ଲଡୁଗାଁ: କୋକସରା ବ୍ଲକ ଅନ୍ତର୍ଗତ ଶିଳ୍ପ ନଗରୀ ବୋଲାଉଥିବା ଲଡୁଗାଁ ସହରରେ ବର୍ଷା ଯୋଗୁଁ ଡ୍ରେନ୍ ପୋତି ହୋଇ ଦୂଷିତ ମଇଳା ପାଣି ରାସ୍ତାରେ ବହିଯାଉଥିଲା। ବର୍ଷା ହେଲେ ଡ୍ରେନର ପାଣି ରାସ୍ତା ଓ ଘରକୁ ମଧ୍ୟ ପଶି ଆସୁଛି। ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବା ବେଳେ ପ୍ରାୟ ୫୦୦୦ରୁ ଅଧିକ ଜନସଂଖ୍ଯା ବିଶିଷ୍ଟ ଏହି ଗାଁକୁ ଦେଖିଲେ ସ୍ଵଚ୍ଛ ଭାରତକୁ ଉପହାସ କଲାଭଳି ମନେ ହେଉଛି। କେଉଁଠି ଡ୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତାରେ ବର୍ଷା ପାଣି ଜମି ଲୋକଙ୍କ ଘର ଭିତରେ ପାଣି ପଶୁଛି ତ ଆଉ କେଉଁଠି ଡ୍ରେନ୍ କାଦୁଅ ମଇଳା ରାସ୍ତାରେ ବହିଯାଉଛି। ଏନେଇ ସୋମବାର ଆମ ସମାଜ ଖବରକାଗଜ ‘ଅସରାଏ ବର୍ଷାରେ ଲଡୁଗାଁ ସ୍ଥିତି ବେହାଲ’ ଶୀର୍ଷକରେ ପ୍ରକାଶ ପାଇବା ପରେ ଅଧ୍ୟକ୍ଷା ରୀତା ଅଗ୍ରୱାଲ ତତ୍ପରତା ପ୍ରକାଶ କରିଛନ୍ତି। ଅଭିଯୋଗ ପରେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ସ୍ଥାନୀୟ ଲଡୁଗାଁ ଗ୍ରାମବାସୀଙ୍କ ଅଭିଯୋଗ ପରେ ମଙ୍ଗଳବାର କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲଙ୍କ ନିଜସ୍ୱ ଉଦ୍ୟମରେ ଲଡୁଗାଁ ସହରର ପୋତି ହୋଇଥିବା ଡ୍ରେନକୁ ସଫାସୁତୁରା କରାଇଥିଲେ। ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ ରକ୍ଷା ପୂର୍ବକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଉକ୍ତ ସ୍ଵଚ୍ଛତା କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ ଜନସାଧାରଣଙ୍କୁ ସ୍ଵଚ୍ଛ ଓ ପରିମଳ ବ୍ୟବସ୍ଥା ଉପରେ ସଚେତନ କରିଥିଲେ।
Popular Categories



