www.samajalive.in
Tuesday, December 9, 2025
16.1 C
Bhubaneswar

ପିଲାଙ୍କୁ ଖଡ଼ି ଛୁଆଁଇ ଉଜ୍ୱଳ ଭବିଷ୍ୟତ କାମନା କଲେ ଜିଲାପାଳ

କେନ୍ଦୁଝରଗଡ଼ : ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଲାଗୁ କରାଯାଇଥିବା ନୂତନ ଶିକ୍ଷାନୀତି ଅପ୍ରେଲ ୨ ତାରିଖ ବୁଧବାର ଠାରୁ ରାଜ୍ୟବ୍ୟାପୀ  ଆରମ୍ଭ ହୋଇଛି । ଶିଶୁ ବାଟିକାରେ କୁନି କୁନି ପିଲାମାନେ ନାମ ଲେଖାଇବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପୂର୍ବରୁ ଅଭିଭାବକମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶିଶୁ ବାଟିକାରେ ନାମ ଲେଖେଇବାକୁ ରାଜ୍ୟବ୍ୟାପୀ ବୁଧବାର ସକାଳୁ ସ୍କୁଲରେ ଆସି ପହଞ୍ଚିଥିଲେ କୁନି କୁନି ପିଲା । ପିଲାଙ୍କ ଭିତରେ ବିଦ୍ୟାଳୟ ଭୟ ଦୂର କରିବା ସହ ବିଦ୍ୟାଳୟ ଆସିବା ପ୍ରତି ଆକୃଷ୍ଟ କରିବା ଏବଂ  ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଉଚିତ ସମନ୍ୱୟ ରଖିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ କେନ୍ଦୁଝର ଜିଲାର ୨୨୬୧ଟି ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ କରାଯାଇଛି । କେନ୍ଦୁଝର ସହର ଉପକଣ୍ଠ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲାପାଳ ବିଶାଲ ସିଂହ ଯୋଗଦେଇ ପିଲାଙ୍କୁ ଖଡ଼ି ଧରାଇ ସିଲଟ ପଟ୍ଟାରେ ବିଦ୍ୟାରମ୍ଭ କରାଇବା ସହ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ । ଏଭଳି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ସ୍କୁଲରେ ପ୍ରଥମକରି ପାଦ ଥାପୁଥିବା ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ ଉତ୍ସାହିତ ହେବେ ଏବଂ ଜୀବନବ୍ୟାପୀ ସେମାନଙ୍କ ସ୍କୁଲରେ ପ୍ରଥମଦିନର ଅନୁଭୂତିକୁ ସ୍ମରଣୀୟ କରିବ ବୋଲି ଜିଲାପାଳ ଶ୍ରୀ ସିଂହ ଆଶାବ୍ୟକ୍ତ କରିଥିଲେ । ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ କେନ୍ଦୁଝର ପ୍ରଶାସନ ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଶିଶୁ ବାଟିକାର ଭିତ୍ତି ଉପରେ ନୂଆପିଢିର ଭବିଷ୍ୟତ ନିର୍ଭର କରୁଛି । ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସବୁ ପଦକ୍ଷେପ ନିଆଯାଇ ପିଲାମାନଙ୍କୁ ସଶକ୍ତ, ଆଧୁନିକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଥିବା ଜିଲାପାଳ ଶ୍ରୀ ସିଂହ କହିଛନ୍ତି । ଶିଶୁ ବାଟିକାରେ ପିଲାଙ୍କୁ କିଭଳି ଭାବେ ଗୁଣାତ୍ମକ ଶିକ୍ଷାଦାନ କରାଯିବ ସେ ନେଇ ଜିଲାପାଳ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ । ଏହାପରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ସଭିଏଁ ସ୍କୁଲ ଯିବା ଆଧାରିତ ଏକ ସଚେତନତା ରଥକୁ ଜିଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅପ୍ରେଲ ୨ରୁ ୫ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟକ ବ୍ଲକରେ ଅପ୍ରେଲ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ରଥ ବୁଲିବ ବୋଲି ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, କେନ୍ଦୁଝର ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ କୁମାର ପଣ୍ଡା, ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ, ସଦର ବ୍ଲକ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ । ସଦର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ମିଶ୍ର ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ ା ସମସ୍ତ ଅତିଥିଗଣ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାକ୍ଷରତା ଷ୍ଟଲ, ସଂଖ୍ୟାଜ୍ଞାନ ଷ୍ଟଲ ଓ ସୃଜନାତ୍ମକ ଷ୍ଟଲ ବୁଲି ଦେଖିଥିଲେ ା ସମଗ୍ର ଶିକ୍ଷା କେନ୍ଦୁଝରର ଆଦିବାସୀ ଶିକ୍ଷା ସଂଯୋଜକ ଦୁର୍ଗା ପ୍ରସନ୍ନ ଲାୟକ, ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ପୀତବାସ ସାହୁ, ଶୈକ୍ଷିକ ସଂଯୋଜକ ମାନସ ରଞ୍ଜନ ଦାଶ, ସଦର ବ୍ଲକ  ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତରଣୀ ସେନ ମୁଣ୍ଡା, ଜଗଦୀଶ ଚନ୍ଦ୍ର ନାଏକ, ପ୍ରଧାନଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସଦର ବ୍ଲକର ସମସ୍ତ ସିଆରସିସି ଉପସ୍ଥିତ ରହି ଉତ୍ସବ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories