନ୍ତ ବହୁ କଷ୍ଟରେ ପହଞ୍ଚି ହେଉଥିବାବେଳେ ସେଠାରୁ ଭେଜିନିଗୁଡ଼ା ସମ୍ପୂର୍ଣ୍ଣ ଅପହଞ୍ଚ କହିଲେ ଅତ୍ୟୁକ୍ତି ହେବନାହିଁ। ସେଠାକୁ ଯିବା ପାଇଁ ଆଉ ଏକ ଛୋଟ ନଈ ପାର୍ ହେବାକୁ ପଡ଼ୁଛି। ଉକ୍ତ ନଦୀରେ ମଧ୍ୟ ପୋଲ ନିର୍ମାଣ ଜରୁରୀ ହୋଇପଡ଼ିଛି। ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀରେ ସହିଦ୍ଙ୍କ ସ୍ମୃତିଚାରଣ ପାଇଁ ସହିଦ୍ ମାଟିରେ ଲମ୍ବା ଧାଡ଼ି ଲାଗୁଥିବା ବେଳେ ଏ ମାଟିର ଅଧିବାସୀଙ୍କ କୋହ ବୁଝିବା ପାଇଁ ସତେ ଯେପରି କାହା ପାଖରେ ସମୟ ନାହିଁ। ସହିଦ୍ଙ୍କୁ ସ୍ମୃତିଚାରଣ ସ୍ବାଗତଯୋଗ୍ୟ, କିନ୍ତୁ ତାଙ୍କ ଗାଁ ଲୋକଙ୍କୁ ଅବହେଳା ଅବିଚାର ବୋଲି ପ୍ରକାଶ କରି ଯେଉଁଦିନ ସବୁ ସୁବିଧା ଏ ମାଟିର ଅଧିବାସୀ ପାଇବେ ତାହା ହିଁ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତପ୍ରକାଶ କରି ତୁରନ୍ତ ଦୃଷ୍ଟି ଦେବାକୁ ସମାଜସେବୀ କାମାକ୍ଷାପ୍ରସାଦ ମାଝି ଦାବି ଜଣାଇଛନ୍ତି। ଅନ୍ୟପକ୍ଷରେ ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋତିକୃଷ୍ଣ ପାଙ୍ଗିଙ୍କ ସହ ଯୋଗାଯୋଗ କରିବାରୁ ସମସ୍ୟାକୁ ସ୍ବୀକାର କରିବା ସହ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା ପ୍ରକାଶ କରିଛନ୍ତି। ୨୪ତାରିଖରୁ ପରୀକ୍ଷାମୂଳକ ଭାବେ ଫୋନ୍ସେବା ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ପଡ଼ିଥିଲେ ହେଁ ବିଜୁଳି ସେବା ପହଞ୍ଚିପାରି ନ ଥିବା ସ୍ବୀକାର କରିଛନ୍ତି।
Comments are closed.