ପ୍ରଶାସନର ହସ୍ତକ୍ଷେପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତର କେନ୍ଦୁପେଟ ଗାଁର ନାବାଳକ ରଘୁ ମାଝୀ (୧୭) ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାକୁ ଦାଦନ ଯାଇଥିବା ବେଳେ ଶୁକ୍ରବାର ସେଠାରେ ମୃତ୍ୟୁ ଘଟିଥିବା ଘଟଣା ପ୍ରଶାସନର ହସ୍ତକ୍ଷେପ ପରେ ରବିବାର ଗାଁକୁ ଫେରିଲା ଶବ। ମୃତ ରଘୁ ଗତ ୨ ଫେବୃଆରୀ ୨୦୨୫ରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ଅନକାପାଲି ଥାନା ଅନ୍ତର୍ଗତ ଜବାହାରଲାଲ ନେହେରୁ ଫର୍ମାଷ୍ଟିକ ନାମକ ଏକ କମ୍ପାନୀକୁ ଗାଁ ପିଲାଙ୍କ ସହିତ ମିଶି କାମ କରିବା ପାଇଁ ଯାଇଥିଲା। ମାତ୍ର ୨୬ ଦିନ ପରେ ଶୁକ୍ରବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଉକ୍ତ କମ୍ପାନୀରେ କାମ କରୁଥିବା ସମୟରେ ରଘୁଙ୍କ ମୁଣ୍ଡ ବୁଲାଇବା ଓ ବାନ୍ତି ହେବାଯୋଗୁଁ ରାତ୍ର ୧୦ ଘଣ୍ଟା ସମୟରେ ରହୁଥିବା ନିଜ ରୁମକୁ ଚାଲିଆସିଥିଲା। ସେଠାରେ ସେ ଗୁରୁତର ହୋଇଥିବା ବେଳେ ଖବର ପାଇ ରଘୁଙ୍କ ସୁପରଭାଇଜର ରାମକ୍ରୀଷ୍ଣା ଓ ଗାଁ ପିଲାଙ୍କ ସହିତ ରଘୁଙ୍କୁ ଶନିବାର ସକାଳ ଭୋର ୪ଟା ସମୟରେ ନିକଟରେ ଥିବା ଅନକାପାଲି ସରକାରୀ ଏନ.ଟି.ଆର ଡାକ୍ତରଖାନାକୁ ନେଇଥିଲେ ଚିକତ୍ସା ପାଇଁ। କିନ୍ତୁ ସେଠାରେ ଡାକ୍ତର ରଘୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗାଁ ପିଲାମାନେ ଏହି ଖବର ରଘୁଙ୍କ ବାପା ସାନ ମାଝୀଙ୍କୁ ଜଣାଇବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ପୁଅର ମରଶରୀର ଦେଖିବାକୁ ପରିବାର ଲୋକେ ଚାହିଁ ରହିଥିଲେ। କିନ୍ତୁ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଲୋକ ଶବ ଆଣିବାକୁ ଅସମର୍ଥ ହୋଇ ପଡ଼ିଥିଲେ। ମୃତ ରଘୁଙ୍କ ବାପା ସାନ ମାଝୀ ପୁଅର ଶବ ଆଣିବା ସହ କାମ କରୁଥିବା କମ୍ପାନୀ ପକ୍ଷରୁ କ୍ଷତିପୂରଣ ଦାବିକରି ଶନିବାର ସକାଳୁ ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ମଧ୍ୟ ନିବେଦନ କରିଥିଲେ। ଅତିରିକ୍ତ ଶ୍ରମ ଅଧିକାରୀ ଜୀତମ ମାଝୀଙ୍କୁ ପଚାରିବାରୁ ରବିବାର ରାତି ୮ ଘଣ୍ଟା ସମୟରେ ଆମ୍ବୁଲାନ୍ସ ଯୋଗେ ଶବ ଗାଁକୁ ପହଞ୍ଚିଥିବା ପ୍ରକାଶ କରିଥିଲେ। କମ୍ପାନୀ ତରଫରୁ ଶୁଦ୍ଧିକ୍ରିୟା ପାଇଁ ୧୫ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ମୃତକ ପରିବାର ତରଫରୁ କାଗଜପତ୍ର ଦାଖଲ କଲେ ସରକାରଙ୍କ ଯାହା ପ୍ରକ୍ରିୟା ଥିବ ସେହି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଥିଲେ।
Comments are closed.