ରାୟଗଡା: ରାୟଗଡା ଜିଲା ଚାନ୍ଦିଲି ଥାନାର ତରଲାବାଡିରେ ଜଣେ ବ୍ୟକ୍ତିଙ୍କ ଶାବଳ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ଚିତ୍ରୁ ହିପ୍ରୁକା (୩୦)। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରି ଘଟଣାର ତଦନ୍ତ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ମୁକୁନ୍ଦପୁର ଫାଣ୍ଡି ଅନ୍ତର୍ଗତ କୈଳାଶପୁର ପଞ୍ଚାୟତର ତରଲାବାଡି ଗାଁର ଚିତ୍ରୁ ହିପ୍ରୁକା ରାତିରେ ଖାଇସାରି ଘର ବାରଣ୍ଡାରେ ଶୋଇଥିଲେ। କୌଣସି କାରଣରୁ ସେହି ଗ୍ରାମର ବାଙ୍ଗା କଣ୍ଡାଗରି ଏକ ଶାବଳରେ ଚିତ୍ରୁର ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଚିତ୍ରୁର ମୃତ୍ୟୁ ହୋଇଥିଲା। ସ୍ୱାମୀକୁ ଘର ଭିତରକୁ ଡାକି ନେବାକୁ ତାଙ୍କ ପତ୍ନୀ ଆସି ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ସ୍ୱାମୀ। ଏ ନେଇ ସଙ୍ଗେ ସଙ୍ଗେ ଗାଁ ଲୋକଙ୍କୁ ଜଣାଇ ଥିଲେ। ତାପରେ ମୁକୁନ୍ଦପୁର ଫାଣ୍ଡିକୁ ସୂଚନା ଦେଇଥିଲେ। ଖବର ପାଇ ରାୟଗଡା ଏସଡିପିଓ ଦିବ୍ୟଜ୍ୟେତି ଦାସ, ଚାନ୍ଦିଲି ଥାନା ଅଧିକାରୀ ଯୋଶବନ୍ତ ହିଆଲ, ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ସନ୍ତୋଷ ସିରିକାଙ୍କ ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏ ନେଇ ଚାନ୍ଦିଲି ଥାନାରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି। ପୁଲିସ ହତ୍ୟାକାରୀକୁ ଗିରଫ କରି ପଚରାଉଚରା କରୁଛି। ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସଂଦେହ କରୁଛି ବୋଲି କହିଛନ୍ତି ଥାନା ଅଧିକାରୀ।



