ପାତ୍ରପୁର: ପାତ୍ରପୁର ବ୍ଳକ ଜରଡ଼ା ଥାନା ସାମନ୍ତରାପୁର ଯିବା ରାସ୍ତାର ଠଣାଗାଁ ଛକ ନିକଟରେ ଦୁଇ ବୁଲେଟ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାପ ପୁଅଙ୍କ ସମେତ ଅନ୍ୟ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ସାମନ୍ତରାପୁର ଗ୍ରାମର ବାପା ଦାଉ ଗୌଡ (୫୫), ତାଙ୍କ ପୁଅ ସୁନିଲ କୁମାର ଗୌଡ (୨୫) ଏବଂ ବ୍ରହ୍ମପୁର ଗୋଇଲୁଣ୍ଡି ଅଞ୍ଚଳର ରାଜେଶ ପାଣିଗ୍ରାହୀ (୨୫) ବର୍ଷ ବୋଲି ଜଣାପଡିଛି।
ବୁଧବାର ଅପରାହ୍ନରେ ବାପ ପୁଅ ବାଇକ୍ ଯୋଗେ ଜରଡ଼ାରୁ ନିଜ ଗ୍ରାମ ସାମନ୍ତରାପୁର ଯାଉଥିବା ବେଳେ ତୁମ୍ବା ପଟୁ ଆସୁଥିବା ଯୁବକଙ୍କ ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ଶୁଣି ଆଖ ପାଖ ଅଞ୍ଚଳରୁ ଲୋକମାନେ ପହଞ୍ଚିବା ସହ ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ପାତ୍ରପୁର ଡାକ୍ତରଖାନାକୁ ପଠାଇଥିଲେ। ତେବେ ଡାକ୍ତରଖାନାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ। ଜରଡ଼ା ପୋଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି।



