କେନ୍ଦୁଝରଗଡ଼଼ ରେଳ ଷ୍ଟେସନରେ ଲାଗିଲା ସ୍ୱୟଂଚାଳିତ ଟିକେଟ୍ ମେସିନ

କେନ୍ଦୁଝରଗଡ଼: ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦୁଝରଗଡ଼଼ ରେଳ ଷ୍ଟେସନରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଅଟୋମେଟିକ୍ ଟିକେଟ୍ ଭେଣ୍ଡିଂ ମେସିନ ବା ସ୍ୱୟଂଚାଳିତ ଟିକେଟ ଯନ୍ତ୍ରପାତି। ଏହି ମେସିନ କାର୍ଯ୍ୟକ୍ଷମ ହେବାପରେ ଯାତ୍ରୀଙ୍କୁ ଆଉ ଟିକେଟ ପାଇଁ ଧାଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମେସିନରେ ଯାତ୍ରୀ ଗନ୍ତବ୍ୟସ୍ଥଳ ଉଲ୍ଲେଖ କଲେ କେତେ ପରିମାଣର ଦେୟ ଦେବାକୁ ପଡ଼ିବ ସେ ନେଇ ସୂଚନା ମିଳିବା ପରେ ଯାତ୍ରୀ ୟୁପିଆଇ ମାଧ୍ୟମରେ କ୍ୟୁଆର କୋର୍ଡ ସ୍କାନ ଦ୍ୱାରା ଅର୍ଥ ପଇଠ କରି କେବଳ ଅଣସଂରକ୍ଷିତ ଯାତ୍ରା ପାଇଁ ସିଧାସଳଖ ଟିକେଟ୍ ପାଇ ପାରିବେ। ଏତଦ୍ବ୍ୟତୀତ ଯେଉଁ ଯାତ୍ରୀ ଚାହିଁବେ ସେମାନେ ଷ୍ଟେସନ ମାଷ୍ଟରଙ୍କ ନିକଟରେ ୫୦ଟଙ୍କା ଦାଖଲ କରି ଏଟିଭିଏମ୍ ସ୍ମାର୍ଟ କାର୍ଡ ସଂଗ୍ରହ କରି ଉକ୍ତ କାର୍ଡରେ ଟଙ୍କା ଜମା କରିବା ପରେ ସିଧାସଳଖ ଉକ୍ତ ମେସିନରୁ ଟିକେଟ୍ ପାଇ ପାରିବେ ବୋଲି କେନ୍ଦୁଝରଗଡ଼଼ ଷ୍ଟେସନର ବ୍ୟବସାୟିକ ନିରୀକ୍ଷକ ସଞ୍ଜୟ କୁମାର ନାଏକ କହିଛନ୍ତି।
ଏହି ସେବା ଜିଲାର କେନ୍ଦୁଝରଗଡ଼଼ ଷ୍ଟେସନରେ ପ୍ରଥମେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅପ୍ରେଲ ମାସ ସୁଦ୍ଧା ଜଣେ ଫେସିଲିଟେଟର ନିଯୁକ୍ତ ହେବାପରେ ଉକ୍ତ ସହାୟକଙ୍କ ଦ୍ୱାରା ଅର୍ଥ ଦାଖଲ କରି ମଧ୍ୟ ଟିକେଟ ପାଇପାରିବେ ବୋଲି ଶ୍ରୀ ନାଏକ କହିଛନ୍ତି। ଜିଲାର ହରିଚନ୍ଦନପୁର ଷ୍ଟେସନରେ ପରବର୍ତ୍ତୀ ସମୟରେ ଖୁବ୍ ଶିଘ୍ର ଏହି ମେସିନ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ନାଏକ ସୂଚନା ଦେଇଛନ୍ତି। ଏହି ମେସିନ କାର୍ଯ୍ୟକ୍ଷମ ହେବା ଦ୍ୱାରା ବିଶେଷକରି କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ ମେମୁ ଟ୍ରେନ ଏବଂ ବଡବିଲ-ପୁରୀ ଇଣ୍ଟରସିଟିରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଟିକେଟ ସଂଗ୍ରହ କରିବାରେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନଥିବାରୁ ଯାତ୍ରୀ ମହଲରେ ଆଶ୍ୱସ୍ତି ମିଳିଛି।
Comments are closed.